ଡମକୁ ୬ମାସ ପୁରିବ, ଜନ୍ମଦିନ ପାଳିବ
Trending Photos
)
ନୂଆଦିଲ୍ଲୀ: କୋରୋନା ସହ ଲଢ଼େଇ । ୩୨ ଦିନର କୋମା ଜୀବନ । ସିଏ ଦିଏ ମୃତ୍ୟୁକୁ ମାତ୍ । ବୟସ 0.୫ ବର୍ଷ । ଲଢ଼େଇ ୫୪ ଦିନର । ଜୀବନ-ମୃତ୍ୟୁର ରେସରେ ସିଏ ବିଜୟୀ । ତା ନାଁ ଡମ୍(Dom) । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ୱିତୀୟରେ ରହିଥିବା ବ୍ରାଜିଲର ଡମ୍ । ସମଗ୍ର ବିଶ୍ୱରେ ଏବେ ତାକୁ ନେଇ ଚର୍ଚ୍ଚା । ଆଉ ଅଳ୍ପ ଦିନ ଭିତରେ ମେଡ଼ିକାଲରୁ ଡମ୍ ହେବ ଡିସଚାର୍ଚ୍ଚ । ତାକୁ ପୁରିବ ୬ ମାସ, ପାଳିବ ଜନ୍ମ ଦିନ । ପୁରା ପରିବାର ଏବେ ଖୁସ୍ । କାହିଁକିନା ମୃତ୍ୟୁକୁ ମାତ୍ ଦେଇଛି ତାଙ୍କ ପୁଅ ।
ଜନ୍ମ ହେବାର କେଇ ମାସ ଭିତରେ କୋରୋନା ଦ୍ୱାରା ଆକ୍ରାନ୍ତ ହୋଇଥିଲା ଡମ୍ । ଚିକିତ୍ସା ପାଇଁ ତାକୁ Rio de Janeiroର Pro-Cardiaco ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଦୀର୍ଘ ୫୪ ଦିନ କାଳ ତାର ଚିକିତ୍ସା ଚାଲିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୩୨ ଦିନ ପର୍ଯ୍ୟନ୍ତ ସେ କୋମାରେ ରହିଥିଲା ।
ଡମର ପିତା Wagner Andrade କହିଛନ୍ତି, ''ଡମକୁ ଶ୍ୱାସ ନେବାରେ କଷ୍ଠ ଅନୁଭବ ହେଉଥିଲା । ପ୍ରଥମେ ଡାକ୍ତର ଭାବିଥିଲେ, ଏହା ଅନ୍ୟ ପ୍ରକାରର ସଂକ୍ରମଣ । ମାତ୍ର ଔଷଧ ଖାଇବା ପରେ ବି ସେ ସୁସ୍ଥ ହୋଇନଥିଲା । ପରେ ତାକୁ ଆମେ ଡାକ୍ତରଖାନା ନେଇଥିଲୁ । ଯେଉଁଠି ତାର କୋରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିଲା ।''
ଯାହା କୁହାଯାଉଛି, ଡମକୁ ନେଇ ପିତା-ମାତା ଏକ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ଯାହାରି ମାଧ୍ୟମରେ ସଂକ୍ରମଣର ଶିକାର ହୋଇଥିଲା ଡମ୍ । ହେଲେ ଏବେ ସେ ସମ୍ପୁର୍ଣ୍ଣ ଭାବେ ସୁସ୍ଥ ହୋଇଛି । ଏହାକୁ ଚମତ୍କାର ବୋଲି କହିଛନ୍ତି ଡମର ମାଆ Viviane Monteiro । ଡମ୍ କୋରୋନା ଆକ୍ରାନ୍ତ ବୋଲି ଆମେ ଯେବେ ଜାଣିବାକୁ ପାଇଥିଲୁ, ଆମ ପାଦତଳୁ ମାଟି ଖସି ଯାଇଥିଲା ବୋଲି ସେ କହିଛନ୍ତି ।
ଖୁବଶୀଘ୍ର ଡମକୁ ମେଡିକାଲରୁ ଡିସଚାର୍ଜ କରାଯିବ । ୧୪ ଜୁନରେ ଡମକୁ ୬ ମାସ ପୁରୁଛି । ଘରେ ସମସ୍ତଙ୍କ ସେ ଜନ୍ମ ଦିନ ପାଳିବ ।
କହିରଖୁଛୁ, ବିଶ୍ୱବ୍ୟାପୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରାଜିଲ ଦ୍ୱିତୀୟରେ ରହିଛି । ଏହି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ଅତିକ୍ରମ କଲାଣି । ସେହିପରି ୩୦ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏବେ ବି ପାଖାପାଖି ୩ଲକ୍ଷ ଆକ୍ଟିଭ କେସ ରହିଛି ।