ନିଜକୁ ଭାରତ ସରକାରଙ୍କ ସହ ତୁଳନା କରୁଛନ୍ତି?
Advertisement

ନିଜକୁ ଭାରତ ସରକାରଙ୍କ ସହ ତୁଳନା କରୁଛନ୍ତି?

ଦେଶର ଆଇନ ନୁହେଁ, ଚାଲିବ କମ୍ପାନୀର ନିୟମ, ଏ ଯୁକ୍ତିକୁ ନେଇ ଟ୍ୱିଟରକୁ କୋର୍ଟଙ୍କ ଭର୍ତ୍ସନା। ଦେଶର ଆଇନ-କାନୁନ ଅନୁସାରେ କମ୍ପାନୀକୁ ଚଳାଇବା ଯୁକ୍ତିକୁ ଖଣ୍ଡନ କରିବାକୁ ଯାଇ ଟ୍ୱିଟର ଓକିଲ କହିଲେ, 'ଆମେ ଏକ ଘରୋଇ କମ୍ପାନୀ, ଆମର ନିଜସ୍ୱ କାଇଦା-କଟକଣା ରହିଛି। ଏହାକୁ ନେଇ ବିଚାରପତି ଟିପ୍ପଣୀ କରି କହିଲେ, 'ଆପଣ ନିଜକୁ ଭାରତ ସରକାରଙ୍କ ସହ ତୁଳନା କରୁଛନ୍ତି? 

 

ନିଜକୁ ଭାରତ ସରକାରଙ୍କ ସହ ତୁଳନା କରୁଛନ୍ତି?

ଟ୍ୱିଟର, ଫେସବୁକ୍ ପରି ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଆଜିକାଲି କାହାରି ନା କାହାରି ଆକାଉଣ୍ଟ ବିନା କାରଣରେ ସସପେଣ୍ଡ କରିବାରେ ବ୍ୟସ୍ତ। ରାଷ୍ଟ୍ରବାଦୀ ସ୍ୱର ଉତ୍ତୋଳନ କରୁଥିବା ଆକାଉଣ୍ଟ ଏହାଦ୍ୱାରା ସର୍ବାଧିକ ପୀଡ଼ିତ। କେନ୍ଦ୍ର ସରକାର ଏହି ମାମଲାରେ ଆକାଉଣ୍ଟ ସସପେଣ୍ଡ ହୋଇଥିବା ବ୍ୟକ୍ତିଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଛନ୍ତି ସତ୍ୟପାଠ।

ଦିଲ୍ଲୀ ହାଇକୋର୍ଟରେ ଏସବୁ ମାମଲା ଉପରେ ଆଜି ଶୁଣାଣି ହୋଇଥିଲା। କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଦର୍ଶାଇଛନ୍ତି ଯେ, ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ପ୍ରତ୍ୟେକ ୟୁଜର୍ସଙ୍କୁ ସୁଯୋଗ ଦେବା ଆବଶ୍ୟକ। ଏଥିସହ କହିଛନ୍ତି, କମ୍ପାନୀଗୁଡ଼ିକ କାହାରି ଆକାଉଣ୍ଟ ମଧ୍ୟ ବିନା କାରଣରେ କିମ୍ବା ମିଥ୍ୟା ଅଭିଯୋଗରେ ସସପେଣ୍ଡ କରି ପାରିବେ ନାହିଁ।

ଟ୍ୱିଟର ବ୍ୟବହାରକାରୀ ମେଘ ବୁଲେଟିନ (Megh Bulletin) ଏବଂ ୱୋକଫ୍ଲିକ୍ସ (Wokeflix) ଆକାଉଣ୍ଟ ସହ ଜଡ଼ିତ ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ଚାଲିଛି। ଏହି ଆକାଉଣ୍ଟକୁ ଟ୍ୱିଟର ବିନା କାରଣରେ ସସପେଣ୍ଡ କରି ଦେଇଥିଲା। ଆଇନ ଅନୁସାରେ ଟ୍ୱିଟର ବ୍ୟବହାରକାରୀ ଭରଦ୍ୱାଜସ୍ପିକ୍ସ (Bharadwajspeaks) ମଧ୍ୟ ଏହି ମାମଲାର ଜଣେ ଆବେଦନକାରୀ।

