ଏସିଆର ସବୁଠୁ ବଡ଼ ବସ୍ତି ମୁମ୍ବାଇର ଧାରାବୀରେ ଗୁରୁବାର ୨୫ ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏଠାରେ ବର୍ତ୍ତମାନ ସୁଦ୍ଧା ୩୬୯ ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।
Trending Photos
ମୁମ୍ବାଇ: ଦେଶରେ କୋରୋନା ଭାଇରସ ପ୍ରକୋପ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଯାଏ ଭାରତରେ କୋରୋନା ଯୋଗୁଁ ୩୩ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । । ଏହା ବ୍ୟତୀତ ଏପର୍ଯ୍ୟନ୍ତ ୧,୦୭୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ ଦେଶରେ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଟପରେ ରହିଛି । ଏଠାରେ କୋରୋନା ସଂକ୍ରମିତ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି । ଗୁରୁବାର ମହାରାଷ୍ଟ୍ରରେ ୫୮୩ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୪୯୮ରେ ପହଞ୍ଚିଛି । ଏଥି ସହିତ କେବଳ ମୁମ୍ବାଇର ୭,୦୬୧ କୋରୋନା ସଂକ୍ରମିତ ଅଛନ୍ତି । ଆଜି ମହାରାଷ୍ଟ୍ରରେ କୋରୋନା ଯୋଗୁଁ ୨୭ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪୫୯ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ଏସିଆର ସବୁଠୁ ବଡ଼ ବସ୍ତି ମୁମ୍ବାଇର ଧାରାବୀରେ ଗୁରୁବାର ୨୫ ନୂଆ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏଠାରେ ବର୍ତ୍ତମାନ ସୁଦ୍ଧା ୩୬୯ ଜଣ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ବୃତନ୍ମୁମ୍ୱାଇ ମହାନଗର ପାଲିକା (ବିଏମସି) ର ଜଣେ ଅଧିକାରୀ କହିଛନ୍ତି ଯେ, ଶିବ ଶକ୍ତି ନଗର, ଶାସ୍ତ୍ରୀ ନଗର, ପିଏମଜିପି କଲୋନୀ, ଧୋରୱାଡା, ଟ୍ରାଞ୍ଜିଟ୍ କ୍ୟାମ୍ପ, ଇନ୍ଦିରା ନଗର, ମୁସଲିମ ନଗର, ଚୌଗୁଲେ ଚାଲ୍ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଏହି ନୂଆ ମାମଲା ଆସିଛି । ସେ କହିଛନ୍ତି ଯେ ଧାରାବୀରେ ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ କୋରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ୩୩,୬୧୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୭୩ଟି କୋରୋନା ପଜିଟିଭ ମାମଲା ମିଳିଛି । ଏହାସହ ୬୭ ଜଣଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ଦେଶର କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ୧୦୭୫ ଜଣଙ୍କର ମୃତ୍ୟୁ ଘଟିଛି । ଯଦିଓ ୮,୩୭୩ ରୋଗୀ ମଧ୍ୟ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।