)
ସମ୍ବଲପୁର: ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ଦେଶର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି । ଚାଷ କ୍ଷେତ୍ରରେ ମଧ୍ୟ ବ୍ୟାପିକ କ୍ଷତି ସହିଛନ୍ତି ଚାଷୀ କୂଳ। ଆର୍ଥିକ ଅନଟନରେ ରହୁଥିବା ଚାଷୀ ଖରିଫ ଫସଲକୁ ନେଇ ଆଗକୁ ଆହୁରି ସମସ୍ୟା ସମ୍ମୁଖୀନ ହେବେ । ଗୋଟିଏ ପଟେ ସରକାରଙ୍କ ନିଜସ୍ୱ ଷ୍ଟୋର କିମ୍ବା ଗୋଦାମ ଘର ନ ଥିବାବେଳେ ଏପଟେ ସମସ୍ତଙ୍କୁ କୋରୋନା ଛାଟ ପଡିଛି । ଏମିତିରେ ତ ମିଲର୍ସ ଚାଷୀଙ୍କୁ ଶୋଷଣ କରି ଆସୁଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏପରି ପରିସ୍ଥିତ କିଏ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେବେ ।
ରାଜ୍ୟରେ ସର୍ବାଧିକ ଧାନ ଚାଷ ବରଗଡ ପରେ ସମ୍ବଲପୁର ଜିଲ୍ଲାରେ ଉତ୍ପାଦିତ ହୋଇଥାଏ । ହୀରାକୁଦ ଡ୍ୟାମର ଜଳସେଚିତ ଅଞ୍ଚଳରେ ଏହି ଦୁଇଟି ଜିଲ୍ଲାର ଅଧିକାଂଶ ଅଞ୍ଚଳ ରହିଛି । ଫଳରେ ଏହି ଦୁଇ ଜିଲ୍ଲାରେ ଉଭୟ ଖରିଫ ଓ ରବି ଋତୁରେ ଧାନ ଚାଷ କରାଯାଏ । ହେଲେ ଧାନ କିଣାବିକାକୁ ନେଇ ଏଠାକାର ଚାଷୀ ନାନା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ହୀରକୁଦର କମାଣ୍ଡ ଅଞ୍ଚଳରୁ ପର୍ଯ୍ୟାପ୍ତ ପରିମାଣର ଧାନ ଚାଷ ସତ୍ତ୍ୱେ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିପାରୁ ନାହିଁ । ଯାହାକୁ ନେଇ ବିଭିନ୍ନ ସମୟରେ ଅସନ୍ତୋଷ ଦେଖିବାକୁ ମିଳେ ।
ସେପଟେ ୨୦୦୩ ମସିହାରେ ୱେର ହାଉସ ଓ ଗୋଦାମ ବ୍ୟବସ୍ଥା ଲାଗୁ କରିବାକୁ ଚାଷୀ ସଙ୍ଗଠନ ଦାବି କରିଥିଲେ ମଧ୍ୟ ଆଜି ଯାଏଁ ପୁରା ହୋଇପାରି ନାହିଁ । କେବଳ କାଗଜ କଲମରେ ସୀମିତ ରହିଯାଇଛି ଚାଷୀଙ୍କ ଗୋଦାମ ଘରର ସ୍ୱପ୍ନ । ରାଜ୍ୟ ସରକାରଙ୍କ ଧାନ କିଣା ନୀତିରେ ମୂଳରୁ ହିଁ ୱେର ହାଉସ କିମ୍ବା ଷ୍ଟୋରର ବ୍ୟବସ୍ଥା ନାହିଁ। ଆଉ ତ୍ରୁଟିପୂର୍ଣ୍ଣ କୃଷିନୀତି ଯୋଗୁଁ ରାଜ୍ୟର ଚାଷୀକୂଳ ସବୁବେଳେ କ୍ଷତି ସହି ଆସୁଛନ୍ତି । ଯାହାକୁ ନେଇ ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ ସମନ୍ୱୟ ସମିତି ଆବାହକ ଅଶୋକ ପ୍ରଧାନ ଅଭିଯୋଗ ଆଣିଛନ୍ତି ।