୧୩ ଏପ୍ରିଲ ୨୦୨୨ରେ ଏହି ମାମଲାର ଶେଷ ଶୁଣାଣି ହେବ। ବର୍ତ୍ତମାନ କୋର୍ଟଙ୍କ ଏକ ଟିପ୍ପଣୀ ଉପରେ ଗୁରୁତ୍ୱ ଦେବା କଥା। କୋର୍ଟଙ୍କ ଏହି ଟିପ୍ପଣୀ ଠିକ୍ ସେତିକିବେଳେ ଆସିଛି, ଯେତେବେଳେ ଦେଶର ନିୟମକାନୁନ ଅନୁଯାୟୀ କମ୍ପାନୀ ଚାଲିବ ବୋଲି ସରକାରୀ ଓକିଲଙ୍କ ଯୁକ୍ତିକୁ ଖଣ୍ଡନ କରି ଟ୍ୱିଟରର ଓକିଲ କହିଲେ, ''ଆମେ ଏକ ଘରୋଇ କମ୍ପାନୀ, ଆମର ନିଜସ୍ୱ ନିୟମକାନୁନ ରହିଛି।'' ଏହାକୁ ତୀବ୍ର ଭର୍ତ୍ସନା କରି ବିଚାରପତି କହିଥିଲେ, ''ଆପଣ ଭାରତ ସରକାରଙ୍କ ସହ ନିଜକୁ ତୁଳନା କରୁଛନ୍ତି।''

ଟ୍ୱିଟର ୨୩ ଫେବ୍ରୁଆରୀ ୨୦୨୨ରେ ନିଜ ନୀତି ପଛରେ ଯୁକ୍ତି ବାଢ଼ି ଏବଂ କଥିତ 'ଉଲ୍ଲଂଘନ' ଅଭିଯୋଗ କରି କିଛି ସ୍ୱତନ୍ତ୍ର ରାଷ୍ଟ୍ରବାଦୀ ଟ୍ୱିଟର ଆକାଉଣ୍ଟକୁ ମନଇଚ୍ଛା ସସପେଣ୍ଡ କରି ଦେଇଥିଲା। ଯେଉଁ ଆକାଉଣ୍ଟଗୁଡ଼ିକୁ ସସପେଣ୍ଡ କରା ଯାଇଥିଲା, ସେଥିରୁ କିଛି ପ୍ରମୁଖ ନାଁ ହେଉଛି, ସମାଚାର ଏବଂ କରେଣ୍ଟ ଆଫେୟର୍ସ ସହ ସମ୍ପର୍କିତ ହ୍ୟାଣ୍ଡେଲ- ମେଘ ବୁଲେଟିନ (Megh Bulletin), ପ୍ରସିଦ୍ଧ ଫ୍ୟାକ୍ଟ ଚେକିଂ ଟ୍ୱିଟର ଆକାଉଣ୍ଟ - ବିଫିଟିଂ ଫ୍ୟାକଟ୍ସ (Befitting Facts), ବ୍ୟଙ୍ଗାତ୍ମକ ବାର୍ତ୍ତା ଲୋଖୁଥିବା ଆକାଉଣ୍ଟ ଦ ସ୍କିନ୍ ଡକ୍ଟର (The Skin Doctor), ରାଜନୈତିକ ବ୍ୟଙ୍ଗ ପାଇଁ ପ୍ରସିଦ୍ଧ ୱୋକଫ୍ଲିକ୍ସ (Wokeflix)।

ଏଇଥିରୁ ବିଗ୍ ଟେକ୍ କମ୍ପାନୀର ସ୍ୱେଚ୍ଛାଚାରିତାର ଅନୁମାନ କରିହେବ ଯେ, ଟ୍ୱିଟର ଯେଉଁ ରାଷ୍ଟ୍ରବାଦୀ ଆକାଉଣ୍ଟଗୁଡ଼ିକୁ ସସପେଣ୍ଡ କରିଥିଲା, ତା' ପଛର କିଛି କାରଣ ମଧ୍ୟ ସୂଚାଇ ନ ଥିଲା। କେବଳ 'ଆମ ନୀତିବିରୁଦ୍ଧ' ଏବଂ 'କଥିତ ଉଲ୍ଲଂଘନ' ଦର୍ଶାଇ ଆକାଉଣ୍ଟ ସସପେଣ୍ଡ।

