)
ଆବୁଧାବି: କୋରୋନା ଭାଇରସ କାରଣରୁ ସମଗ୍ର ବିଶ୍ୱରେ ସମସ୍ତ ପ୍ରକାର କ୍ରୀଡା କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏଭଳି ପରିସ୍ଥିତିରେ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଅଛି । ଆବୁଧାବି ଟି-10 ଲିଗର ଚତୁର୍ଥ ସିଜିନ ନଭେମ୍ୱର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ ବୋଲି ଘୋଷଣା କରାଯାଇଛି । ଟି-10 ଲିଗର ଆୟୋଜକ ଟ୍ୱିଟରରେ ଏକ ପୋଷ୍ଟ ଲଗାଇ ଏହି ବିଷୟରେ ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ କଥା ହେଉଛି, ଟି-10 ଲିଗର ପ୍ରଯୋଜକ ହେଉଛନ୍ତି ଆଲଡର୍ ପ୍ରପର୍ଟିଜ୍ ଏବଂ ଆବୁଧାବି ପର୍ଯ୍ୟଟନ ବିଭାଗ, ଆବୁଧାବି କ୍ରୀଡ଼ା ପରିଷଦ ଏବଂ ଆବୁଧାବି କ୍ରିକେଟ୍ ଏହାକୁ ମିଳିତ ଭାବେ ଆୟୋଜନ କରିବାକୁ ଯାଉଛନ୍ତି । ଆବୁଧାବି ଟି-10 ଲିଗର ପୂର୍ବ ସିଜନ୍ ମଧ୍ୟ ବହୁତ ସଫଳ ହୋଇଥିଲା । ଗତ ସିଜନରେ ୧ ଲକ୍ଷ ୨୪ ହଜାର ପ୍ରଶଂସକ ଜାଏଡ କ୍ରିକେଟ୍ ଷ୍ଟାଡିୟମ ପରିଦର୍ଶନ କରି ମ୍ୟାଚକୁ ଉପଭୋଗ କରିଥିଲେ । ୨୦୧୯ରେ ଏହି ଟୁର୍ନାମେଣ୍ଟ ମୋଟ ୧୦ ଦିନ ଚାଲିଥିଲା । ଟି-10 ଲିଗରେ ଅନେକ ଅନ୍ତର୍ଜାତୀୟ କ୍ରିକେଟର ସାମିଲ ହୁଅନ୍ତି । ତେବେ ଏହି ଲିଗ୍ ସେତେବେଳେ ଆୟୋଜିତ ହେବ । ଯେତେବେଳେ ଆବୁଧାବିର ସରକାରୀ କର୍ମଚାରୀମାନେ ସେମାନଙ୍କ ସମ୍ମତି ପ୍ରଦାନ କରିବେ । ଟି-10 ଲିଗର ପ୍ରଥମ ସିଜନ୍ ୨୦୧୭ରେ ଅନୁଷ୍ଠିତ ହୋଇଥିଲା ।
ପ୍ରଥମ ସିଜନ ବିଷୟରେ କହିବାକୁ ଗଲେ ଏହି ଲିଗରେ ସମୁଦାୟ ୬ଟି ଦଳ ଅଂଶଗ୍ରହଣ କରିଥିଲେ । ଯାହା ପରେ ୨୦୧୮ରେ ଦଳ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ୨୦୧୯ ସିଜନରେ ମଧ୍ୟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଏପର୍ଯ୍ୟନ୍ତ ୩ଟି ସିଜନରେ ୩ ଭିନ୍ନ ଭିନ୍ନ ଦଳ ସମସ୍ତ ଟି-10 ଲିଗ୍ ଜିତିଛନ୍ତି । ପୂର୍ବତନ ଭାରତୀୟ ଭେଟେରାନମାନେ ମଧ୍ୟ ଏହି ଟି-10 ଲିଗରେ ଖେଳିବାରେ ଦେଖିବାକୁ ମିଳିଛି । ଏହି ଲିଗରେ ଜାହିର ଖାନ, ଲେଗ ସ୍ପିନର ପ୍ରବୀଣ ତାମ୍ବେ ଏବଂ ଯୁବରାଜ ସିଂ ଖେଳିଛନ୍ତି ।