)
ନୂଆଦିଲ୍ଲୀ: କୋରୋନା ମହାମାରୀ ପରେ ଆରମ୍ଭ ହୋଇଛି ଟେଷ୍ଟ ଟୁର୍ଣ୍ଣାମେଣ୍ଟ। କିନ୍ତୁ ବିନା ଦର୍ଶକରେ ଆରମ୍ଭ ହୋଇଛି ଏହି ଟୁର୍ଣ୍ଣାମେଣ୍ଟ। ତେବେ କୋରୋନା ପରେ ଓ୍ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ଟୁର୍ଣ୍ଣାମେଣ୍ଟ। ମାତ୍ର ଏହି ଟେଷ୍ଟ ମ୍ୟାଚକୁ ଦେଖିବାକୁ ପାଇଁ ଷ୍ଟାଡ଼ିୟମ ଗ୍ୟାଲେରୀରେ କୌଣସି ଦର୍ଶକଙ୍କୁ ଅନୁମତି ଦିଆଯାଇନାହିଁ। ତେବେ ଘରୋଇ ଇଂଲଣ୍ଡ ଓ ଓ୍ୱଷ୍ଟେଇଣ୍ଡିଜ ମଧ୍ୟରେ ଚାଲିଥିବା ଏହି ଟେଷ୍ଟ ମ୍ୟାଚଟି ଏକ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି।
ମ୍ୟାଚର ତୃତୀୟ ଦିନରେ ଭ୍ରମଣକାରୀ ଓ୍ୱେଷ୍ଟଇଣ୍ଡିଜ ଟିମ ତାର ପ୍ରଥମ ଇଂନିସ ପାଳି ଆରମ୍ଭ କରିଥିଲା। ଆରମ୍ଭରୁ କ୍ରାଇଗ ବ୍ରେଥଓ୍ୱେଟ ଓ ଜନ କ୍ୟାମ୍ପବେଲ ପାଳି ଆରମ୍ଭ କରିଥିଲେ। ଆରମ୍ଭରୁ ଭଲ ପାଳି ଆରମ୍ଭ କରିଥିବା ବେଳେ ମାତ୍ର ୨୮ ରନ କରି କ୍ୟାମ୍ପବେଲ ପାଭିଲିୟନ ଫେରିଥିଲେ। ସାଇ ହୋପ ତାଙ୍କ ସ୍ଥାନରେ ଆସିଥିଲେ। ମାତ୍ର ସେ ମଧ୍ୟ ବେଶି ସମୟ ମୈଦାନରେ ତିଷ୍ଠି ପାରିନଥିଲେ। ମାତ୍ର ୧୬ ରନ କରି ସେ ମଧ୍ୟ କ୍ୟାଚ ଆଉଟ ହୋଇ ପାଭିଲିୟନ ଫେରିଥିଲେ। ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଓ୍ୱେଷ୍ଟଇଣ୍ଡିଜ ଦୁଇଟି ଓ୍ୱିକେଟ ହରାଇ ୧୦୭ ରନ କରି ଖେଳ ଜାରି ରଖିଛି।
ଘରୋଇ ଇଂଲଣ୍ଡ ପକ୍ଷରୁ ଜେମସ ଆଣ୍ଡରସନ ଓ ଡମ ବେସ ଗୋଟିଏ ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଛନ୍ତି। ଆଣ୍ଡରସନ ୧୨ ଓଭର ବୋଲିଂ କରି ୬ଟି ମେଡେନ ଓଭର ସହିତ ୨୫ ରନ ବ୍ୟୟ କରିଛନ୍ତି। ସେହିପରି ଡମ ବେସ ୪ ଓଭର ବୋଲିଂ କରି ଗୋଟିଏ ଓଭର ମେଡେନ ସହିତ ୧୦ ରନ ବ୍ୟୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜୋଫ୍ରା ଆର୍ଚର, ମାର୍କ ଉଡ଼ ଓ ବେନ ଷ୍ଟୋକ୍ସ କୌଣସି ଓ୍ୱିକେଟ ହାତେଇ ପାରିନାହାନ୍ତି।
ପ୍ରଥମେ ଟସ ଜିତି ବ୍ୟାଟିଂ ଆରମ୍ଭ କରିଥିବା ଇଂଲଣ୍ଡ ତାର ପ୍ରଥମ ପାଳିରେ ୨୦୪ ରନ କରି ଅଲଆଉଟ ହୋଇଯାଇଛି। ତେବେ ବର୍ଷା କାରଣରୁ ଏହି ମ୍ୟାଚ କିଛି ସମୟ ପାଇଁ ବ୍ୟାଘାତ ହୋଇଥିଲା। ପ୍ରଥମ ପାଳିରେ ଇଂଲଣ୍ଡ ନିଶ୍ଚିତ ପକ୍ଷେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ବେନ ଷ୍ଟୋକସ ସର୍ବାଧିକ ୪୩ ରନ କରିଥିବା ବେଳେ ଜୋସ ବଟଲର ୩୫ ରନ, ରୋରି ବର୍ଣ୍ଣସ ୩୦ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୋଏ ଡେନଲୀ ୧୮, ଓଲି ପୋପ ୧୨, ଡମ ବେସ ୩୧, ଜ୍ୟାକ କ୍ରଲି ୧୦, ଜେମସ ଆଣ୍ଡରସନ ୧୦ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେଭଳି କୌଣସି ଖେଳାଳି ଆଖି ଦୃଶିଆ ପ୍ରଦର୍ଶନ କରିନଥିଲେ।
ଓ୍ୱେଷ୍ଟଇଣ୍ଡିଜ ପକ୍ଷରୁ ଜାସନ ହୋଲ୍ଡର ଓ ସାନନ ଗାବ୍ରିଏଲ ଇଂଲଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ। ଉଭୟେ ଯଥାକ୍ରମେ ୬ ଓ ୪ଟି ଲେଖାଏଁ ଓ୍ୱିକେଟ ଅକ୍ତିଆର କରିଥିଲେ। ସାନନ ଗାବ୍ରିଏଲ ୧୫.୩ ଓଭର ବୋଲିଂ କରି ୩ ମେଡେନ ଓଭର ଓ ୬୨ ରନ ବ୍ୟୟ କରି ୪ଟି ଓ୍ୱିକେଟ ଅକ୍ତିଆର କରିଥିଲେ। ସେହିପରି ଜାସନ ହୋଲ୍ଡର ୨୦ ଓଭର ବୋଲିଂ କରି ୬ଟି ମେଡେନ ଓଭର ସହିତ ୪୨ ରନ ବ୍ୟୟ କରି ଅବଶିଷ୍ଟ ୬ଟି ଓ୍ୱିକେଟ ଅକ୍ତିଆର କରିଥିଲେ। ଏହି ଦୁଇ ବୋଲରଙ୍କର ଘାତକ ବୋଲିଂ ଫଳରେ ଇଂଲଣ୍ଡର ବ୍ୟାଟିଂ ଭୁଶୁଡ଼ି ପଡ଼ିଥିଲା।