କମ୍ପାନୀ ବର୍ତ୍ତମାନ ଦେଶରେ ଥିବା ମୋଟ କର୍ମଚାରୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ହଟାଇବାକୁ ନିଷ୍ପତ୍ତି ନେଇଛି ।
Trending Photos
ନୂଆଦିଲ୍ଲୀ: ଗତ ଦୁଇ ମାସ ମଧ୍ୟରେ କୋରୋନା ଭାଇରସ ମହାମାରୀ ହେତୁ ରାଇଡ୍ ହେଲିଂ କ୍ୟାବ୍ କମ୍ପାନୀଗୁଡିକ ଗୁରୁତର ଭାବରେ ପ୍ରଭାବିତ ହୋଇଛନ୍ତି । ଏହି ଅବଧି ମଧ୍ୟରେ ଓଲା କ୍ୟାବସ୍ ରୋଜଗାରରେ ୯୫% ହ୍ରାସ ଦେଖାଦେଇଛି । ଫଳସ୍ୱରୂପ କମ୍ପାନୀ ବର୍ତ୍ତମାନ ଦେଶରେ ଥିବା ମୋଟ କର୍ମଚାରୀଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ହଟାଇବାକୁ ନିଷ୍ପତ୍ତି ନେଇଛି । ଏହାର ଅର୍ଥ ହେଉଛି ସମୁଦାୟ ୬,୦୦୦ କର୍ମଚାରୀଙ୍କ ମଧ୍ୟରୁ ୧,୪୦୦ ଆଉ କମ୍ପାନୀ ସହିତ କାମ କରିବେ ନାହିଁ । ଏହି ଝଟେଇ ଏକ ସପ୍ତାହ ପୂର୍ବରୁ କରାଯାଇଥିଲା । ଏହି ସପ୍ତାହ ଆରମ୍ଭରୁ ଓଲାର ପ୍ରତିଦ୍ୱନ୍ଦ୍ୱୀ ଉବେର ମଧ୍ୟ ଭାରତରେ ୬୦୦ କର୍ମଚାରୀଙ୍କ ଛଟେଇ କରିବାର ଘୋଷଣା କରିଥିଲା ।
ଓଲାର ସହ-ପ୍ରତିଷ୍ଠାତା ତଥା ସିଇଓ ଭାବେଶ ଅଗ୍ରୱାଲ ଏକ ଲିଖିତ ଯୋଗାଯୋଗରେ ଏହାକୁ ବର୍ତ୍ତମାନର ସବୁଠାରୁ କଠିନ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, "ଆମେ ସମସ୍ତେ ଆରମ୍ଭରେ ଆଶା କରିଥିଲୁ ଯେ ଏହା ଏକ ସାମାନ୍ୟ ସଙ୍କଟ ହେବ । ଏହାର ସ୍ୱଳ୍ପ ମିଆଦି ପ୍ରଭାବ ପଡ଼ିବ । କିନ୍ତୁ ଦୁର୍ଭାଗ୍ୟବଶତ ଏହା ଏକ ଛୋଟ ସଙ୍କଟ ନୁହେଁ । ଆମର ବ୍ୟବସାୟ ପାଇଁ ଆଗାମୀ ଭବିଷ୍ୟତ ମଧ୍ୟ ବହୁତ ଅସ୍ପଷ୍ଟ ଏବଂ ଅନିଶ୍ଚିତ । ପୂର୍ବ ପରି ପୁନର୍ବାର ବାହାରକୁ ଯିବାକୁ ଲୋକମାନେ ବହୁତ ସମୟ ନେବେ । କୋରୋନା ପୂର୍ବରୁ ବିଶ୍ୱରେ ଥିବା ସେହି ଯୁଗ ଫେରିବ ନାହିଁ ।"
କମ୍ପାନୀ କହିଛି ଯେ, ପ୍ରତ୍ୟେକ ପ୍ରଭାବିତ କର୍ମଚାରୀଙ୍କୁ ୩ ମାସର ଦରମା ମିଳିବ । ଏହିପରି କର୍ମଚାରୀମାନେ ନିଜ ଓ ନିଜ ପରିବାର ପାଇଁ ୩୧ ଡିସେମ୍ୱର ୨୦୨୦ ଯାଏ ବା ପରବର୍ତ୍ତୀ ଚାକିରୀ ମିଳିବା ଯାଏ ଚିକିତ୍ସା, ଜୀବନ ଏବଂ ଦୁର୍ଘଟଣା ବୀମା କଭରକୁ ବ୍ୟବହାର କରିପାରିବେ । ପ୍ରତ୍ୟେକ କର୍ମଚାରୀଙ୍କୁ ପିତାମାତାଙ୍କ ପାଇଁ ୨ ଲକ୍ଷ ଟଙ୍କା ଚିକିତ୍ସା ବୀମା ମଧ୍ୟ ଦିଆଯାଉଛି । କମ୍ପାନୀ ଏହା ମଧ୍ୟ କହିଛି ଯେ, ଏହା ପ୍ରଭାବିତ କର୍ମଚାରୀଙ୍କ ପାଇଁ ନୂତନ ଚାକିରି ପାଇବାରେ ମଧ୍ୟ ସହାୟକ ହେବ ।