)
Renuka Chowdhury: ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଗୃହ ଆରମ୍ଭର ପ୍ରଥମ ଦିନରେ କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ତାଙ୍କ ପୋଷା କୁକୁରକୁ କାରରେ ଧରି ସଂସଦ ପରିସରରେ ପହଞ୍ଚିଥିଲେ । ଯାହାକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ବିଜେପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।
ରେଣୁକା ଚୌଧୁରୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ କୁକୁର ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ପାଲଟା ଜବାବରେ ରେଣୁକା କହିଥିଲେ ଅସୁବିଧା କ'ଣ ? ଯଦି ଏକ ମୂକ ପ୍ରାଣୀ ଭିତରକୁ ଆସେ ତେବେ ଅସୁବିଧା କ'ଣ? ଏହା ଏକ ଛୋଟ ପୋଷା କୁକୁର ଏବଂ କାମୁଡ଼ିବ ନାହିଁ ।
ବିଜେପି ସାଂସଦ ଜଗଦମ୍ବିକା ପାଲ ଏହି ମାମଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବଂ ରେଣୁକା ଚୌଧୁରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ପାଲ କହିଛନ୍ତି ଯେ, ଯଦି ଜଣେ ସାଂସଦଙ୍କୁ କିଛି ସୁବିଧା ପ୍ରଦାନ କରାଯାଏ, ତେବେ ଏହାର ଅପବ୍ୟବହାର କରାଯିବା ଆଦୌ ଉଚିତ୍ ନୁହେଁ। ଏହି ଗୃହ ଜାତୀୟ ନୀତି ବିଷୟରେ ଆଲୋଚନା କରିବାର ସ୍ଥାନ । ସେ ତାଙ୍କ କୁକୁରକୁ ସେଠାକୁ ଆଣିଛନ୍ତି ଏବଂ ଏହା ବିଷୟରେ ବୟାନ ଦେଉଛନ୍ତି । ଏହା ଦେଶ ପାଇଁ ଲଜ୍ଜା ଆଣିଛି । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।" ସେ ଏହାକୁ ଗଣତନ୍ତ୍ର ପ୍ରତି ଆଘାତ ଏବଂ ସଂସଦର ଅପମାନ ବୋଲି କହିଛନ୍ତି।
ଅନ୍ୟପଟେ, ରେଣୁକା ଚୌଧୁରୀ ସଂସଦ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରେଣୁକା ପ୍ରଶ୍ନ କରିଛନ୍ତି ଯେ, ସରକାର ଏକ ମାସର ଅଧିବେଶନକୁ କାହିଁକି ପନ୍ଦର ଦିନକୁ ହ୍ରାସ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆମେ ଗୃହରେ କେଉଁ ପ୍ରସଙ୍ଗ ଉଠାଇବୁ ସେ ବିଷୟରେ ଆପଣ କାହିଁକି ଚିନ୍ତିତ? ଆପଣ ଏକ ମାସର ଅଧିବେଶନକୁ କାହିଁକି ପନ୍ଦର ଦିନକୁ ହ୍ରାସ କଲେ? କ'ଣ ଯଥେଷ୍ଟ ପ୍ରସଙ୍ଗ ନଥିଲା?" ବୋଲି ରେଣୁକା ଗଣମାଧ୍ୟମ ଆଗରେ କହିଛନ୍ତି ।