ଭାରତ-ଚୀନ ବିବାଦ: ଋଷ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ, ସାମରିକ ସହଯୋଗ ନେଇ ହୋଇପାରେ ଆଲୋଚନା
ସୋମବାର ଠାରୁ ଋଷ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ |
ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ସୀମାରେଖା-ଏଲଏସି(Line of Actual Contral-LAC) ଠାରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ସୋମବାର ଠାରୁ ଋଷ ଗସ୍ତରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ | ଏହି ଗସ୍ତ ଅବସରରେ ସାମରିକ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବା ପାଇଁ ଭାରତ-ଋଷ ମଧ୍ୟରେ ଚର୍ଚ୍ଚା ହୋଇପାରେ |
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତତ୍କାଳୀନ ସୋଭିଏତ ସେନା ଦେଖାଇଥିବା ପରାକ୍ରମର ସ୍ମୃତିଚାରଣ ପାଇଁ ଋଷ ସରକାରଙ୍କ ପକ୍ଷରୁ ବିଜୟ ଦିବସ ପ୍ୟାରେଡ ଆୟୋଜତି ହେଉଛି | ଏହି ଯୁଦ୍ଧରେ ପୂର୍ବ ୟୁରୋପରେ ହିଟଲରଙ୍କ ଦ୍ୱାରା ଶାସିତ ନାଜି ଜର୍ମାନୀକୁ ପରାସ୍ତ କରିଥିଲା ସେତେବେଳର କମ୍ୟୁନିଷ୍ଟ ଶାସିତ ସୋଭିଏତ ସେନାବାହିନୀ | ୧୯୯୧ ମସିହାରେ ସୋଭିଏତ ସଂଘର ବିଭାଜନ ହେବା ପରେ ବର୍ତ୍ତମାନ କେବଳ ଏହା ଋଷିଆ ନାଁରେ ବିଶ୍ୱରେ ଜଣାଶୁଣା |
ଗତ ମେ ୯ ତାରିଖରେ ଏହି ପ୍ୟାରେଡ ଅନୁଷ୍ଠିତ ହେବାର ଥିଲା, ମାତ୍ର କୋଭିଡ୧୯ ସଂକଟ କାରଣରୁ ଏହା ସମ୍ଭବ ହୋଇ ପାରିନଥିଲା | ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଭାରତକୁ ଋଷିଆ ପକ୍ଷରୁ ଆମନ୍ତ୍ରଣ କରାଯାଇଛି | ଗସ୍ତ ଅବସରରେ ପତିକ୍ରିୟା ରଖି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି," ଋଷ ଯାତ୍ରା ସମୟରେ ଉଭୟ ଦେଶ ମଧ୍ୟରେ ସାମରିକ ଏବଂ ରଣନୀତିକ କ୍ଷେତ୍ରରେ ସହଯୋଗକୁ ମଜବୁତ କରିବା ନେଇ ଆଲୋଚନା କରାଯିବ | "
ଅନ୍ୟପଟେ ଋଷ ରାଷ୍ଟ୍ରଦୂତ ନିକୋଲେ କୁଦସେବ ଟ୍ୱିଟ କରି କହିଛନ୍ତି, "ମୁଁ ସାମରିକ ସହଯୋଗୀ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସୁରକ୍ଷିତ ଯାତ୍ରା କାମନା କରୁଛି | ସୋମବାର ଠାରୁ ଏହି ଗସ୍ତ ଆରମ୍ଭ ହୋଇଯାଇଛି | ଜୁନ ୨୪ ତାରିଖରେ ହେବାକୁ ଥିବା ବିଜୟ ଦିବସ ପ୍ୟାରେଡରେ ଅଂଶଗ୍ରହଣ କରିବେ ସେ | "
ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ବିଭାଗୀୟ ସଚିବ ଅଜୟ କୁମାର ମଧ୍ୟ ଏହି ଗସ୍ତରେ ସାମିଲ ହେବେ | ଋଷ ପକ୍ଷରୁ ଭାରତକୁ ମିଳିବାକୁ ଥିବା ଏସ-୪୦୦ ଟ୍ରାୟମ୍ପ କ୍ଷେପଣାସ୍ତ୍ର ନିରୋଧ ପ୍ରଣାଳୀ(S-400 triumph anti missile system) ଉପରେ ଆଲୋଚନା ହୋଇପାରେ |