Trending Photos
)
Monsoon Session 2025: ନୂଆଦିଲ୍ଲୀ: କିଛି ଦିନ ତଳେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନର ସ୍ୱଚ୍ଛତା କର୍ମୀ୍କୁ ପ୍ରଧାନମନ୍ତ୍ରୀଙ୍କ ସଭାକୁ ଯିବା ନେଇ ବିବାଦ ଉପୁଜିଥିଲା। ଏହି ବିବାଦ ଏତେ ଚରମପର୍ଯ୍ୟାୟକୁ ଯାଇଥିଲା ଯେ ଜଣେ ଅତିରିକ୍ତ କମିଶନରଙ୍କୁ ବିଧା ଗୋଇଠା ଖାଇବାକୁ ପଡିଥିଲା, ଜଣେ ପୂର୍ବତନ କର୍ପୋରେଟର, କର୍ପୋରେଟର ଏବଂ ବିଜେପିର ନେତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା। ହେଲେ ବାସ୍ତବରେ ସ୍ୱଚ୍ଛତା କର୍ମୀଙ୍କ ସୁବିଧା ସୁଯୋଗ ଅଧିକାରକୁ ନେଇ କୌଣସି ସମାଧାନ ହୋଇପାରିନଥିଲା। ଏ ବିଷୟକୁ ଆଜି ଆହୁରି ଉତ୍କଟ କରିଛି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବଳଭଦ୍ର ମାଝୀଙ୍କ ପ୍ରଶ୍ନ। ଏପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ବିରେନ୍ଦ୍ର କୁମାର ଯେଉଁ ତଥ୍ୟ ଦେଇଛନ୍ତି ତାହା ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି।
ଆଜି ମନ୍ତ୍ରୀ ଶ୍ରୀ କୁମାର ଦେଇଥିୂବା ଉତ୍ତର ଅନୁସାରେ ରାଜ୍ୟର ମାତ୍ର ୧୨୯୫ ଜଣ ସ୍ୱଚ୍ଛତା ଶ୍ରମିକଙ୍କୁ ସରକାର ଚିହ୍ନଟ କରିପାରିଛନ୍ତି। ପୁଣି ସେମାନଙ୍କ ମଧ୍ୟରୁ କାହାକୁ ବି ନିରାପତ୍ତା, ଓ ସୁରକ୍ଷା କିଟ ତଥା ଉପକରଣ ଯୋଗାଇବାରେ ସରକାର ଅକ୍ଷମ ହୋଇଛନ୍ତି।
ମନ୍ତ୍ରୀ କହିଛନ୍ତି, ନର୍ଦ୍ଦମା ଓ ସେପଟିକ ଟ୍ୟାଙ୍କ ଶ୍ରମିକଙ୍କ ମଙ୍ଗଳ ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ଯୋଜନା ପ୍ରଣୟନ କରି ଯାନ୍ତ୍ରୀକ ଉପକରଣ ପ୍ରଦାନ କରିଥାଆନ୍ତି। ଏହି 'ନମସ୍ତେ' ଯୋଜନା ଜୁଲାଇ ୨୦୨୩ରେ ଆରମ୍ଭ କରାଯାଇଥିଲା। ଏଥିରେ ଅଳିଆ ଗୋଟାଳିଙ୍କ ମଧ୍ୟ ସାମିଲ କରାଯାଇଥିଲା। କେନ୍ଦ୍ର ସରକାର ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାପାଇଁ ଏହି କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଘୋଷଣା କରିଥିଲେ। ଏହି କ୍ରମରେ ଦେଶରେ ମାତ୍ର ୮୪୯୦୨ ନର୍ଦ୍ଦମା ଓ ସେପଟିକ ଟ୍ୟାଙ୍କ କର୍ମଚାରୀଙ୍କୁ ଚିହ୍ନଟ କରାଯାଇପାରିଛି। ସେମାନଙ୍କୁ ୪୫୮୭୧ଟି ପିପିଇ କିଟ ଏବଂ ୩୫୪ଟି ନିରାପତ୍ତା ଉପକରଣ ପ୍ରଦାନ କରାଯାଇଛି। ଏହି ଉପକରଣ ଜରୁରୀକାଳୀନ ସମୟରେ ନର୍ଦ୍ଦମା ଓ ସେପଟିକ ଟ୍ୟାଙ୍କ ଶ୍ରମିକଙ୍କୁ ସହାୟତା କରିଥାଏ। ହେଲେ ରାଜ୍ୟରେ ଏପରି କୌଣସି ଉପକରଣ ବଣ୍ଟନ କରାଯାଇନଥିବା ଆଗକୁ ଏହା ଆଉ ଏକ ବିପଦକୁ ଟାଣି ଆଣୁଛି ବୋଲି ଆଶଙ୍କା କରାଯାଉଛି।