ଗେହଲଟଙ୍କ ଭାଇ ଅଗ୍ରସେନଙ୍କ ଘରେ ପଶିଲା ଇଡି
Advertisement

ଗେହଲଟଙ୍କ ଭାଇ ଅଗ୍ରସେନଙ୍କ ଘରେ ପଶିଲା ଇଡି

 ଏହା ପୂର୍ବରୁ ଅଶୋକ ଗେହଲଟଙ୍କ ନିକଟତର ଲୋକଙ୍କ ଉପରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଥିଲା । 

ଫାଇଲ ଫଟୋ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଭାଇ ଅଗ୍ରସେନ ଗେହଲଟଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ତଥାକଥିତ ସାର ଘୋଟାଲ ନେଇ ଏହି ଚଢ଼ାଉ ହୋଇଛି । ଏହି ମାମଲାରେ ଦେଶବ୍ୟାପି ଚଢାଉ କରୁଛି ଇଡି । ୨୦୧୭ରେ ଅଗ୍ରସେନଙ୍କ ନାଁରେ ଅଭିଯୋଗ ଆଣିଥିଲା ଭାରତୀୟ ଜନତା ପାର୍ଟି । ଦଳର ଅଭିଯୋଗ ଏହା ଯେ, ୨୦୦୭ରୁ ୨୦୦୯ ମଧ୍ୟରେ ଯେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା, ସେତେବେଳେ ଅଗ୍ରସେନ ଗେହଲଟ ସବସିଡିଯୁକ୍ତ ସାର ରପ୍ତନି କରିଥିଲେ । ସୂତ୍ର ଅନୁସାରେ, ଏହି ମାମଲାରେ  ଇଡି ଅନେକ ସ୍ଥାନରେ ଚଢ଼ାଉ କରୁଛି । 

ଏହି ମାମଲାରେ କ୍ଲୋରାଇଡ ପୋଟାଶ(muriate of potash) ରପ୍ତାନି ନେଇ ଅଭିଯୋଗ ରହିଛି । ଏହି ସାର ରପ୍ତାନି ବେଆଇନ । Indian Potash Limited ଦେଶରେ MoP ଆମଦାନୀ କରେ । ଏହାକୁ ସବସିଡି ସହ ଚାଷୀଙ୍କୁ ବିକ୍ରି କରାଯାଏ । 

ଅଗ୍ରସେନଙ୍କ ନାଁରେ କ'ଣ ରହିଛି ଅଭିଯୋଗ ?

୨୦୦୭ରୁ ୨୦୦୯ ମଧ୍ୟରେ ଯେତେବେଳେ ଅଗ୍ରସେନ IPLର ସ୍ୱୀକୃତିପ୍ରାପ୍ତ ଡିଲର ଥିଲେ, ସେତେବେଳେ ସବସିଡି ହାରରେ MoP କିଣିଥିଲେ । କିନ୍ତୁ ଏହା ଚାଷୀଙ୍କୁ ବିକ୍ରି କରିବା ପରିବର୍ତ୍ତେ କିଛି କମ୍ପାନୀକୁ ବିକ୍ରି କରାଯାଇଥିଲା । ପରବର୍ତ୍ତି ସମୟରେ ଏହାର ନାମ ଇଣ୍ଡଷ୍ଟ୍ରିଆଲ୍ ସଲ୍ଟ ରଖି ମାଲେସିଆ ଏବଂ ସିଙ୍ଗାପୁରକୁ ରପ୍ତାନି ହୋଇଥିଲା । ୨୦୧୨-୧୩ରେ Directorate of Revenue Intelligence ଦ୍ୱାରା ଏହାର ଖୁଲାସା ହୋଇଥିଲା । 

କହିରଖୁଛୁ, ଏହା ପୂର୍ବରୁ ଅଶୋକ ଗେହଲଟଙ୍କ ନିକଟତର ଲୋକଙ୍କ ଉପରେ ମଧ୍ୟ ଆୟକର ବିଭାଗ ଚଢ଼ାଉ କରିଥିଲା । ସୂତ୍ର ଅନୁସାରେ, ଏହି ଚଢ଼ାଉ ସମୟରେ ୧୨ କୋଟି ନଗଦ ଟଙ୍କା ଓ ୧କୋଟି ୭୦ ଲକ୍ଷ ଟଙ୍କାର ଗହଣା ଜବତ କରିଥିଲା ଆୟକର ବିଭାଗ ।