ଟ୍ୱିଟରର ଏହି ମନମାନୀ ବିରୋଧରେ ଏହି ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡ଼ିକ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହାର ଉତ୍ତରରେ କୋର୍ଟ ଟ୍ୱିଟର ଏବଂ କେନ୍ଦ୍ର ସରକାର ଉଭୟଙ୍କୁ ନୋଟିସ୍ କରିଥିଲେ। ଏହି ମାମଲାରେ ଭାରତ ସରକାର କୋର୍ଟକୁ ସୂଚାଇଥିଲେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୯ ଏବଂ ୨୧ ଅନୁଯାୟୀ ଦେଶର ପ୍ରତ୍ୟେକ ନାଗରିକଙ୍କ ଅଧିକାରକୁ ବଜାୟ ରଖିବାକୁ ଏହା ପ୍ରତିବଦ୍ଧ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା, ପ୍ରଯୁକ୍ତି ମନ୍ତ୍ରାଳୟ କୋର୍ଟରେ କହିଛନ୍ତି, ''ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟବହାରୀକାରୀଙ୍କ ଅଧିକାରକୁ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୯ ଏବଂ ୨୧ ଅନୁଯାୟୀ ସୁରକ୍ଷିତ ରଖିବା କଥା। ସାଧାରଣ ଜନତାଙ୍କ କାର୍ଯ୍ୟ ନିର୍ବାହ କରୁଥିବା ଏଭଳି ପ୍ଲାଟଫର୍ମ ଏକଥା ସୁନିଶ୍ଚିତ କରିବାକୁ କର୍ତ୍ତବ୍ୟବଦ୍ଧ ଯେ, ନାଗରିକଙ୍କ ଏହି ଅଧିକାରର ଉଲ୍ଲଂଘନ ନ ହେବ ଯେମିତି।

ଟ୍ୱିଟର ଆକାଉଣ୍ଟ ମେଘ ବୁଲେଟିନ (Megh Bulletin) ଆବେଦନର ଉତ୍ତରରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି, ସୂଚନା ପ୍ରଯୁକ୍ତି ଅଧିନିୟମ ଏବଂ ନବୀନତମ ସୂଚନା ପ୍ରଯୁକ୍ତି (Intermediary Guidelines and Digital Media Ethics Code) ନିୟମ ୨୦୨୧ ଅନୁଯାୟୀ, ସ୍ୱେଚ୍ଛାକୃତ ଭାବରେ ୟୁଜର୍ସଙ୍କ ଆକାଉଣ୍ଟକୁ ସସପେଣ୍ଡ କରିବା ନିମନ୍ତେ ଅନୁମତି ନାହିଁ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ କହିଛନ୍ତି, ନିୟମ ପ୍ରଣୟନର ଦୃଷ୍ଟିକୋଣ ଯେଉଁ ସିଦ୍ଧାନ୍ତ ଉପରେ ଆଧାରିତ, ତାହା ହେଉଛି: ଇଣ୍ଟରନେଟ୍ ସମସ୍ତଙ୍କ ପାଇଁ ବନା ପକ୍ଷପାତରେ ଖୋଲା (Open, without partiality) ହେବା ଆବଶ୍ୟକ, ସୁରକ୍ଷିତ ଏବଂ ଭରସାଯୋଗ୍ୟ ହେଉ। ୟୁଜର୍ସଙ୍କ ପାଇଁ ପ୍ଲାଟଫର୍ମ ହିଁ ଉତ୍ତରଦାୟୀ ହେଉ ଏବଂ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୪, ୧୯ ଏବଂ ୨୧ ସମେତ ଅନ୍ୟ ଅଧିକାର ଅନୁସାରେ ନାଗରିକଙ୍କ ଯେ କୌଣସି ଅଧିକାରର ଉଲ୍ଲଂଘନ କରିବା ଅନୁମତି କୌଣସି ମଞ୍ଚ କିମ୍ବା ମଧ୍ୟସ୍ଥଙ୍କର ସେ ପର୍ଯ୍ୟନ୍ତ ନାହିଁ, ଯେ ପର୍ଯ୍ୟନ୍ତ ଏହାର ବର୍ତ୍ତମାନ ନିୟମରେ ଉଲ୍ଲଂଘନ ନ ହୋଇଛି।

