)
ଭୁବନେଶ୍ୱର: ସାରା ବିଶ୍ୱକୁ ଆତଙ୍କିତ କରୁଛି ମହାମାରୀ କୋରୋନା ଭୂତାଣୁ । ଭାରତରେ ବି କାୟା ବିସ୍ତାର କରି ଚାଲିଛି ଏହା ଭାଇରସ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗୁଛି । ଯେଉଁଥିରୁ ବାଦ ପଡ଼ିନାହିଁ ଓଡ଼ିଶା । ସାରା ଦେଶ ସମେତ ରାଜ୍ୟରେ ଜାରି ରହିଛି ଲକଡ଼ାଉନ । ଅତି ସମ୍ବେଦନଶୀଳ ଅଞ୍ଚଳକୁ ମଧ୍ୟ ସଟଡ଼ାଉନ କରିବା ସହ, କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଉଛି । ହେଲେ ପୂର୍ବରୁ କୋରୋନାର ହଟସ୍ପଟ ଭାବେ ଘୋଷଣା କରାଯାଇଥିବା ଭୁବନେଶ୍ୱର ଏବେ ସମ୍ପୂର୍ଣ୍ଣ କୋରୋନା ମୁକ୍ତ କହିଲେ ଅତୃକ୍ତି ହେବ ନାହିଁ । କାହିଁକି ନା, ଦୀର୍ଘ ୧୪ ଦିନ ହେବ ଭୁବନେଶ୍ୱରରେ କୋରୋନା ପଜିଟିଭ ମାମଲା ଆସିନାହିଁ । ଯାହା ଫଳରେ ଭୁବନେଶ୍ୱରକୁ ଏବେ ରେଡ ଜୋନରୁ ଅରେଞ୍ଜ ଜୋନ୍ ଭାବେ ଘୋଷଣା କରାଯାଇଛି । ହେଲେ ଜାରି ରହିଛି ଲକଡ଼ାଉନ୍ ।
ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ଏବେ କୋରନା ମୁକ୍ତ ହେଉଛି ଭୁବନେଶ୍ୱର । ହଟିଲା ରେଡ ଜୋନ୍ । ଘୋଷଣା ହେଲା ଅରେଞ୍ଜ ଜୋନ୍ । କୋରୋନା ହଟସ୍ପଟ ଭାବେ ଘୋଷଣା କରାଯାଇଥିବା ଭୁବନେଶ୍ୱର ସମ୍ପୂର୍ଣ୍ଣ ରେଡ ଜୋନକୁ ଆସି ଯାଇଥିଲା । ଏବେ ଦୀର୍ଘ ୧୪ ଦିନ ହେବ କୋରୋନା ପଜିଟିଭ କେସ ଆସିନାହିଁ । ମାର୍ଚ୍ଚ ୧୪ରେ ପ୍ରଥମ କୋରୋନା ପଜିଟିଭ ଆସିଥିବା ବେଳେ, ଏଯାଏଁ ୪୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଯେଉଁଥିରେ ଏବେ ୨୦ ଜଣ ଆକ୍ଟିଭ ସଂକ୍ରମଣ ଭାବେ ଚିକିତ୍ସିତ ହେଉଛନ୍ତି । ୨୫ ଜଣ କୋରୋନା ମୁକ୍ତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି । ତେବେ କୋରୋନା ଗାଇଡଲାଇନ ଅନୁଯାୟୀ ଭୁବନେଶ୍ୱରରୁ ୧୪ ଦିନ ହେବ କୋରୋନା ମାମଲା ଆସିନଥିବାରୁ ଅରେଞ୍ଜ ଜୋନ ଘୋଷଣା ହେବା ସ୍ପଷ୍ଟ ହୋଇଛି ।
ସେପଟେ ଦେଖିବାକୁ ଗଲେ ଭୁବନେଶ୍ୱର କୋରୋନା ମୁକ୍ତ ଦିଗରେ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ରାଜଧାନୀରେ ପଜିଟିଭି ମାମଲା ଆସିବା ପରେ ଲକଡାଉନ ସହ, ସଟଡାଉନ ମଧ୍ୟ ଘୋଷଣା କରାଯାଇଥିଲା । ସଂକ୍ରମିତ ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ସୁନ୍ଦରପଦା, ବେଗୁନିଆ, ସୂର୍ଯ୍ୟନଗର, ବମିଖାଲ ଓ ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ସେଠାରୁ ଏବେ ସମ୍ପୂର୍ଣ୍ଣ କଣ୍ଟେନମେଣ୍ଟ ଉଠିବା ସହ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ଭୁବନେଶ୍ୱର । ଯାହାକୁ ନେଇ ଏବେ ରାଜଧାନୀ ବାସିନ୍ଦାଙ୍କ ମୁହଁରେ ଟିକେ ହସ ଦେଖିବାକୁ ମିଳିଛି ।