)
ନୂଆଦିଲ୍ଲୀ: ଦେଶରେ ଏପର୍ଯ୍ୟନ୍ତ କୋଟିଏ ଲୋକଙ୍କ ସ୍ୱାବ ଟେଷ୍ଟ ହେଲାଣି । ଅର୍ଥାତ ଦେଶରେ ୧୦ ମିଲିୟନ ଲୋକଙ୍କ କୋରୋନା ପରୀକ୍ଷା ହେଲାଣି । ସୋମବାର ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମଆର) ଏହି ସୂଚନା ଦେଇଛି । ଆଜି ଦିନ ୧୧ଟା ପର୍ଯ୍ୟନ୍ତ ୧କୋଟି ୪ ହଜାର ୧୦୧ ପରୀକ୍ଷଣ ହୋଇଥିବା କୁହାଯାଇଛି ।
ଭାରତରେ କୋରୋନା ଏଣ୍ଟ୍ରି ମାରିବା ପରଠୁ ହିଁ କୋରୋନା ଟେଷ୍ଟ ଆରମ୍ଭ ହୋଇଥିଲା । ଦିନକୁ ଦିନ ଅଧିକ ସଂଖ୍ୟକ ସେମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି । ଆଉ ଏପର୍ଯ୍ୟନ୍ତ ୧ କୋଟି ଲୋକଙ୍କ ସ୍ୱାବ ଟେଷ୍ଟ ହୋଇଥିବା କହିଛି ଆଇସିଏମଆର ।
ଆରମ୍ଭରୁ ସରକାର କେବଳ ସରକାରୀ ଲ୍ୟାବ ଏବଂ ଡାକ୍ତରଖାନାରେ କୋରୋନା ଟେଷ୍ଟ ପାଇଁ ଅନୁମତି ଦେଇଥିଲେ । ପରବର୍ତ୍ତୀ ସମୟରେ ପ୍ରାଇଭେଟ ଲ୍ୟାବକୁ ମଧ୍ୟ ଏନେଇ ଅନୁମତି ମିଳିଥିଲା । ଫଳରେ ଅଧିକ ସଂଖ୍ୟକ ନମୂନା ପରୀକ୍ଷା କରିବା ସମ୍ଭବ ହୋଇପାରିଛି ।
ଦେଶରେ ଏପର୍ଯ୍ୟନ୍ତ ୬ଲକ୍ଷ ୯୭ ହଜାର ୪୧୩ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ଖୁବଶୀଘ୍ର ଏହି ସଂଖ୍ୟା ୭ଲକ୍ଷ ଅତିକ୍ରମ କରିବ । ସେହିପରି କୋରୋନା ଯୋଗୁ ୧୯୬୯୩ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ଆକ୍ରାନ୍ତଙ୍କ ମଧ୍ୟରୁ ୪ଲକ୍ଷ ୨୪ ହଜାର ୪୩୩ ଜଣ ସୁସ୍ଥ ହେଲେଣି । ଏବେ ୨ଲକ୍ଷ ୫୩ ହଜାର ୨୮୭ଟି ଆକ୍ଟିଭ କେସ ରହିଛି ।
ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍-୪ରେ ଥିବା ଭାରତ ଏବେ ଋଷକୁ ଅତିକ୍ରମ କରି ଟପ୍-୩ରେ ପହଞ୍ଚିସାରିଛି । ଏବେ ଭାରତ ଉପରେ କେବଳ ଆମେରିକା ଓ ବ୍ରାଜିଲ ରହିଛନ୍ତି । ତେବେ ଭାରତରେ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଉଛି, ଭାରତ ଯେ ଟପ୍-୧କୁ ପହଞ୍ଚିଯିବ, ଏଭଳି କିଛି ଆଶଙ୍କା ପ୍ରକାଶ ପାଇଛି ।