୩୭୦ ଧାରା ଉଚ୍ଛେଦର ପ୍ରଥମ ବର୍ଷପୂର୍ତ୍ତୀ; ଦେଶବ୍ୟାପୀ 'ଏକ ଭାରତ, ଏକାତ୍ମ ଭାରତ' ଅଭିଯାନ ଚଳାଇବ ବିଜେପି

ଚଳିଚ ବର୍ଷ ଅଗଷ୍ଟ ୫ ତାରିଖ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଲାଗି ବେଶ ସ୍ମରଣୀୟ ହେବାକୁ ଯାଉଛି ।

୩୭୦ ଧାରା ଉଚ୍ଛେଦର ପ୍ରଥମ ବର୍ଷପୂର୍ତ୍ତୀ; ଦେଶବ୍ୟାପୀ 'ଏକ ଭାରତ, ଏକାତ୍ମ ଭାରତ' ଅଭିଯାନ ଚଳାଇବ ବିଜେପି

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରକୁ ପୃଥକ ପରିଚୟ ପ୍ରଦାନ କରୁଥିବା ସାମ୍ବିଧାନିକ ବ୍ୟବସ୍ଥା ଅର୍ଥାତ ୩୭୦ ଏବଂ ୩୫(ଏ) ଧାରାକୁ ଗତବର୍ଷ ଅଗଷ୍ଟ ୫ ତାରିଖରେ କେନ୍ଦ୍ରରେ କ୍ଷମତାସୀନ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାରଙ୍କ ଦ୍ୱାରା ହଟା ଯାଇଥିଲା। ସଂସଦରେ ବହୁମତ ସହ ସମ୍ବିଧାନର ଏହି ଧାରାକୁ ରଦ୍ଦ କରି ଦେଇଥିଲେ ମୋଦି ସରକାର । ହେଲେ ଏବେ ଏହାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବିଜେପି ସାରା ଦେଶରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ।

ଉଭୟ ୩୭୦ ଏବଂ ୩୫(ଏ) ଧାରା ରଦ୍ଦ ହେବାର ପ୍ରଥମ ବାର୍ଷିକୀ ଅବସରରେ କେନ୍ଦ୍ରରେ କ୍ଷମତାସୀନ ଶାସକ ବିଜେପି ପକ୍ଷରୁ ଚଳିତ ବର୍ଷ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଦେଶବ୍ୟାପୀ କାର୍ଯ୍ୟକ୍ରମ ଚଳାଇବ। ବିଜେପି ଏକ ସପ୍ତାହ ପାଇଁ ସମଗ୍ର ଦେଶରେ 'ଏକ ଭାରତ,ଏକାତ୍ମ ଭାରତ' ଅଭିଯାନ ଚଳାଇବ ।

କରୋନା ଭାଇରସକୁ ଦୃଷ୍ଟିରେ ରଖି ବିଜେପି ଏହି ଅବସରରେ ସାରା ଦେଶରେ ଭର୍ଚୁଆଲ୍ ରାଲି, ସମ୍ବାଦ କାର୍ଯ୍ୟକ୍ରମ, ସାମୁଦାୟିକ କାର୍ଯ୍ୟକ୍ରମ, ସୋସିଆଲ୍ ମିଡିଆ ଅଭିଯାନ ଏବଂ ସାମ୍ବାଦିକ ସମ୍ମିଳନୀ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏହି ପ୍ରସଙ୍ଗରେ ଉଭୟ ଗୃହରେ ଦେଇଥିବା ଭାଷଣକୁ ଦଳ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ଦଳ।

ଜନସାଧାରଣଙ୍କ ସହ ହେବ ସମ୍ବାଦ କାର୍ଯ୍ୟକ୍ରମ 

ଉଭୟ ୩୭୦ ଏବଂ ୩୫(ଏ) ଧାରା ରଦ୍ଦ ହେବାର ପ୍ରଥମ ବାର୍ଷିକୀ ଅବସରରେ ସମସ୍ତ ରାଜ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଏବଂ ସଚେତନ ନାଗରିକଙ୍କ ମଧ୍ୟରେ ସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି ଦଳ । ଏହି କାର୍ଯ୍ୟକ୍ରମ ଅଧିନରେ, ପ୍ରତ୍ୟେକ ଜିଲ୍ଲାରେ ୫୦ରୁ ବୁଦ୍ଧିଜୀବୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗାଯୋଗ କରିବ ଦଳ । ଏହି ଧାରା ହଟାଯିବା ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସେଠାରେ କରାଯାଇଥିବା କାର୍ଯ୍ୟ ବାବଦରେ ଅବଗତ କରାଯିବ ।

ସୋସିଆଲ ମିଡିଆ ମାଧ୍ୟମରେ ଅଭିଯାନ ଚଳାଇବ ଦଳ

ଚଳିତ ବର୍ଷ ଅଗଷ୍ଟ ୩ ତାରିଖରେ ଦେଶର ପ୍ରତ୍ୟେକ ରାଜ୍ୟରେ ବିଜେପି ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ କରିବ। ଏହା ବ୍ୟତୀତ ସୋସିଆଲ ମିଡିଆରେ ୨୮ ଜୁଲାଇରୁ ୩ଅଗଷ୍ଟ ପର୍ଯ୍ୟନ୍ତ ଏକ ସପ୍ତାହ ପାଇଁ 'ଏକ ଭାରତ, ଏକାତ୍ମ ଭାରତ' ନାମକ ଏକ ଅଭିଯାନ ମାଧ୍ୟମରେ ଏ ପ୍ରସଙ୍ଗରେ ପ୍ରଚାର କରିବ।

ଉଭୟ ୩୭୦ ଏବଂ ୩୫(ଏ) ଧାରା ହଟାଯିବା ପରେ ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଦଳ ନିଷ୍ପତ୍ତି ନେଇଛି। ଉଭୟ କେନ୍ଦ୍ର ଶାସିତ ଅଞ୍ଚଳରେ ଗତ ଏକ ବର୍ଷ ମଧ୍ୟରେ ମୋଦି ସରକାରଙ୍କ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟ ବାବଦରେ ଜନସାଧାରଣଙ୍କୁ ଅବଗତ କରାଯିବ । ଏଥିଲାଗି ଦଳର ବରିଷ୍ଠ ନେତା ଅଗଷ୍ଟ ୫ ତାରିଖରେ ସେଠାକୁ ଗସ୍ତ କରିବେ।

ଚଳିତ ବର୍ଷ ଅଗଷ୍ଟ ୫ ତାରିଖରେ ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ଲାଗି ଭୂମି ପୂଜନ ହେବାକୁ ଯାଉଥିବା ବେଳେ, ଅନ୍ୟ ପଟେ ସେହି ସମାନ ଦିନରେ ୩୭୦ ଏବଂ ୩୫(ଏ) ଧାରା ହଟାଯିବାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ହେବା ପରେ ବିଜେପି ପକ୍ଷରୁ 'ଏକ ଭାରତ, ଏକାତ୍ମ ଭାରତ' ଅଭିଯାନ କରିବ। ଏପରି କାର୍ଯ୍ୟକ୍ରମ ଆୟୋଜନ କରିବା ପଛରେ ଉଦ୍ଦେଶ୍ୟ ହେଉଛି ବିଜେପି ଯାହା କହେ, ତାହା କାର୍ଯ୍ୟକାରୀ କରେ ବୋଲି ଦଳ ଦେଶବାସୀଙ୍କୁ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରୁଛି।