କୋରୋନା ସଙ୍କଟ ଭିତରେ ନୂଆ ଆଶା ସଂଚାର କଲା ମହାରାଷ୍ଟ୍ର

ଗୁରୁବାର ୧୪୦୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କୋରୋନା ସଙ୍କଟ ଭିତରେ ନୂଆ ଆଶା ସଂଚାର କଲା ମହାରାଷ୍ଟ୍ର

ମୁମ୍ବାଇ: ମହାରାଷ୍ଟ୍ରରୁ ଆସିଲା ଭଲ ଖବର । କୋରୋନାର ସଙ୍କଟ ଭିତରେ ମୁକାବିଲାର ଆତ୍ମବିଶ୍ୱାସ । ଗୋଟିଏ ଦିନରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟାକ ଆକ୍ରାନ୍ତ । ଗୁରୁବାର ୧୪୦୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏହାକୁ ମିଶାଇ ରାଜ୍ୟରେ ୧୧୭୨୬ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ଯାହାକି ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । 

ତେବେ ଗତକାଲି ଗୋଟିଏ ଦିନରେ ୨୩୪୫ ନୂଆ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଫଳରେ ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୪୨ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଏବେ ୨୮୪୫୪ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ତେବେ ଏପର୍ଯ୍ୟନ୍ତ ସମୁଦାୟ ୩ଲକ୍ଷ ୧୯ ହଜାର ୭୧୦ଟି ନମୂନା ପରୀକ୍ଷା ହୋଇଛି । ସେହିପରି ରାଜ୍ୟରେ ୪ଲକ୍ଷ ୩୭ ହଜାର ୩୦୪ ଜଣ ଲୋକ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଅନ୍ୟପଟେ ୨୬ ହଜାର ୮୬୫ ଜଣଙ୍କ ସଂସ୍ଥାଗତ କ୍ୱାରେଣ୍ଟାଇନରେ ରଖାଯାଇଛି । 

ସେପଟେ ଯଦି ମୃତକଙ୍କ ସଂଖ୍ୟା ଦେଖିବା, ତେବେ ମହାରାଷ୍ଟ୍ରରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୫୪ ରହିଛି । ଗୁରୁବାର ଗୋଟିଏ ଦିନରେ ୬୪ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ବୟସ ୪୦ ବର୍ଷରୁ କମ୍ । ୬୪ ମୃତକଙ୍କ ମଧ୍ୟରୁ ୩୮ ଜଣ ମଧୁମେୟ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ଇତ୍ୟାଦିରେ ମଧ୍ୟ ଆକ୍ରାନ୍ତ ଥିଲେ ।