ଆଜି କେନ୍ଦ୍ରୀୟ ଆୟୁଷ ମନ୍ତ୍ରାଳୟ ପୁଣି ଥରେ ସ୍ପଷ୍ଟ କରିଛି, ଦିବ୍ୟ ଫର୍ମାସିର ଏହି ଔଷଧ ଇମ୍ୟୁନିଟି ବୁଷ୍ଟର ଅର୍ଥାତ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବା ନେଇ ବଜାରରେ ଲଞ୍ଚ କରାଯାଇପାରିବ ।
Trending Photos
)
ନୂଆଦିଲ୍ଲୀ: ଏବେ ବଜାରରେ ଉପଲବ୍ଧ ହେବ କୋରୋନିଲ । କୋରୋନା ଔଷଧ ଭାବେ ନୁହେଁ, କୋଭିଡ ମ୍ୟାନେଜମେଣ୍ଟ ଭାବେ ବଜାରକୁ କୋରୋନିଲ ଛଡ଼ାଯାଇପାରିବ । କେନ୍ଦ୍ରୀୟ ଆୟୁଷ ମନ୍ତ୍ରାଳୟ ଏନେଇ ଅନୁମତି ଦେବା ପରେ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ । ଗତ ଗୋଟିଏ ସପ୍ତାହ ହେଲା କୋରୋନାଲକୁ ନେଇ ବିବାଦ ବଢ଼ିଥିଲା ।
ଗତ ୨୩ ଜୁନରେ କୋରୋନିଲକୁ ଲଞ୍ଚ କରିଥିଲା ବାବା ରାମଦେବଙ୍କ ଦିବ୍ୟ ଫର୍ମାସି । କୋରୋନିଲ, ଶ୍ୱାସରୀ ଓ ଅଣୁ ତେଲର ଏକ କିଟକୁ କୋରୋନା କିଟ କହି ଲଞ୍ଚ କରାଯାଇଥିଲା । ଏହା କୋରୋନା ଚିକିତ୍ସା କରିପାରିବ ବୋଲି ଦାବି କରିଥିଲେ ବାବା ରାମଦେବ । ୩ଶହ ରୋଗୀଙ୍କ ଠାରେ କ୍ଲିନିକାଲ ଟେଷ୍ଟ କରାଯାଇଛି ଏବଂ ସମସ୍ତେ ୩ରୁ ୭ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବାବା ରାମଦେବ ଦାବି କରିଥିଲେ । ତେବେ ରାମଦେବଙ୍କ ଦାବିର କିଛି ଘଣ୍ଟା ମଧ୍ୟରେ ଆୟୁଷ ମନ୍ତ୍ରାଳୟ ସ୍ପଷ୍ଟିକରଣ ମାଗିଥିଲା ।
ଉତ୍ତରାଖଣ୍ଡ ଆୟୁଷ ବିଭାଗ ବାବାଙ୍କ ଆୟୁର୍ବେଦିକ ଔଷଧ କମ୍ପାନୀ ଦିବ୍ୟ ଫର୍ମାସିକୁ ନୋଟିସ ଜାରି କରିଥିଲା । କୋରୋନିଲକୁ ଇମ୍ୟୁନିଟି ବୁଷ୍ଟର ଭାବେ ମଞ୍ଜୁରୀ ଦିଆଯାଇଥିଲା । କିନ୍ତୁ କାହିଁକି ଏହାକୁ କୋରୋନା ଚିକିତ୍ସା ପାଇଁ ଔଷଧ ବୋଲି ଦାବି କରାଯାଇଛି ବୋଲି ସ୍ପଷ୍ଟୀକରଣ ମାଗିଥିଲା ଆୟୁଷ ମନ୍ତ୍ରାଳୟ ।
ତେବେ ଦିବ୍ୟ ଫର୍ମାସି ପକ୍ଷରୁ ଆୟୁଷ ମନ୍ତ୍ରାଳୟଠାରେ ସ୍ପଷ୍ଟୀକରଣ ରଖାଯାଇଥିଲା । କୋରୋନା ଚିକିତ୍ସା ନେଇ କୌଣସି ଦାବି କରାଯାଇନଥିବା ଏଥିରେ କୁହାଯାଇଥିଲା । ୨୩ ଜୁନରେ ବାବା ରାମଦେବ ଯେଉଁ ଦାବି କରିଥିଲେ, ସେଥିରୁ ମଧ୍ୟ ଓହରି ଯାଇଥିଲେ । ରାମଦେବ ଏହା ମଧ୍ୟ କହିଥିଲେ, ପତଞ୍ଜଳି କୌଣସି ପ୍ରକାର ଭ୍ରାନ୍ତ ପ୍ରଚାର କରିନାହିଁ ।
ଅନ୍ୟପଟେ ଆଜି କେନ୍ଦ୍ରୀୟ ଆୟୁଷ ମନ୍ତ୍ରାଳୟ ପୁଣି ଥରେ ସ୍ପଷ୍ଟ କରିଛି, ଦିବ୍ୟ ଫର୍ମାସିର ଏହି ଔଷଧ ଇମ୍ୟୁନିଟି ବୁଷ୍ଟର ଅର୍ଥାତ ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବା ନେଇ ବଜାରରେ ଲଞ୍ଚ କରାଯାଇପାରିବ । କିନ୍ତୁ କୋରୋନା ଚିକିତ୍ସା ଦାବି ସହ ନୁହେଁ ।