ଲକଡାଉନ୍ ବୃଦ୍ଧିକୁ କେଜ୍ରିୱାଲ ସ୍ୱାଗତ କରିଛନ୍ତି
)
ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ କୋରୋନା ଯୋଗୁଁ ୧୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ଏବଂ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ ଆଜି(ମଙ୍ଗଳବାର) ବର୍ତ୍ତମାନ ସୁଦ୍ଧା ଜାତୀୟ ରାଜଧାନୀ ଦିଲ୍ଲୀରେ ୧୫୬୧ କୋରୋନା ଆକ୍ରାନ୍ତ ଅଛନ୍ତି । ଏଥି ମଧ୍ୟରୁ ଏପର୍ଯ୍ୟନ୍ତ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫୧ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏବଂ ଏହି ସମୟ ମଧ୍ୟରେ ୨ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ଏହି ସମୟରେ ଦିଲ୍ଲୀର ହଟସ୍ପଟ୍ / କଣ୍ଟେଣ୍ଟମେଣ୍ଟ ଜୋନ୍ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି । ମଙ୍ଗଳବାର ୮ଟି ନୂଆ ଅଞ୍ଚଳକୁ ସିଲ୍ କରାଯାଇଛି । ସୋମବାର ହଟସ୍ପଟ୍ ବା କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୪୭ ଥିଲା ।
ଲକଡାଉନ୍ ବୃଦ୍ଧିକୁ କେଜ୍ରିୱାଲ ସ୍ୱାଗତ କରିଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବ୍ୟାପୀ ଲକ୍ ଡାଉନକୁ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତିକୁ ସ୍ୱାଗତ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ଏହି ନିୟମକୁ କଡାକଡି ପାଳନ କରିବାକୁ କହିଛନ୍ତି । ଯାହା ଦ୍ୱାରା ସହର କୋରୋନା ଭୂତାଣୁ ସଂକ୍ରମଣରୁ ମୁକ୍ତି ପାଇବ । କେଜ୍ରିୱାଲ ଏକ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ଜାତୀୟ ରାଜଧାନୀରେ କୋରୋନା ଭୂତାଣୁ ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି । ମୁଁ ନିଶ୍ଚିତ ଯେ ଦିଲ୍ଲୀରେ ସଂକ୍ରମଣ ରୋକିବାରେ ଆମେ ସଫଳ ହେବୁ ।
ପ୍ରଧାନମନ୍ତ୍ରୀ ମୋଦି ଦେଶରେ ମହାମାରୀ ସଂକ୍ରମଣକୁ ରୋକିବା ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି । ଅନ୍ୟପକ୍ଷେ କେଜ୍ରିୱାଲ ଆହୁରି କହିଛନ୍ତି ଯେ ଲକ୍ ଡାଉନକୁ ଆଗକୁ ବଢ଼ାଇବା ଆବଶ୍ୟକ ଥିଲା । ଯଦି ଆମେ ଲକ୍ ଡାଉନ୍ ନିୟମକୁ କଡାକଡି ପାଳନ କରୁ, ତେବେ ମୋର ବିଶ୍ୱାସ ଅଛି ଯେ ଆମେ କୋରୋନା ଭୂତାଣୁରୁ ମୁକ୍ତି ପାଇବୁ । କେଜ୍ରିୱାଲ ବୁଧବାର ସହରରେ ସଂକ୍ରମଣରେ ଅଧିକ ପ୍ରଭାବିତ ହୋଇଥିବା କେତେକ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବେ ।