)
ନୂଆଦିଲ୍ଲୀ: ୧୯୫୯ ମସିହା ପରଠାରୁ ରେଡିଓ ପରେ ଭାରତୀୟ ମାନଙ୍କ ପାଇଁ ଖବର ଓ ମନୋରଞ୍ଜନର ମାଧ୍ୟମ ସାଜିଲା ଦୂରଦର୍ଶନ । ଆଉ ଅଶି ଦଶକରେ ଡିଡିର ଲୋକପ୍ରିୟତା ଶିଖର ଛୁଇଁଥିଲା । ଯେତେବେଳେ ଦୂରଦର୍ଶନରେ ଆରମ୍ଭ ହୋଇଥିଲା ରାମାୟଣ, ଅଲିଫ ଲୈଲା, ମାଲଗୁଡି ଡେଜ୍, ହମଲୋଗ୍, ବ୍ୟୋମକେଶ ବକ୍ସି, ବୁନିୟାଦ ଭଳି ଧାରାବାହିକ । ସେହିଭଳି ନବେ ଦଶକରେ ମଧ୍ୟ ମହାଭାରତ, ଶକ୍ତିମାନ, ନୁକାଦ ଓ ଫୌଜି ଭଳି ସିରିଏଲ ଅଶୀ ଦଶକର ଲୋକପ୍ରିୟତାକୁ ବଜାୟ ରଖିବାରେ ସକ୍ଷମ ହୋଇଥିଲା ।
ଏବେ ସମୟ ପରିବର୍ତ୍ତନ ହୋଇଛି, ଘରୋଇ ଚ୍ୟାନେଲମାନଙ୍କର ବହୁଳ ଲୋକପ୍ରିୟତା ବିଗତ ସମସ୍ତ ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟକୁ ଅତିକ୍ରମ କରିଛି । କିନ୍ତୁ କୋଭିଡ ଲକଡାଉନ ସମୟରେ ଦେଶବାସୀ ଘରେ ବନ୍ଦ ଥିବା ବେଳେ ଗତ ମାର୍ଚ୍ଚ ୨୮ରୁ ଏପ୍ରିଲ ୩ ତାରିଖ ଭିତରେ ସର୍ବାଧିକ ଦେଖାଯାଇଥିବା ଚ୍ୟାନେଲ୍ ଭାବରେ ଉଭା ହୋଇଥିଲା ଡିଡି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତାଲାବନ୍ଦ ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ଅଶି ଦଶକର ଲୋକପ୍ରିୟ ରାମାୟଣ, ମହାଭାରତ ଓ ଶକ୍ତିମାନ ଭଳି ଧାରାବାହିକ ପ୍ରସାରଣ କରିବା ପରେ ଟେଲିଭିଜନ ଇତିହାସର ସବୁ ରେକର୍ଡକୁ ଭାଙ୍ଗିଥିଲା ଦେଖଣାହାରୀଙ୍କ ସଂଖ୍ୟା ।

ମାର୍ଚ୍ଚ ୨୧ରୁ ଆରମ୍ଭ ହୋଇଥିବା ଧାରାବାହିକ ଗୁଡିକ ଚଳିତ ବର୍ଷ ମାତ୍ର ୧୨ସପ୍ତାହରେ ଅଶି ଦଶକର ସଫଳତାକୁ ବି ଟପି ଯାଇଥିଲା । ଏପ୍ରିଲ୍ ୯ରେ ପ୍ରକାଶିତ ବ୍ରଡ଼କାଷ୍ଟ ଅଡିସନ୍ ରିସର୍ଚ୍ଚ କାଉନସିଲ୍-ନିଲସେନ୍ (BARC) ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଥିବା ୧୩ତମ ସପ୍ତାହରେ ଦର୍ଶକ ସଂଖ୍ୟା ଭାରତ ପାଇଁ ସର୍ବକାଳୀନ ରେକର୍ଡ । କାରଣ ଏହାର ଦର୍ଶକ ସଂଖ୍ୟାରେ ସକାଳେ ଓ ସଂଧ୍ୟା ସମୟରେ ୪୫୪ଗୁଣ ବୃଦ୍ଧି ପାଇଥିଲା ।
ବେଦବ୍ୟାସଙ୍କ ଲେଖା ଉପରେ ଆଧାରିତ, ବି.ଆର. ଚୋପ୍ରାଙ୍କ ପ୍ରଯୋଜନାରେ ନିର୍ମିତ ମହାଭାରତ IMDB ରେ ୧୦ରୁ ୮.୯ ପଏଣ୍ଟ ରେଟିଂ ପାଇ ସକାଳ ଏବଂ ସନ୍ଧ୍ୟା ସମୟରେ ୩୬୫ ଥର ଦର୍ଶକଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇଥିଲା । ଯାହା ଡିଡି ଭାରତୀ ପାଇଁ ଥିଲା ସବୁଠୁ ବଡ ସଫଳତା । ଏସବୁ ଭିତରେ ଗୋଟିଏ କଥା କୁହାଯାଇପାରେ କି, ଅଶୀ ଦଶକର ଶେଷ ଭାଗରେ ନିର୍ମିତ ରାମାୟଣ ସେତେବେଳେ ରବିବାରର ସକାଳକୁ ତାଜା ଓ ଋଦ୍ଧିମନ୍ତ କରିବା ସହ ଲୋକପ୍ରିୟତାର ଶୀର୍ଷରେ ରହିଥିଲା ଆଉ ଆଗକୁ ରହିବ ମଧ୍ୟ । ରାମାୟଣ ଦେଶର ଟିଭି ଶୋ ଇତିହାସରେ ଏକ ମାଇଲଷ୍ଟୋନ କହିଲେ କିଛି ଭୁଲ ହେବ ନାହିଁ ।