)
Gujarat cabinet: ଗୁଜରାଟରେ ନୂଆ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ । ପ୍ରଥମେ ଗୃହମନ୍ତ୍ରୀ ଥିବା ହର୍ଷ ସାଂଘଭି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଥମେ ୧୬ ଜଣ ମନ୍ତ୍ରୀ ଇସ୍ତଫା ଦେବା ପରେ ୨୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଏଥର ଗୁଜୁରାଟ କ୍ୟାବିନେଟରେ ୧୯ ଜଣ ନୂତନ ମୁହଁ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ଜଣ ମନ୍ତ୍ରୀ ପଟେଲ ସମ୍ପ୍ରଦାୟର ରହିଛନ୍ତି ।
ଭୂପେନ୍ଦ୍ର ପଟେଲ ସରକାରଙ୍କ ନୂତନ କ୍ୟାବିନେଟରେ ୨୬ ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିଛି । ଯେଉଁଥିରେ ୩ ଜଣ ମହିଳା ଅଛନ୍ତି। ଆଠ ଜଣ ଓବିସି, ତିନି ଜଣ ଏସସି, ଚାରି ଜଣ ଏସଟି ରହିଛନ୍ତି । ହର୍ଷ ସାଂଘଭି ପ୍ରଥମେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବାଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିଛି ।
ସୂଚନାଯୋଗ୍ୟ, ପୂର୍ବରୁ ଗୁରୁବାର ସମସ୍ତ ୧୬ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ପ୍ରଦାନ କରିଥିଲେ। ଏହି ପୁନର୍ଗଠନକୁ ରାଜ୍ୟରେ ୨୦୨୭ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସହିତ ଯୋଡାଯାଉଛି। ଗୁଜୁରାଟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ, ଆଠ କ୍ୟାବିନେଟ ମନ୍ତ୍ରୀ ଏବଂ ଆଠ ରାଷ୍ଟ୍ରମନ୍ତ୍ରୀ (MoS) ସମେତ ୧୭ ଜଣ ମନ୍ତ୍ରୀ ଥିଲେ। ଏବେ ଏହି ସଂଖ୍ୟା ଏବେ ୨୬ କୁ ବୃଦ୍ଧି ପାଇଛି।
ମାତ୍ର ତିନି ବର୍ଷ ମଧ୍ୟରେ, ବିଜେପି ମୁଖ୍ୟମନ୍ତ୍ରୀ ବ୍ୟତୀତ ସମଗ୍ର ମନ୍ତ୍ରୀମଣ୍ଡଳକୁ ବଦଳାଇ ଦେଇଛି। ଦଳ ଭୂପେନ୍ଦ୍ର ପଟେଲଙ୍କ ଅଧୀନରେ ଥିବା ସମସ୍ତ ୧୬ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଥିଲା, ଯାହା ଫଳରେ ଦଳକୁ ଏକ ନୂତନ କ୍ୟାବିନେଟ ଗଠନ କରିବାର ସମ୍ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ଅନେକ ମନ୍ତ୍ରୀଙ୍କ ପ୍ରଦର୍ଶନ ଖରାପ ଥିବା କାରଣରୁ ଦଳୀୟ ନେତୃତ୍ୱ ନୂଆ ଚେହେରା ସହିତ ସେମାନଙ୍କ ସ୍ଥାନରେ ସରକାରଙ୍କ ପ୍ରଦର୍ଶନକୁ ଉନ୍ନତ କରିବାକୁ ଚାହୁଁଥିଲା। ଅନ୍ୟପଟେ, ଆଗାମୀ କିଛି ମାସ ମଧ୍ୟରେ ଗୁଜୁରାଟରେ ପଞ୍ଚାୟତ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। ଗୁଜୁରାଟ ବିଧାନସଭାରେ ୧୮୨ଟି ଆସନ ଅଛି। ନିୟମ ଅନୁଯାୟୀ, ମୋଟ ଆସନର ୧୫% ପର୍ଯ୍ୟନ୍ତ ମନ୍ତ୍ରୀ ହୋଇପାରିବେ। ଏହା ଅନୁଯାୟୀ, ଗୁଜୁରାଟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୨୬ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇପାରିବ। ଆପଣଙ୍କୁ କହିରଖୁଛୁ ଯେ, ଭୂପେନ୍ଦ୍ର ପ୍ରଥମେ ସେପ୍ଟେମ୍ବର ୨୦୨୧ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତା’ପରେ ବିଜୟ ରୂପାଣୀଙ୍କ ସ୍ଥାନରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିଲା । ବିଧାନସଭା ନିର୍ବାଚନ ପରେ, ଡିସେମ୍ବର ୧୨, ୨୦୨୨ରେ, ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବର୍ତ୍ତମାନ ଏକ ନୂଆ କ୍ୟାବିନେଟ ଗଠନ ହେଉଛି।