)
ନୂଆଦିଲ୍ଲୀ: କୋରୋନାର ତୃତୀୟ ଲହର ଆସନ୍ନ ପ୍ରାୟ ଥିବାବେଳେ ପୁଣିଥରେ ଦେଶବାସୀଙ୍କୁ କରିବ ଥରହର। ଦିଲ୍ଲୀରୁ ପଲ୍ଲୀ ପର୍ଯ୍ୟନ୍ତ ସବୁଠି ଶୁଭିଲାଣି ସମ୍ଭାବ୍ୟ ତୃତୀୟ ଲହରର ପଦପାତ ।ଓମିକ୍ରନ୍ ରୂପୀ ନୂଆ ଭାରିଏଣ୍ଟ ଦ୍ୱାରା ଜନଜୀବନକୁ କବଳିତ କରିବାକୁ ଆତୁର ହୋଇ ପଡ଼ିଲାଣି କୋରୋନା । ଏହାର ମୁକାବିଲା କେମିତି କରାଯିବ, ସେ ନେଇ ଉଦବିଗ୍ନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେଥିପାଇଁ ପାରୁପର୍ଯ୍ୟନ୍ତ ୨୦୨୦ ଏବଂ ୨୦୨୧ର ସ୍ଥିତି ଏଡ଼ାଇବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ରାଜ୍ୟରେ ଟିକାକରଣର ସର୍ବଶେଷ ଏବଂ ସବିଶେଷ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ।
ଦେଶର ରାଜଧାନୀ ଦିଲ୍ଲୀ ପାଇଁ ଏବେ କହିବାକୁ ଗଲେ ଅଘୋଷିତ ଲକଡାଉନ ପରିସ୍ଥିତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଲକଡାଉନ ନେଇ ବିଧିବଦ୍ଧ ଘୋଷଣା କରି ନ ଥିଲେ ମଧ୍ୟ ଜାରି କରାଯାଇଥିବା କୋଭିଡ୍ ନିୟମାବଳୀକୁ ଦେଖିଲେ ତାହା ହିଁ ମନେହେଉଛି । ଦିନକ ପୂର୍ବରୁ ରାତି ୧୧ଟାରୁ କର୍ଫ୍ୟୁ ଜାରି ହୋଇଥିଲା ଏଠି । ମାତ୍ର ଆଜି ପୁଣି ଏହାକୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସଙ୍କୁଚିତ କରାଯାଇଛି । ତେବେ ଆସନ୍ତୁ ଦେଖିବା କ'ଣ ରହିଛି ଦେଶର ରାଜଧାନୀ ଦିଲ୍ଲୀରେ କୋରୋନାର ନୂଆ ନିୟମାବଳୀ।
ଓଡ଼ିଶାରେ ବି କୋରୋନାର ପ୍ରତିକାର ପାଇଁ ହାଇ ଆଲର୍ଟରେ ରାଜ୍ୟ ସରକାର। ରାଜ୍ୟରେ ଫେବ୍ରୁଆରୀରେ ପିକ୍ ରେ ରହିପାରେ ତୃତୀୟ ଲହର । ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ଓଡ଼ିଶାରେ ପ୍ରଥମ ଓ ଦ୍ୱିତୀୟ ଲହର ଆସିବାରେ ହୋଇଥିଲା ୨ ମାସ ବିଳମ୍ବ । ତେବେ ଆଇସିଏମଆର ଆକଳନ ଅନୁଯାୟୀ, ଯଦି ତୃତୀୟ ଲହର ଆସେ ତେବେ ଓଡ଼ିଶାକୁ ମଧ୍ୟ ଖୁବଶୀଘ୍ର ଆସିଯିବ। ସର୍ଭିଲାନ୍ସ, ଟେଷ୍ଟିଂ, ଟ୍ରିଟମେଣ୍ଟ ଓ ଟିକାକରଣ ଉପରେ ଗୁରୁତ୍ୱ ଦେଉଛି ସ୍ୱାସ୍ଥ୍ୟବିଭାଗ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସ୍ତୁତ ରହିଛି ସ୍ୱାସ୍ଥ୍ୟ ଭିତ୍ତିଭୂମି । ପେଡିଆଟ୍ରିକ ବିଭାଗ ସାଙ୍ଗକୁ ଅକ୍ସିଜେନ ଓ ମେଡିସିନ ଯଥେଷ୍ଟ ପରିମାଣରେ ମହଜୁଦ ଅଛି।
ଏଣେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକାକରଣ ଅନୁମତି ପରେ ଏବେ ପଞ୍ଜିକରଣ ପାଇଁ ଚାଲିଛି ପ୍ରସ୍ତୁତି। ଯେଉଁମାନଙ୍କର ଜନ୍ମ ୨୦୦୭ ଜାନୁଆରୀ ୧ ତାରିଖ ପୂର୍ବରୁ ହୋଇଥିବ, ସେହିମାନେ ଟିକା ନେବାକୁ ଯୋଗ୍ୟ ବିବେଚିତ ହେବେ। କିଶୋର/କିଶୋରୀଙ୍କ କ୍ଷେତ୍ରରେ ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୨୮ ଦିନ। ତେବେ ବରିଷ୍ଠ ନାଗରିକଙ୍କୁ କେଉଁ ଟିକା ବୁଷ୍ଟର ଡୋଜ୍ ରୂପେ ଦିଆଯିବ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ। ସେମାନଙ୍କ କ୍ଷେତ୍ରରେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ପ୍ରିକସନ ଡୋଜ୍ ଦିଆଯିବ।
Also Read: Congress ପ୍ରତିଷ୍ଠା ଦିବସରେ ଏ କି ଅଘଟଣ?
ତେବେ ଏତେ ସବୁ ଭୀତିପ୍ରଦ ଖବର ମଧ୍ୟରେ ଏକ ଆଜି ଭଲ ଖବର ବି ଆସିଛି । କୋରୋନା ପାଇଁ ଆଉ ଦୁଇଟି ଟିକାକୁ ମଞ୍ଜୁରୀ ମିଳିଛି। କୋର୍ବେଭାକ୍ସ ଓ କୋଭାଭାକ୍ସ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଛି ଅନୁମତି। ଏହାସହିତ ଆଣ୍ଟିଭାଇରାଲ ଟାବଲେଟ୍ ମୋଲନୁପିରାଭିରକୁ ମଧ୍ୟ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ଦେଇଛି ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି। ପୂର୍ବରୁ କୋଭିସିଲ୍ଡକୁ ସଫଳତାର ସହ ପ୍ରସ୍ତୁତ କରିଥିବା ପୁନେର ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପ୍ରସ୍ତୁତ କରିଛି ନାନୋ ପାର୍ଟିକିଲ ଟିକା କୋଭାଭାକ୍ସ । ଆଉ ହାଇଦ୍ରାବାଦର ବାୟୋଲୋଜିକାଲ-ଇ ଲିମିଟେଡ୍ ପ୍ରସ୍ତୁତ କରିଛି କୋର୍ବେଭାକ୍ସ ଟିକା । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଛି କୋର୍ବେଭାକ୍ସ ଭାକ୍ସିନ । ଏହା RBD-ପ୍ରୋଟିନ କୌଶଳରେ ପ୍ରସ୍ତୁତ ହୋଇଛି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ୍ କରି ଏ ନେଇ ସୂଚନା ଦେଇଥିଲେ। ଦେଶରେ ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏ ଦୁଇଟି ଟିକା ଓ ବଟିକାର ବ୍ୟବହାର ଫଳପ୍ରଦ ହେବା ନେଇ ଜାଗିଛି ଆଶା।