ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଗେହୋଲତ; ସରକାରକୁ ଭାଙ୍ଗିବା ଲାଗି ବିଜେପି ଉଦ୍ୟମ କରୁଥିବା ନେଇ ଆଣିଲେ ଅଭିଯୋଗ
Advertisement

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଗେହୋଲତ; ସରକାରକୁ ଭାଙ୍ଗିବା ଲାଗି ବିଜେପି ଉଦ୍ୟମ କରୁଥିବା ନେଇ ଆଣିଲେ ଅଭିଯୋଗ

ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଂକଟ ବାବଦରେ ଅବଗତ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଗେହୋଲତ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଗେହୋଲତ; ସରକାରକୁ ଭାଙ୍ଗିବା ଲାଗି ବିଜେପି ଉଦ୍ୟମ କରୁଥିବା ନେଇ ଆଣିଲେ ଅଭିଯୋଗ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟକୁ ନେଇ ମୁହାଁମୁହାଁ ହୋଇଛନ୍ତି ରାଜ୍ୟରେ କ୍ଷମତାସୀନ ଥିବା ଶାସକ କଂଗ୍ରେସ ଏବଂ ବିରୋଧି ବିଜେପି । ଏହି କ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତ ବୁଧବାର (ଜୁଲାଇ ୨୨, ୨୦୨୦) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଦର୍ଶାଇଛନ୍ତି, ତାଙ୍କ ନେତୃତ୍ୱାଧିନ ସରକାରଙ୍କୁ ହଟାଇବା ଲାଗି ପାଇଁ ରାଜ୍ୟରେ ଘୋଡା କାରବାର କରାଯାଉଛି।

ପିଏମଙ୍କୁ ଲେଖିଥିବା ଚିଠିରେ ସିଏମ୍ ଗେହଲୋଟ୍ କହିଛନ୍ତି ଘୋଡା କାରବାର ବ୍ୟବହାର କରି ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ  ସରକାରକୁ ହଟାଇବା ପାଇଁ କରାଯାଉଥିବା ପ୍ରୟାସ ପ୍ରତି ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି। ସାମ୍ପ୍ରତିକ ସ୍ଥିତିରେ ରାଜସ୍ଥାନରେ କ୍ଷମତାସୀନ ସରକାର କୋଭିଡ୧୯ ମହାମାରୀ ମଧ୍ୟରେ ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ହେଲେ ଏପରି ସ୍ଥିତିରେ ବର୍ତ୍ତମାନର ରାଜସ୍ଥାନର ଶାସନଗାଦି ଦାୟିତ୍ୱରେ ଥିବା ନିର୍ବାଚିତ ସରକାରଙ୍କୁ ହଟାଇବାକୁ ଚେଷ୍ଟା ଚାଲିଛି।

ଦଳୀୟ ବିବାଦକୁ କେନ୍ଦ୍ର କରି ରାଜସ୍ଥାନରେ ରାଜନୈତିକ ସଂକଟ ସୃଷ୍ଟି ହେବା ଫଳରେ ରାଜ୍ୟରେ କ୍ଷମତାସୀନ ଥିବା କଂଗ୍ରେସ ସରକାରର ଅବସ୍ଥା ଟଳମଳ ହୋଇଉଠିଛି । ଏହା ପଛରେ ସଚିନ ପାଇଲଟଙ୍କ ଭୂମିକା ରହି ଥିବା ନେଇ ଚର୍ଚ୍ଚା ହେବା ପରେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କୃତ କରାଯାଇଛି ।

