)
ନୂଆଦିଲ୍ଲୀ: ଦିଲ୍ଲୀର ଦକ୍ଷିଣ ଜିଲ୍ଲାର ଲୋଡି ରୋଡ ଅଞ୍ଚଳରେ ଜଣେ ମହିଳା କନଷ୍ଟେବଳଙ୍କୁ କାରରେ ଗୁଳି କରି ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ମହିଳା କନଷ୍ଟେବଳଙ୍କ ପତିଙ୍କ ହାତ ରହିଥିବାର ଅଭିଯୋଗ ରହିଛି । ଅଭିଯୁକ୍ତ ସ୍ୱାମୀ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲରେ କାର୍ଯ୍ୟରତ ଅଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଲୋଡି ରୋଡ ପୋଲିସ ଷ୍ଟେସନ ନିକଟସ୍ଥ ରିଟଜ କାର ଭିତରେ ରକ୍ତ ଜୁଡୁବୁଡୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମହିଳା କନଷ୍ଟେବଳ ଜଣକ କାରରେ ଡ୍ରାଇଭିଂ ସିଟ୍ ପାଖରେ ଥିବା ସିଟରେ ବସିଥିଲେ । ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା । କାରରେ ଏକ ଧାରୁଆ ଅସ୍ତ୍ର ମଧ୍ୟ ମିଳିଥିଲା । ପରେ ମହିଳା ଜଣକଙ୍କ ପରିଚୟ ରେନୁ ମଲିକ(୩୪) ବୋଲି ଜଣାପଡ଼ିଥିଲା, ଯିଏକି ଦିଲ୍ଲୀ ପୋଲିସର କନଷ୍ଟେବଳ ଥିଲେ । ଆଜିକାଲି ବାହାର ଦିଲ୍ଲୀ ପୋଲିସର କୋରୋନା ସେଲରେ ଡ୍ୟୁଟି କରୁଥିଲେ ।
ଅନୁସନ୍ଧାନରୁ ଜଣାପଡିଛି ଯେ, ସ୍ପେଶାଲ ସେଲରେ କାର୍ଯ୍ୟରତ ହେଡ କନଷ୍ଟେବଳ ମନୋଜ ନିଜର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ରେନୁଙ୍କୁ ୨୦୧୦ରେ ବିବାହ କରିଥିଲେ । କିନ୍ତୁ ରେନୁଙ୍କ ସହ ତାଙ୍କର ଝଗଡ଼ା ଲାଗି ରହିଥିଲା । ଅଭିଯୋଗ ହୋଇଛି ଯେ ଏହି କାରଣରୁ ମଙ୍ଗଳବାର ସକାଳେ ମନୋଜ ତାଙ୍କ ବନ୍ଧୁଙ୍କ ରିଟଜ୍ କାରରେ ରେନୁଙ୍କୁ ବସାଇ ନେଇ ଯାଇଥିଲେ । ପରେ ତାଙ୍କୁ ସର୍ଭିସ ରିଭଲଭର ସାହାଯ୍ୟରେ ଗୁଳି କରି ହତ୍ୟା କରିଥିଲେ । ଯାହା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଥିଲେ ।
ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ମନୋଜଙ୍କୁ ଖୋଜିବା ଆରମ୍ଭ କରିଛି । ମନୋଜଙ୍କୁ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲରେ ପୋଷ୍ଟ କରାଯାଇଥିଲା । ଯାହାର କାର୍ଯ୍ୟାଳୟ ଲୋଧି କଲୋନୀ ପୋଲିସ ଷ୍ଟେସନ ପଛରେ ରହିଛି ।