ଏଭଳି ଏକ ଅଧ୍ୟାଦେଶ ଆଣିବାକୁ ମଞ୍ଜୁରୀ ଦେଇଛି ହରିୟାଣା ମନ୍ତ୍ରମଣ୍ଡଳ ।
Trending Photos
)
ଚଣ୍ଡିଗଡ଼: ଘରୋଇ କ୍ଷେତ୍ରରେ ୭୫ ପ୍ରତିଶତ ସ୍ଥାନୀୟ ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି । ଏଭଳି ଏକ ଅଧ୍ୟାଦେଶ ଆଣିବାକୁ ମଞ୍ଜୁରୀ ଦେଇଛି ହରିୟାଣା ମନ୍ତ୍ରମଣ୍ଡଳ । ପରବର୍ତ୍ତୀ ବୈଠକରେ ମନ୍ତ୍ରିପରିଷଦରେ ଏହି ଅଧ୍ୟାଦେଶ ଅଣାଯିବ । ଘରୋଇ କ୍ଷେତ୍ରରେ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ୭୫ ପ୍ରତିଶତ ସଂରକ୍ଷଣ ନେଇ ଦୁଷ୍ମନ୍ତ ଚୌଟାଲାଙ୍କ ଜନନାୟକ ଜନତା ପାର୍ଟି ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା । ଏବେ ହରିୟାଣାରେ ବିଜେପି-ଜନନାୟକ ଜନତା ପାର୍ଟିର ମେଣ୍ଟ ସରକାର ଚାଲିଛି ।
ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ''ହରିୟାଣା ରାଜ୍ୟ ସ୍ଥାନୀୟ ଆଶାୟୀ ରୋଜଗାର ଅଧ୍ୟାଦେଶ-୨୦୨୦''ର ପ୍ରସ୍ତୁତ ନେଇ ପ୍ରସ୍ତାବକୁ ହରିୟାଣା ମନ୍ତ୍ରିମଣ୍ଡଳରେ ମଞ୍ଜୁରୀ ମିଳିଛି । ସୋମବାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା । ଏହି ପ୍ରସ୍ତାବ ପରିତ ହେଲେ ସ୍ଥାନୀୟ ଯୁବକଙ୍କ ବେରୋଜଗାର ସମସ୍ୟାକୁ ପ୍ରାଥମିକତା ଆଧାରରେ ସମାଧାନ କରାଯାଇପାରିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି ।
ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି, ପରବର୍ତ୍ତୀ ବୈଠକରେ ମନ୍ତ୍ରିପରିଷଦ ନିକଟରେ ଏହି ଅଧ୍ୟାଦେଶ ଅଣାଯିବ । ଘରୋଇ କ୍ଷେତ୍ରରେ(୫୦ ହଜାରରୁ କମ ଦରମା ବିଶିଷ୍ଟ) ୭୫ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ନେଇ ଏହି ଅଧ୍ୟାଦେଶ ଅଣାଯିବ । ଅର୍ଥାତ ଘରୋଇ ନିଯୁକ୍ତିରେ ୭୫ ପ୍ରତିଶତ କେବଳ ହରିୟାଣା ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ । ତେବେ ଜିଲ୍ଲା କ୍ଷେତ୍ରରେ ଏହା ୧୦ ପ୍ରତିଶତ ରହିବ । ଅର୍ଥାତ ସମ୍ପୃକ୍ତ ଘରୋଇ ସଂସ୍ଥା ଯେଉଁ ଜିଲ୍ଲାରେ ଥିବ, ସେହି ଜିଲ୍ଲାର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ ।
ସୋମବାର ବୈଠକ ପରେ ଦୁଷ୍ମନ୍ତ ଚୌଟାଲା କହିଥିଲେ, ହରିୟାଣା ଲୋକଙ୍କ ପାଇଁ ଆଜି(ସୋମବାର) ଐତିହାସିକ ଦିନ ଅଟେ । ଘରୋଇ କ୍ଷେତ୍ରରେ ହରିୟାଣାର ଯୁବକ ଯୁବତୀଙ୍କୁ ୭୫ ପ୍ରତିଶତ ନିଯୁକ୍ତି ଅଧ୍ୟାଦେଶ ଆଣିବାକୁ ମଞ୍ଜୁରୀ ମିଳିଛି । ବିଜେପି-ଜେଜେପି ସରକାର ଯୁବକଙ୍କ ନିଯୁକ୍ତି ନେଇ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ ।