)
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ଶୋପିଆନରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟର ଶେଷ ହେବା ପରେ ଏହି ଅଞ୍ଚଳକୁ ଘେରି ନିଆଯାଇଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଛି । ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଅପରେସନରେ ସୁରକ୍ଷା ବାହିନୀର କୌଣସି କ୍ଷତି ହୋଇନାହିଁ । ଆଜି(ରବିବାର) ସକାଳେ ଏନକାଉଣ୍ଟର ଖବର ଶୁଣି ପଥର ଫିଙ୍ଗାଳିମାନେ ପଥର ଫିଙ୍ଗାଫିଙ୍ଗି କରିଥିଲେ । କିନ୍ତୁ ଅତିରିକ୍ତ ସେନା ନିୟୋଜିତ କରି ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିଲା । ଏହା ସହିତ ପରିସ୍ଥିତିକୁ ଅଧିକ ଖରାପ ନ ହେବା ପାଇଁ ଇଣ୍ଟରନେଟ୍ ମଧ୍ୟ ବନ୍ଦ ହୋଇଯାଇଛି ।
ସୁରକ୍ଷା କର୍ମୀମାନେ ସକାଳେ ସୂଚନା ପାଇଥିଲେ ଯେ, ଦକ୍ଷିଣ କାଶ୍ମୀରର ଶୋପିଆନ୍ ଜିଲ୍ଲାର ରେବାନ୍ ଗ୍ରାମରେ ଆତଙ୍କବାଦୀମାନେ ଲୁଚି ଅଛନ୍ତି । ଏହା ପରେ ସେନା, ସିଆରପିଏଫ ଏବଂ ଜାମ୍ମୁ କାଶ୍ମୀର ପୋଲିସ ଏହି ଅଞ୍ଚଳକୁ ଘେରି ନେଇଥିଲେ । ସୁରକ୍ଷା ବାହିନୀ ଅନୁଯାୟୀ ପ୍ରଥମ ଆତଙ୍କବାଦୀଙ୍କୁ ମଧ୍ୟ ଆତ୍ମସମର୍ପଣ କରିବାର ସୁଯୋଗ ଦିଆଯାଇଥିଲା । ଏହା ସତ୍ତ୍ୱେ ଆତଙ୍କବାଦୀମାନେ ନିଜକୁ ଚାରିପଟୁ ଘେରି ଥିବାର ଦେଖି ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ । ଯବାନମାନେ ଏହାର ପାଲଟା ଜବାବ ଦେଇ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ ।
ନିହତ ଆତଙ୍କବାଦୀଙ୍କ ନିକଟରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳି ଜବତ କରାଯାଇଛି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ କୁଲଗାମର ହିଜବୁଲ କମାଣ୍ଡର ଫାରୁକ୍ ଆସାଦ ନାଲି ଥିବାର କୁହାଯାଉଛି । ଏହା ବ୍ୟତୀତ ଜଣେ ଆତଙ୍କବାଦୀ ବିଦେଶୀ ବୋଲି ଜଣାପଡ଼ିଛି । ନିକଟରେ ପୁଲୱାମାରେ ସୁରକ୍ଷା ବାହିନୀ ମାସୁଦ ଅଜହରର ନିକଟୀୟ ଜୈଶର ଟପ୍ କମାଣ୍ଡରଙ୍କୁ ନିପାତ କରିଥିଲେ।