)
ଭୁବନେଶ୍ୱର: ଶେଷରେ ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ସେପ୍ଟେମ୍ବର ୩୦ରେ ପିପିଲି ସମେତ ଦେଶର ୪ଟି ସ୍ଥାନରେ ଉପ ନିର୍ବାଚନ ହେବ ବୋଲି ଶନିବାର ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ପଞ୍ଚିମବଙ୍ଗର ସାମଶେରଗଞ୍ଜ, ଜାଙ୍ଗିରପୁର ଓ ଭବାନୀପୁର ନିର୍ବାଚନ ମଣ୍ଡଳିରେ ସମାନ ତାରିଖରେ ଉପ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛି।
ତୃତୀୟ ଥର ପାଇଁ ପିପିଲି ଉପ ନିର୍ବାଚନ ନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିନଥିଲେ ମଧ୍ୟ ମତଦାନ କରିବାକୁ ଆୟୋଗ ନିଷ୍ପତ୍ତି ନେଇଛି। ଶନିାବାର ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ହେବ। ଏଥିପାଇଁ ସେପ୍ଟେମ୍ବର ୧୩ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ୧୬ ସୁଦ୍ଧା ପ୍ରତ୍ୟାହାର କରାଯିବ। ସେହିପରି ଗାନ୍ଧୀ ଜୟନ୍ତୀ ପରେ ଅକ୍ଟୋବର ତିନି ତାରିଖରେ ଭୋଟ ଗଣତି ହେବ।
ପିପିଲି ପାଇଁ ଆଜିଠାରୁ ଲାଗୁ ହେଲା ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ନେଇ ରାଜନୈତିକ ଦଳ ଗୁଡିକୁ ଅନୁମତି ଦିଆଯାଇଛି। ଷ୍ଟାର କ୍ୟାମ୍ପେନର ତାଲିକା ୨୦ରେ ସୀମିତ ରଖିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିବା ବେଳେ ରୋଡ୍ ଶୋ, ବାଇକ୍ ଓ ସାଇକେଲ ରାଲି ଉପରେ କଟକଣା ଲଗାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ୨ ଥର ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପିପିଲିର ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଉପନିର୍ବାଚନ ତାରିଖ ଘୋଷଣା ହୋଇଥିଲା। ପ୍ରଥମେ ଏପ୍ରିଲ ୧୬ରେ ଭୋଟ ପଡିବାକୁ ଥିବା ବେଳେ ୧୩ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହେବାରୁ ନିର୍ବାଚନ ସ୍ଥଗିତ ହେଲା। ପରେ କୋରୋନା ପାଇଁ ମେ ୧୬ରେ ମଧ୍ୟ ନିର୍ବାଚନ ହୋଇ ପାରିଲା ନାହିଁ।
ଏବେ ତୃତୀୟ ଥର ପାଇଁ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। କିନ୍ତୁ ସେପ୍ଟେମ୍ବର-ଅକ୍ଟୋବର ବେଳକୁ କୋରୋନା ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ଏପରି ସମୟରେ ନିର୍ବାଚନ କରିବା କେତ ଦୂର ଯୁକ୍ତିଯୁକ୍ତ? ଅନ୍ୟପଟେ ଆସନ୍ତା ୯ ତାରିଖରେ ବିଧାନସଭା ଅଧିବେଶନ ଶେଷ ହେବ। ବିଜେପି-ବିଜେଡି ପ୍ରାର୍ଥୀ ଏକ ପ୍ରକାରର ଚୂଡାନ୍ତ ହୋଇଥିବା ବେଳେ କଂଗ୍ରେସ ପାଇଁ ଅଡୁଆ ବଢିଯାଇଛି।
ପିପିଲି ପାଇଁ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପୂର୍ବରୁ ବିଜେଡି ପ୍ରର୍ଥୀ ଘୋଷଣା କରିଥିଲା। ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକଙ୍କୁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ସେ ଉଭୟେ ଅପରିବର୍ତ୍ତିତ ରହିବେ ବୋଲି ଆଶା କରାଯାଉଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ମଧ୍ୟରୁ ଜଣକୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସ ଚାହୁଁଥିଲା। କିନ୍ତୁ ଅଜିତଙ୍କ ପରିବାରରୁ କେହି ନିର୍ବାଚନ ଲଢ଼ିବେ ନାହିଁ ବୋଲି ସିଧାସଳଖ ମନା କରିସାରିଛନ୍ତି।