)
ନ୍ୟୁୟର୍କ: କୋରୋନା ଭୂତାଣୁ ସମଗ୍ର ବିଶ୍ୱରେ ତାଣ୍ଡବଲୀଳା ଜାରି ରଖିଛି । ଏହି ମହାମାରୀ ଯୋଗୁଁ ବର୍ତ୍ତମାନ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି । ଏହି ଦେଶରେ କୋରୋନା ମହାମାରୀ ମୃତ୍ୟୁର ତାଣ୍ଡବ ଜାରି ରଖିଛି । ପ୍ରତିଦିନ ମୃତ୍ୟୁ ସଂଖ୍ୟାର ରେକର୍ଡ ଭାଙ୍ଗୁଛି ଆମେରିକା । ଏହି ସମୟରେ ଆମେରିକାରେ କୋରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା 30 ହଜାରରୁ ଅଧିକ ପାର କରିସାରିଛି । ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହା ପ୍ରକାଶ ପାଇଛି ।
ଅନ୍ୟପକ୍ଷେ ବର୍ତ୍ତମାନ ସମୟରେ ବିଶ୍ୱର ୧୮୦ରୁ ଉର୍ଦ୍ଧ୍ୱ ଦେଶରେ କୋରୋନା ମହାମାରୀ ବିପର୍ଯ୍ୟୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ପ୍ରାୟ ୧ ଲକ୍ଷ ୩୭ ହଜାର ଲୋକ ପ୍ରାଣ ହରାଇଛନ୍ତି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଟ୍ରାକର ଅନୁଯାୟୀ, କୋଭିଡ -19 ପରଠାରୁ ଆମେରିକାରେ ୩୦,୯୯୦ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ମହାମାରୀ ଯୋଗୁଁ ବିଶ୍ୱର ସର୍ବାଧିକ ଲୋକ ଆମେରିକାରେ ମୃତ୍ୟୁବରଣ କରିଛନ୍ତି । ଏହା ପରେ ଇଟାଲୀ, ଯେଉଁଠାରେ ୨୧,୬୪୫ ଲୋକ ପ୍ରାଣ ହରାଇଛନ୍ତି । ତଥାପି ଇଟାଲୀର ଜନସଂଖ୍ୟା ଆମେରିକାର ଜନସଂଖ୍ୟାର ଏକ ପଞ୍ଚମାଂଶ ଅଟେ । ସ୍ପେନରେ ୧୯,୧୩୦ ଓ ଫ୍ରାନ୍ସରେ ୧୭,୧୬୭ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ଅନ୍ୟପକ୍ଷେ କୋରୋନା ଭାଇରସକୁ ନେଇ ଗବେଷକମାନେ ଆମେରିକାକୁ ଚେତାବନୀ ଜାରି କରି କହିଥିଲେ ଯେ, ଆମେରିକାରେ କୋରୋନା ଯୋଗୁଁ ୨-୩ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ । ଯାହା ବର୍ତ୍ତମାନର ପରିସ୍ଥିତିକୁ ଦେଖି ମନେ ହେଉଛି ଦିନକୁ ଦିନ ଏହା ସତ ହେବାରେ ଲାଗିଛି ।