ପ୍ରଧାନମନ୍ତ୍ରୀ ଲେଖିଥିବା ଚିଠିରେ ଗହୋଲତ ଦର୍ଶାଇଛନ୍ତି, ୧୯୮୫ ମସିହାରେ ରାଜୀବ ଗାନ୍ଧୀ କ୍ଷମତାସୀନ ଥିବା ଦଳ ବଦଳ ନିରୋଧ ଆଇନ(Anti-defection law) ପ୍ରଣୟନ ଆଇନ କରିଥିଲେ । ଯାହାକୁ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧିନ ସରକାରଙ୍କ ଦ୍ୱାରା ସଂଶୋଧନ କରାଯାଇଥିଲା । ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବା ପାଇଁ ମନ୍ଦ ଉଦ୍ୟମ ଚାଲିଥିବା ନେଇ ଜଣାଇଛନ୍ତି ସେ । ଜନସାଧାରଣଙ୍କ ଦ୍ୱାରା ପ୍ରଦତ୍ତ ଜନାଦେଶର ଅପମାନ କରିବା ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଂଘନ । ଏହା ସହିତ କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ ଗାଦିଚ୍ୟୁତ ହୋଇଥିବା କଂଗ୍ରେସ ସରକାରର ଉଦାହରଣ ଦେଇଛନ୍ତି ।

ରାଜସ୍ଥାନରେ କ୍ଷମତାସୀନ ହଟାଇବା ଲାଗି ଚାଲିଥିବା ଘୋଡା ବେପାର ପଛରେ କଂଗ୍ରେସର କିଛି ଉଚ୍ଚାଭିଳାସୀ ନେତା, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବିଜେପିର ଅନ୍ୟ ନେତୃବୃନ୍ଦ ସାମିଲ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଗେହୋଲତ ।
  
ସେ ଆହୁରି ମଧ୍ୟ ଲେଖିଛନ୍ତି, ମୁଁ ସର୍ବଦା ଦୁଖିତ ହେବି ଯେ, କୋଭିଡ୧୯ ସମୟରେ ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାରର ଜୀବନ ବଞ୍ଚାଇବା ଦାୟିତ୍ୱ ରହିଛି, ସେତେବେଳେ ସମୟରେ ରାଜସ୍ଥାନରେ ରାଜ୍ୟ ସରକାରଙ୍କୁ ହଟାଇବାକୁ ଉଦ୍ୟମ ଚାଲିଛି । ସିଏମ ଗେହୋଲତ ଆହୁରି କହିଛନ୍ତି କୋରୋନା ସଂକଟ ସମୟରେ ମଧ୍ୟପ୍ରଦେଶରେ କ୍ଷମତାସୀନ ସରକାର ଭାଙ୍ଗିବା ପରେ ରାଜସ୍ଥାନ ବାବଦରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

ସେ କହିଛନ୍ତି ଯେ ଭାରତୀୟ ସମ୍ବିଧାନରେ ବହୁଦଳୀୟ ବ୍ୟବସ୍ଥା ଯୋଗୁଁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରରେ ବିଭିନ୍ନ ଦଳର ସରକାର ଗଠନ ହୋଇଥାଏ, ଯାହାକି ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ । ଏହି ନିର୍ବାଚିତ ସରକାର ଦଳ ଉପରୁ ଉଠି ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ଲାଗି କାର୍ଯ୍ୟ କରିଥାନ୍ତି । 

ସିଏମ୍ ଗେହଲୋଟ୍ ଲେଖିଛନ୍ତି, " ମୁଁ ଜାଣେ ନାହିଁ ଆପଣ ଏହା ବିଷୟରେ କେତେ ପରିମାଣରେ ଅବଗତ ଅଛନ୍ତି କିମ୍ବା ସନ୍ଦେହ ଘେରରେ ରହିନ୍ତି । ହେଲେ ଇତିହାସ ଏପରି ଲୋକଙ୍କୁ କେବେ କ୍ଷମା କରିବ ନାହିଁ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଗଣତାନ୍ତ୍ରିକ ନୀତି ସହିତ ସତ୍ୟ ଜିତିବ ଏବଂ ଉତ୍ତମ ଶାସନ ସହିତ ଆମେ ଆମର କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବୁ। "