କୋରୋନା ତାଣ୍ଡବ, କୋଭିଡ-19 ଯୋଗୁଁ ଏମ୍ସର ସ୍ୱଚ୍ଛତା ସୁପରଭାଇଜରଙ୍କ ମୃତ୍ୟୁ

ଶ୍ରୀନିବାସ କହିଛନ୍ତି ଯେ, ଆମେ ଆସନ୍ତାକାଲି ନିର୍ଦ୍ଦେଶକଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରି ଅନୁଷ୍ଠାନର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ବିଷୟରେ ଆଲୋଚନା କରିବୁ । ଗତ ସପ୍ତାହରେ କ୍ୱାରେଣ୍ଟାଇନରେ କୋରୋନା ଭୂତାଣୁ ଯୋଗୁଁ ଏମ୍ସର ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା ।

କୋରୋନା ତାଣ୍ଡବ, କୋଭିଡ-19 ଯୋଗୁଁ ଏମ୍ସର ସ୍ୱଚ୍ଛତା ସୁପରଭାଇଜରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର ସ୍ୱଚ୍ଛତା ସୁପରଭାଇଜର କୋରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି । ସେ ୫୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ, ସେ ଭେଣ୍ଟିଲେଟରରେ ଥିଲେ । ରବିବାର ସନ୍ଧ୍ୟା ପ୍ରାୟ ୭.୩୦ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଏମ୍ସର ସ୍ଥାୟୀ କର୍ମଚାରୀ ଥିଲେ । ଏହାସହ ସେ  ସଂସ୍ଥାର ଓପିଡି ବିଭାଗରେ କାର୍ଯ୍ୟରତ ଥିଲେ । ଏଆଇଏମ୍ଏସ୍ ରେସିଡେଣ୍ଟ୍ ଡାକ୍ତର ସଂଘର ସେକ୍ରେଟେରୀ ଜେନେରାଲ୍ ଡକ୍ଟର ଶ୍ରୀନିବାସା ରାଜକୁମାର ଟି ଟ୍ୱିଟ୍ କରି କହିଛନ୍ତି ଯେ, ଦେଶ ସେବାରେ ନିୟୋଜିତ ଥିବା ଅନ୍ୟ ଜଣେ କୋରୋନା ଯୋଦ୍ଧା ତାଙ୍କ ଜୀବନ ଦେଇଛନ୍ତି । ଏମ୍ସ ନିଜର ଜଣେ ଗୁରୁତ୍ୱପୂର୍ଣ୍ଣ ଯୋଦ୍ଧାଙ୍କୁ ହରାଇଛି । ଏହି ଭୂତାଣୁ ଅତ୍ୟନ୍ତ ବିପଜ୍ଜନକ ଓ ସଂକ୍ରାମକ ଏବଂ ଏହା କାହାକୁ ଛାଡି ନଥାଏ ।

ଏମ୍ସ  ଏସସି-ଏସଟି କର୍ମଚାରୀ କଲ୍ୟାଣ ସଂଘର ସେକ୍ରେଟେରୀ ଜେନେରାଲ୍ କୁଲଦୀପ ଧିଗାନ୍ ଅଭିଯୋଗ କରିଛନ୍ତି ଯେ, ସୁପରଭାଇଜରଙ୍କ ଜ୍ୱର ଏବଂ ନିଶ୍ୱାସ ନେବାରେ ଅସୁବିଧା ଥିଲା । ଏହା ପରେ ସେ ନିଜେ ମେ ୧୬ରେ ଏମ୍ସରେ ପରୀକ୍ଷା କରିଥିଲେ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ମାମଲା ପରୀକ୍ଷଣର ମାନଦଣ୍ଡ ପୂରଣ କରୁନଥିଲା । ତେଣୁ ତାଙ୍କୁ କୋଭିଡ-19 ପାଇଁ ପରୀକ୍ଷା କରାଯାଇ ନାହିଁ । ପରେ ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ମେ ୧୯ରେ ଜରୁରୀକାଳୀନ ୱାର୍ଡକୁ ନିଆଯାଇଥିଲା । ପରବର୍ତ୍ତୀ ପରୀକ୍ଷଣରୁ ତାଙ୍କୁ କୋରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଥିଲା ।