)
ମୁମ୍ବାଇ: ସମଗ୍ର ଦେଶରେ କୋରୋନା ଭାଇରସ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଏହାସହ ଦେଶରେ ଏହି ମହାମାରୀ ଭାଇରସ ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ଦେଶରେ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ର ଶୀର୍ଷରେ ରହିଛି । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ କୋରୋନା ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ରାଜ୍ୟରେ ୩,୦୪୧ଟି ନୂଆ ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୦,୦୦୦ ଅତିକ୍ରମ କରିଛି । ବର୍ତ୍ତମାନ ଏଠାରେ ସମୁଦାୟ ୫୦,୨୩୧ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମଗ୍ର ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ୧,୬୩୫ ଜଣଙ୍କର ମୃତ୍ୟୁ ଘଟିଛି ।
କେବଳ ମୁମ୍ବାଇରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୦,୫୪୨ ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭୨୫ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ୩୯ ଜଣ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏହିପରି ମୃତ୍ୟୁ ସଂଖ୍ୟା ୯୮୮ରେ ପହଞ୍ଚିଛି ।
ସମଗ୍ର ବିଶ୍ୱରେ ଓ ଭାରତରେ କୋରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ସଂକ୍ରମିତ କୋରୋନାର ମୋଟ ସଂଖ୍ୟା ୧.୩୧ ଲକ୍ଷ ଅତିକ୍ରମ କରିଛି । ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ମୋଟ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧,୩୧,୮୬୮କୁ ବୃଦ୍ଧି ପାଇଛି । ଏହାସହ ଦେଶରେ ଏପର୍ଯ୍ୟନ୍ତ ୩,୮୬୭ ଜଣଙ୍କର ଏହି ଭୂତାଣୁ ଯୋଗୁଁ ମୃତ୍ୟୁ ଘଟିଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୬,୭୬୭ଟି ନୂଆ କୋରୋନା ମାମଲା ଚିହ୍ନଟ ହୋଇଥିବାର ଜଣାପଡିଛି । ଏହା ବ୍ୟତୀତ ୧୪୭ ଜଣଙ୍କର ମୃତ୍ୟୁ ଘଟିଛି ।