ଶୁଣାଣି କାଳରେ ହିଁ ଟ୍ୱିଟରକୁ ଦିଲ୍ଲୀ ହାଇକୋର୍ଟ ଚେତାବନୀ ଦେଇ କହିଥିଲେ, ସେହି ସମୟ ଆସିଯାଇଛି ଯେତେବେଳେ ଟ୍ୱିଟର ଭଳି ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଚେତିଯାଆନ୍ତୁ। ଟ୍ୱିଟର ପକ୍ଷରୁ ନିଯୁକ୍ତ ଓକିଲ ଯେତେବେଳେ ଏ ଅଭିଯୋଗ 'ଶୁଣିବାଯୋଗ୍ୟ ହିଁ ନୁହେଁ' ବୋଲି କହିଲେ, ବିଚାରପତି ଯଶୱନ୍ତ ବର୍ମା ସେତିକିବେଳେ ଏହି ଟିପ୍ପଣୀ କରିଥିଲେ।

ସ୍ୱେଚ୍ଛାଚାର ଦ୍ୱାରା ନୁହେଁ, ଦେଶର ଆଇନ ଦ୍ୱାରା ହିଁ ଚାଲିବ ବଡ଼ ବୈଷୟିକ କମ୍ପାନୀ
ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା, ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କିଛିଦିନ ପୂର୍ବରୁ କହିଥିଲେ, ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଦେଶର ଆଇନ ଉଲ୍ଲଂଘନ କରିବା ଅଧିକାର ନାହିଁ। କମ୍ପାନୀଗୁଡ଼ିକ ଦ୍ୱାରା ନିଜ ନିୟମ ଆଳରେ ୟୁଜରଙ୍କ ସ୍ୱାଧୀନତା ସହ ଖେଳ ଖେଳିବାକୁ ଦିଆଯାଇ ପାରିବ ନାହିଁ।

ମିଡିଆ ସହ କଥା ହୋଇ ମନ୍ତ୍ରୀ ରାଜୀବ ଚନ୍ଦ୍ର ଶେଖର କହିଥିଲେ, ଭାରତୀୟ ଇଣ୍ଟରନେଟ୍କୁ ବିଗ୍-ଟେକ୍ କମ୍ପୀନୀଗୁଡ଼ିକ ସ୍ୱେଚ୍ଛାଚାର ନିଷ୍ପତ୍ତି ଏବଂ ତା' ଦ୍ୱାରା ହେବାକୁ ଥିବା ବିପଦରୁ ମୁକ୍ତ କରିବାକୁ ହେବ। ସେଥିପାଇଁ ଦେଶର ଆଇନକାନୁନ ପୁନର୍ବିଚାର କରିବା ଏବଂ ବିଗ୍ ଟେକ୍ କମ୍ପାନୀଗୁଡ଼ିକୁ ଦେଶ ବିରୋଧରେ ହିଁ ମାହୋଲ ସୃଷ୍ଟି କରିବାରୁ ନିବୃତ ରହିବାକୁ ହେବ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ଏହି ବୟାନ ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବିଷୟକୁ ନେଇ ମଧ୍ୟ ରହିଥିଲା। ଏହି ଯୁଦ୍ଧର ଆରମ୍ଭ ପରେ ବହୁ ବଡ଼ ବଡ଼ କମ୍ପାନୀ ମନଇଚ୍ଛା ନିଜ ସେବାକୁ ଆଂଶିକ କିମ୍ବା ପୂର୍ଣ୍ଣ ରୂପରେ ବନ୍ଦ କରି ଦେଇଛନ୍ତି।