)
ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ବଢିଚାଲିଛି କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରୋନ ସଂକ୍ରମିତଙ୍କ ସଂଖ୍ୟା। ଦିଲ୍ଲୀରେ ପୁଣି ଦୁଇଟି ନୂତନ ଓମିକ୍ରୋନ୍ ମାମଲା ରିପୋର୍ଟ ହୋଇଛି। ଏହା ସହ ଜାତୀୟ ରାଜଧାନୀରେ ମୋଟ ଓମିକ୍ରୋନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ବିଭାଗ ଅନୁସାରେ, ଦିଲ୍ଲୀରେ ଚିହ୍ନଟ ୨୪ ଓମିକ୍ରୋନ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ଡିସଚାର୍ଜ ହୋଇଥିବାବେଳେ ଅନ୍ୟ ୧୨ ଜଣ ଚିକିତ୍ସିତ ହେଉଛନ୍ତି। ଦିଲ୍ଲୀର ନୂତନ ଆକ୍ରନ୍ତଙ୍କ ସହ ଦେଶରେ ବର୍ତ୍ତମାନ ସୁଦ୍ଧା ୧୬୩ ଜଣ ଓମିକ୍ରୋନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପୂର୍ବରୁ ସୋମବାର କର୍ଣ୍ଣାଟକରେ ନୂତନ ଭ୍ୟାରିଆଣ୍ଟର ଆଉ ପାଞ୍ଚଟି ମାମଲା ରିପୋର୍ଟ ହୋଇଛି। ଏହି ପାଞ୍ଚଜଣ ରୋଗୀ ଧରୱାଡ, ଭଦ୍ରାବତୀ, ଉଡୁପି (୨) ଏବଂ ମାଙ୍ଗାଲୁରୁର ବୋଲି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଡ ସୁଧାକର ସୂଚନା ଦେଇଛନ୍ତି।
ଭାରତର ବର୍ତ୍ତମାନ ଓମିକ୍ରନ୍ ମାମଲା ସଂଖ୍ୟା ୧୬୩ରେ ପହଞ୍ଚିଛି। କେନ୍ଦ୍ରୀୟ ଏବଂ ରାଜ୍ୟ ଅଧିକାରୀଙ୍କ ଅନୁଯାୟୀ, ମହାରାଷ୍ଟ୍ର (୫୪), ଦିଲ୍ଲୀ (୨୪), ରାଜସ୍ଥାନ (୧୭) ଏବଂ କର୍ଣ୍ଣାଟକ (୧୯), ତେଲେଙ୍ଗାନା (୨୦), ଗୁଜୁରାଟରେ (୧୧), କେରଳ (୧୧), ଆନ୍ଧ୍ରପ୍ରଦେଶ (୧), ଚଣ୍ଡିଗଡ଼ (୧), ତାମିଲନାଡୁ (୧) ଏବଂ ପଶ୍ଚିମବଙ୍ଗରେ ୪ଟି ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୁଲେଟିନ୍ ଅନୁଯାୟୀ, ସୋମବାର ଦେଶରେ ୬୫୬୩ ନୂତନ କୋଭିଡ ମାମଲା ରିପୋର୍ଟ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩୨ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ସେହିଭଳି ୮୦୭୭ ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ବର୍ତ୍ତମାନ ୮୨୨୬୭ଟି ସକ୍ରିୟ ମାମଲା ରହିଛି।