ଶିବ ଭକ୍ତଙ୍କ ଲାଗି ବ୍ରିଟେନରୁ ଆସିଛି ଖୁସି ଖବର।
Trending Photos
ଲଣ୍ଡନ: ଶିବ ଭକ୍ତଙ୍କ ଲାଗି ଆସିଛି ଏକ ଖୁସି ଖବର । ରାଜସ୍ଥାନରୁ ଚୋରି ହୋଇଥିବା ଭଗବାନ ଶିବଙ୍କ ପ୍ରାଚୀନ ପ୍ରତିମୂର୍ତ୍ତିକୁ ବ୍ରିଟେନରୁ ଭାରତକୁ ଫେରାଇ ଆଣିବାକୁ ପ୍ରସ୍ତୁତି ଚାଲିଛି। ନବମ ଶତାବ୍ଦୀର ଶେଷ ଭାଗରେ ରାଜସ୍ଥାନର ପ୍ରତିହାର ଶୈଳୀରେ ନିର୍ମିତ ଏହି ୪ ଫୁଟ ଉଚ୍ଚର ଶିବ ମୂର୍ତ୍ତିକୁ ୧୯୯୮ ମସିହାରେ ରାଜସ୍ଥାନର ବାରୁଲିସ୍ଥିତ ଘାଟେଶ୍ୱର ମନ୍ଦିରରୁ ଚୋରି କରାଯାଇଥିଲା। ପରେ ଜଣାପଡିଥିଲା ଯେ ଏହି ପ୍ରତିମାକୁ ଚୋରା ଚାଲାଣ କରାଯାଇ ବ୍ରିଟେନକୁ ନିଆଯାଇଛି।
ଭାରତୀୟ କର୍ତ୍ତୃପକ୍ଷ ଏ ବାବଦରେ ବ୍ରିଟେନ ପ୍ରତିପକ୍ଷଙ୍କୁ ଅବଗତ କରାଇଥିଲେ । ଏହା ପରେ ମୂର୍ତ୍ତିକୁ ସଂଗ୍ରହ କରିଥିବା ବ୍ୟକ୍ତିଙ୍କ ଠାରୁ ଉଦ୍ଧାର କରାଯାଇଥିଲା । ଉଭୟ ବ୍ରିଟିଶ-ଭାରତୀୟ ଅଧିକାରୀଙ୍କ ମିଳିତ ଉଦ୍ୟମ ଫଳରେ ୨୦୦୫ରେ ଏହି ମୂର୍ତ୍ତିକୁ ନେଇଥିବା ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଲଣ୍ଡନରେ ଅବସ୍ଥାପିତ ଭାରତୀୟ ହାଇ କମିଶନଙ୍କୁ ହସ୍ତାନ୍ତର କରିଥିଲେ। ସେବେଠାରୁ ଏହି ପ୍ରତିମୂର୍ତ୍ତି ସେଠାରେ ରହିଥିଲା । ଯାହାକୁ ବର୍ତ୍ତମାନ ରାଜସ୍ଥାନକୁ ଫେରାଇ ଅଣାଯିବ।
ଗତ ୨୦୧୭ ବର୍ଷରେ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ-ଏଏସଆଇ ଅଧିକାରୀଙ୍କୁ ଏହି ପ୍ରତିମୂର୍ତ୍ତିକୁ ଯାଞ୍ଚ କରିବାକୁ ନିମନ୍ତ୍ରଣ କରାଯାଇଥିଲା। ଏଏସଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ଏହା ହେଉଛି ସେହି ମୂର୍ତ୍ତି ଯାହାକୁ ରାଜସ୍ଥାନର ବାରୁଲି ମନ୍ଦିରରୁ ଚୋରି କରାଯାଇଛି।
ନିକଟ ଅତୀତରେ ଭାରତ ପକ୍ଷରୁ ବିଦେଶକୁ ଚୋରା ଚାଲାଣ ହୋଇଥିବା ବହୁ ମୂଲ୍ୟବାନ କଳାକୃତିକୁ ସ୍ୱଦେଶ ଫେରାଇ ଆଣିବାରେ ସଫଳ ହୋଇଛି। ବର୍ତ୍ତମାନ ଭଗବାନ ଶିବଙ୍କ ପ୍ରତିମା ମଧ୍ୟ ଏହି ସଫଳତାର ତାଲିକାରେ ଯୋଗ ଦେଇଛନ୍ତି। ୨୦୧୭ରେ ବିଶ୍ୱ ଐତିହ୍ୟ ସ୍ଥଳ ରାଣୀଙ୍କ ବାବରୁ ଚୋରି ହୋଇଥିବା ବ୍ରହ୍ମା-ବ୍ରହ୍ମଣୀଙ୍କ ପ୍ରତିମୂର୍ତ୍ତିକୁ ପୁନର୍ବାର ଫେରି ପାଇଥିଲା ଏଏସଆଇ। ଏହି ପ୍ରତିମାକୁ ଲଣ୍ଡନକୁ ଚୋରାଚାଲାଣ କରାଯାଇଥିଲା।
୨୦୧୮ରେ ଭଗବାନ୍ ବୁଦ୍ଧଙ୍କ ଦ୍ୱାଦଶ ଶତାବ୍ଦୀର ପିତ୍ତଳ ପ୍ରତିମୂର୍ତ୍ତିକୁ ଲଣ୍ଡନ ମହାନଗର ନିଗମ ପୋଲିସ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ହସ୍ତାନ୍ତର କରିଥିଲା। ସେହିପରି ଅଗଷ୍ଟ ୧୫, ୨୦୧୯ରେ ଭଗବାନ କୃଷ୍ଣଙ୍କ ଏକାଦଶ ଶତାବ୍ଦୀର ପିତ୍ତଳ ପ୍ରତିମୂର୍ତ୍ତି ଏବଂ ଦ୍ୱିତୀୟ ଶତାବ୍ଦୀର ଚୂନ ପଥରରେ ଖୋଦିତ ସ୍ତମ୍ଭ ଚିତ୍ର ଆମେରିକା ଭାରତକୁ ଫେରାଇ ଅଣାଯାଇଥିଲା।