ସେହିପରି ସମବାୟ ସମିତି ଜରିଆରେ ସରକାର ଜିଲ୍ଲାର ଚାଷୀଙ୍କ ଠାରୁ ୭ ହଜାର କୋଟି ଟଙ୍କାର ଧାନ କିଣୁଛନ୍ତି । ହେଲେ ସରକାରଙ୍କ ନିଜସ୍ୱ ୱେର ହାଉସ ନଥିବାରୁ ସିଧାସଳଖ ସମସ୍ତ ଧାନକୁ ମିଲକୁ ପଠାଇ ଦିଆଯାଉଛି । ଆଉ ଯାହାର ଫାଇଦା ମିଲର୍ସମାନେ ନେଉଥିବା ଅଭିଯୋଗ ହେଉଛି। ଧାନର ମାନ ଭଲ ନାହିଁ କହି ୧ କ୍ୱିଣ୍ଟାଲ ପିଛା ୧୦ କେଜି ପର୍ଯ୍ୟନ୍ତ କାଟି ଦେଉଛନ୍ତି । ଫଳରେ କଟନୀଛଟନୀର ଶିକାର ହେଉଛନ୍ତି । ଏପରିକି ଧାନ କିଣିବା ପରେ ୧ କ୍ୱିଣ୍ଟାଲ ଧାନ ବଦଳରେ ମିଲର ସରକାରଙ୍କୁ ୬୮ କେଜି ଧାନ ଦେବା କଥା । ୱେର ହାଉସ ନଥିବାରୁ ମିଲର କେତେ ଧାନ ନେଉଛନ୍ତି ଓ କେତେ ପରିମାଣର ଚାଉଳ ଫେରାଉଛନ୍ତି ତାହାର ମଧ୍ୟ ହିସାବ ନାହିଁ । ଏପରି ମିଲର୍ସଙ୍କ ଉପରେ ସରକାର ପଦକ୍ଷେପ ଲୋକ ଦେଖାଣିଆ ସ୍ୱରୂପ ବ୍ଲାକ ଲିଷ୍ଟ କରିଦିଅନ୍ତି। ଓଲଟା ବିଭିନ୍ନ ସମସ୍ୟା ଦେଖାଇ ମିଲରମାନେ ପ୍ରଶାସନକୁ ବ୍ଲାକ ମେଲ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । କେତେକ ଅସାଧୁ ମିଲର ନିଜ ମିଲରେ ଥିବା ସରକାରୀ ଧାନକୁ ଦେଖାଇ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରୁ କୋଟି କୋଟିର ଋଣ ଆଣୁଛନ୍ତି ବୋଲି ଚାଷୀ ନେତା ଅଶୋକ ପ୍ରଧାନ କହିଛନ୍ତି ।
ଏହି ପ୍ରସଙ୍ଗରେ ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାଏକ କହିଛନ୍ତି, ସେମାନେ ଦୀର୍ଘ ବର୍ଷ ହେବ ଧାନ ପ୍ରକ୍ରିୟାରେ ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କ ପାଖରେ ଦାବି କରି ଆସୁଛନ୍ତି । ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷି ନୀତି ପାଇଁ ଚାଷୀ ନାହିଁ ନ ଥିବା ଯନ୍ତ୍ରଣା ଭୋଗୁଛି । ତେଣୁ ଏହି କୃଷି ନୀତିରେ ପରିବର୍ତ୍ତନ ଆଣିବାକୁ ସେ ଦାବି କରିଛନ୍ତି । ଅନ୍ୟପଟେ ଜିଲ୍ଲା ଯୋଗାଣ ଅଧିକାରୀ ମୁହଁ ଖୋଲୁନାହାଁନ୍ତି । ରାଜ୍ୟର ପଡୋଶୀ ରାଜ୍ୟମାନଙ୍କରେ ୱେର ହାଉସର ବ୍ୟବସ୍ଥା ରହିଛି । ୱେର ହାଉସରେ ଚାଷୀ ବିକ୍ରି କରିଥିବା ଧାନର କୌଣସି କ୍ଷତି ହେଲେ ତାହା ସରକାର ହିଁ ଭରଣା କରନ୍ତି । କିନ୍ତୁ ଓଡିଶାରେ ସବୁ ଧାନ ମିଲକୁ ଯିବା ସହ ଧାନରେ କ୍ଷତି ହେଲେ ଚାଷୀଙ୍କୁ ଭରଣା ଭରିବାକୁ ହୁଏ । ଯାହା ଦ୍ୱାରା ଓଡିଶାର ଚାଷୀ ସର୍ବଦା ସରକାର-ମଲିର୍ସଙ୍କ ମଧୁଚନ୍ଦ୍ରିକାରେ ଛନ୍ଦି ହୋଇ ନାନା ଶୋଷଣ ଶିକାର ହେବାକୁ ପଡୁଛି।