ମୁସ୍କିଲ୍ ହେବ କୋରୋନା ବିରୋଧି ଲଢେଇ! ସଂକ୍ରମଣକୁ ନେଇ ଆସିଲା ଚିନ୍ତାଜନକ ଖବର
Advertisement

ମୁସ୍କିଲ୍ ହେବ କୋରୋନା ବିରୋଧି ଲଢେଇ! ସଂକ୍ରମଣକୁ ନେଇ ଆସିଲା ଚିନ୍ତାଜନକ ଖବର

ଜଣେ ୯୦ ବର୍ଷ ବୟସ୍କା ମହିଳାଙ୍କ ଠାରେ ଗୋଟିଏ ସମୟରେ କୋରୋନାର ଦୁଇଟି ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଏହି ପ୍ରକାରର ବିରଳ ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି।

ପ୍ରତିକାତ୍ମକ ଫଟୋ

ବ୍ରୁସେଲ୍ସ: କୋରୋନାକୁ ନେଇ ବେଲଜିୟମରୁ ଆସିଥିବା ଏକ ଖବାର ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି। ଜଣେ ୯୦ ବର୍ଷ ବୟସ୍କା ମହିଳାଙ୍କ ଠାରେ ଗୋଟିଏ ସମୟରେ କୋରୋନାର ଦୁଇଟି ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଏହି ପ୍ରକାରର ବିରଳ ଘଟଣା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ସେମାନେ କହିଛନ୍ତି, ଯେ ଏହା ପୂର୍ବ ଅପେକ୍ଷା ଭୂତାଣୁ ମୁକାବିଲାକୁ ଅଧିକ କଷ୍ଟସାଧ୍ୟ କରିପାରେ।

ସୂଚନା ଅନୁସାରେ, ମାର୍ଚ୍ଚ ୨୦୨୧ରେ ଜଣେ ବେଲଜିୟମ ମହିଳା କୋରୋନା (Coronavirus) ର ଦୁଇଟି ଭିନ୍ନ ଭିନ୍ନ ଭ୍ୟାରିଆଣ୍ଟରେ ସଂକ୍ରମିତ ହେବା ପରେ ମୃତ୍ୟୁ ବରଣ କରିଥିଲେ। ମହିଳା ଏକାସାଙ୍ଗରେ ଆଲଫା ଏବଂ ବିଟା ଭ୍ୟାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ମହିଳା ଜଣକ କୋରୋନା ଟିକା (Vaccine) ନେଇନଥିଲେ, ଯେଉଁଥିପାଇଁ ତାଙ୍କ ଅବସ୍ଥା ଭଲ ହେବା ପରିବର୍ତ୍ତେ ଗମ୍ଭୀର ହୋଇଯାଇଥିଲା ବୋଲି ଡାକ୍ତର କହିଛନ୍ତି। ମାର୍ଚ୍ଚ ମାସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ୫ ଦିନର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

Also Read: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୭୦୦ରୁ ଉର୍ଦ୍ଧ୍ୱ ଲୋକ

ପ୍ରାରମ୍ଭରେ ମହିଳାଙ୍କ ଅମ୍ଳଜାନ ସ୍ତର ଭଲ ଥିଲା, କିନ୍ତୁ ପରେ ତାଙ୍କ ସ୍ୱାସ୍ଥ୍ୟ ଦ୍ରୁତ ଗତିରେ ଖରାପ ହୋଇଗଲା। ସେଥିପାଇଁ ଡାକ୍ତରଖାନା ଜାଣିବାକୁ ଚେଷ୍ଟା କଲା ଯେ କରୋନାର କେଉଁ ଭ୍ୟାରିଆଣ୍ଟରେ ମହିଳା ସଂକ୍ରମିତ ହୋଇଥିଲେ। ସେଥିରେ ଉଭୟ ଆଲଫା ଏବଂ ବିଟା ଭ୍ୟାରିଆଣ୍ଟ ଦେଖିବାକୁ ମିଳିଥିଲା। ଉଲ୍ଲେଖନୀୟ କଥା ହେଉଛି, ଆଲଫା ପ୍ରଥମେ ବ୍ରିଟେନ (Britain) ରେ ମିଳିଥିଲାବେଳେ ବିଟା ଭାରିଆଣ୍ଟ ପ୍ରଥମେ ଦକ୍ଷିଣ ଆଫ୍ରିକା (South Africa) ରେ ମିଳିଥିଲା ​।

ଡାକ୍ତରୀ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହା କୋରୋନା ସହ-ସଂକ୍ରମଣର ପ୍ରଥମ ଘଟଣା। ଯେଉଁଥିରେ ଗୋଟିଏ ଶରୀରରେ ଦୁଇଟି ପ୍ରକାର ଦେଖିବାକୁ ମିଳିଥିଲା। ଏହିପରି ବିଷୟଗୁଡିକ ଚିନ୍ତାର ବିଷୟ ଏବଂ ଏହାକୁ ଗୁରୁତର ସହ ନିଆଯିବା ଉଚିତ୍। ଡ. ଆନ୍ ଭେଙ୍କର୍ବେନ୍ କହିଛନ୍ତି ଯେ, କୋରୋନାର ଆଲଫା ଏବଂ ବିଟା ଭାରିଆଣ୍ଟ ବେଲଜିୟମରେ ଅଛି। ଏଭଳି ପରିସ୍ଥିତିରେ ମହିଳା ଦୁଇଜଣ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ମାଧ୍ୟମରେ ସଂକ୍ରମିତ ହୋଇଥିଲେ। ତେବେ ସେ କିପରି କୋରୋନାଙ୍କ ସଂସ୍ପର୍ଷରେ ଆସିଥିଲେ ତାହା ଜାଣିହେବ ନାହିଁ।