)
ନୂଆଦିଲ୍ଲୀ: ଯଦି ଆପଣ ଚାରିଚକିଆ ଗାଡ଼ି ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତୂପୂର୍ଣ୍ଣ କାରଣ ଏପ୍ରିଲ ପହିଲାରୁ ବଦଳିବାକୁ ଯାଉଛି ଏମିତି କିଛି ନିୟମ । ଏବେ ପ୍ରତିଟି ୪ ଚକିଆ ଗାଡି଼ ଅର୍ଥାତ୍ କାରରେ ଡ୍ରାଇଭର ସହ ସାଥୀରେ ଥିବା ପାସେଞ୍ଜରଙ୍କ ପାଇଁ ମଧ୍ୟ ସିଟ୍ ଆଗରେ ରହିବ ଏୟାର ବେଲୁନ । ଏପ୍ରିଲ ୧ରେ ୨୦୨୧ରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ସଡ଼କ ଓ ପରିବହନ ମନ୍ତ୍ରାଳୟ ଆଇନ ମନ୍ତ୍ରାଳୟକୁ ଏହି ସମ୍ବନ୍ଧୀୟ ଏକ ପ୍ରସ୍ତାବ ପଠାଇଥିଲେ ଯାହାକୁ ମଞ୍ଜୁରୀ ମିଳିଥିବା ସୂଚନା ରହିଛି।
ଏହି ପ୍ରସ୍ତାବରେ ଦର୍ଶାଯାଇଛି ଯେ, ଏବେ କେବଳ କାରର ଡ୍ରାଇଭର (Car Driver) ଙ୍କ ପାଇଁ ନୁହେଁ ସାଥୀରେ ବସିଥିବା ଯାତ୍ରୀଙ୍କୁ ଏୟାର ବ୍ୟାଗ ଦେବା ଜରୁରୀ । ଆଇନ ମନ୍ତ୍ରାଳୟ (Law Ministrey) ସଡ଼କ ଓ ପରିବହନ ମନ୍ତ୍ରାଳୟ (Road And Transport Ministrey) ର ପ୍ରସ୍ତାବକୁ ଗ୍ରୀନ ସିଗନାଲ ଦେଇଛି । ତେବେ ଆଗାମୀ କେତେଦିନ ଭିତରେ ଏହାକୁ ନେଇ ଏକ ନୋଟିଫିକେସନ ଜାରି କରାଯିବ । ଏହାର ଅର୍ଥ, ୨୦୨୧ ଏପ୍ରିଲ ୧ ପରଠାରୁ ଯେଉଁ କାର ଗୁଡ଼ିକ ତିଆରି କରାଯିବ ତାହାର ସାମ୍ନା ଫ୍ରଣ୍ଟ ରେ ଦୁଇଟି ଏୟାର ବ୍ୟାଗ ରହିବ ।
ଏବେ ଗଚ୍ଛିତ ଥିବା କାର ମଡେଲ୍ସ ପାଇଁ ନୂଆ ନିୟମ ୩୧ ଅଗଷ୍ଟ ୨୦୨୧ରୁ ଲାଗୁ କରାଯିବ । ଏହା ପୂର୍ବରୁ ପ୍ରସ୍ତାବିତ ଡେଡଲାଇନ ଜୁନ ୨୦୨୧ ଥିଲା । ତେବେ ଏହି ଅବଧିକୁ ଏବେ ଅଗଷ୍ଟ ମାସକୁ ବଢାଇଦିଆଯାଇଛି । ଗତବର୍ଷ ଡିସେମ୍ବର ମାସରେ ସରକାର ସବୁ କାରର ଫ୍ରଣ୍ଟ ପାସେଞ୍ଜର (Front Passenger) ଙ୍କ ପାଇଁ ଏୟାର ବ୍ୟାଗ (Air Bag) ଅନିର୍ବାର୍ଯ୍ୟ କି ନୁହେଁ ପ୍ରତିକ୍ରିୟା ଲୋଡିଥିଲେ । ଯାହାଫଳରେ ଆଗକୁ ଅଟୋମୋବାଇଲ ସେକ୍ଟରରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।
ପରିବହନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଏୟାର ବ୍ୟାଗ AIS 145 ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଆକ୍ଟ, ୨୦୧୬ ଅନୁଯାୟୀ ପ୍ରସ୍ତୁତ ହେବ। ବର୍ତ୍ତମାନ ସମସ୍ତ କାର (Car) ରେ ଡ୍ରାଇଭର ସିଟ୍ ପାଇଁ ଏୟାରବ୍ୟାଗ (AirBag) କେବଳ ବାଧ୍ୟତାମୂଳକ, କିନ୍ତୁ ଏକାଠି ବସିଥିବା ଯାତ୍ରୀଙ୍କ ପାଇଁ ନିଶ୍ଚିତ ଭାବରେ ଏୟାରବ୍ୟାଗ ନାହିଁ। ଏହି କାରଣରୁ ଦୁର୍ଘଟଣାରେ ଗୁରୁତର ଆହତ ଓ ମୃତ୍ୟୁ ହେବାର ଆଶଙ୍କା ରହିଛି । ସୂଚନାନୁଯାୟୀ, ଅଧିକାଂଶ କାରରେ ସ୍ପିଡ୍ ଆଲର୍ଟ, ରିଭର୍ସ ପାର୍କିଂ ସେନ୍ସର ଏବଂ ସିଟ୍ ବେଲ୍ଟ ରିମାଇଣ୍ଡର୍ ଭଳି ମାନକ ବୈଶିଷ୍ଟ୍ୟ ବାଧ୍ୟତାମୂଳକ, କିନ୍ତୁ ଜୀବନ ରକ୍ଷାକାରୀ ଏୟାରବ୍ୟାଗ ବାଧ୍ୟତାମୂଳକ ନୁହେଁ ।