)
ନୂଆଦିଲ୍ଲୀ: ଦେଶ ଏବେ ପ୍ରତିଦିନ ନୂଆ ନୂଆ ଆହ୍ୱାନର ସାମନା କରୁଛି । ସାରା ଦେଶରେ ମହାମାରୀ କୋରୋନା କଳା ବାଦଳ ବିଛାଇ ଥିବାବେଳେ କିଛିଦିନ ତଳେ ଦେଶର ଗୋଟିଏ ପ୍ରାନ୍ତରେ ପ୍ରକୃତିର ତାଣ୍ଡବ ରଚିଥିଲା । ସେହିଭଳି ଦେଶର ଚୀନ ସୀମାନ୍ତରେ ଲାଗିରହିଛି ଉତ୍ତେଜନା । ଏହାରି ଭିତରେ ପ୍ରକୃତିର ଆଉ ଏକ କୋପ ଏବେ ଦେଶକୁ ଅସ୍ତବ୍ୟସ୍ତ କରିଦେଲାଣି । ବିଗତ ଦୁଇଦିନ ହେଲା ଆକାଶରୁ ଯେମିତି ଅଗ୍ନି ବର୍ଷା କରୁଛନ୍ତି ଇନ୍ଦ୍ରଦେବତା । ଉତ୍ତର-ପୂର୍ବାଞ୍ଚଳ ଓ ଉତ୍ତର-ପୂର୍ବ ଭାରତ ଏବେ ଅସହ୍ୟ ରୌଦ୍ରତାପରେ ଜଳୁଛି । ସବୁଠି ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି । ପ୍ରକୃତି ଏହି ରୂପକୁ ନେଇ ଏବେ ବଢୁଛି ଚିନ୍ତା ।
ଆଇଏମଡି ସୂଚନା ଅନୁସାରେ ଉତ୍ତର ଭାରତର ଅନେକ ଅଞ୍ଚଳ ବର୍ତ୍ତମାନ ୪୫ ଡିଗ୍ରୀ ଉପରେ ପାରା ରହୁଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ,ପଞ୍ଜାବ, ହରିୟାଣା, ଚଣ୍ଡୀଗଡ, ଓ ରାଜସ୍ଥାନରେ ଆସନ୍ତା ୨ ଦିନ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ଏହାସହ ସମ୍ପୃକ୍ତ ରାଜ୍ୟ ଗୁଡିକରେ ପାରା ୪୭ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା କରିଛି ଆଇଏମଡି । ତେଣୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଆଇଏମଡିର କ୍ଷେତ୍ରୀୟ ବୈଜ୍ଞାନିକ କୂଳଦୀପ ଶ୍ରୀବାସ୍ତବ କହିଛନ୍ତି, ଆସନ୍ତା ୨ ରୁ ୩ ଦିନ ପର୍ଯ୍ୟନ୍ତ ଦେଶର କିଛି ପ୍ରାନ୍ତରେ ପାରା ୪୭ ଡିଗ୍ରୀ ଟପିପାରେ । ଚଳିତବର୍ଷର ଏହା ରେକର୍ଡ ତାପମାତ୍ରା ବୋଲି ସେ କହିଛନ୍ତି । ତେଣୁ ସତର୍କତା ସ୍ୱରୂପ କିଛି ଅଞ୍ଚଳରେ ରେଡ ଆଲର୍ଟ କରାଯାଇଛି ।
ସେହିପରି ଦିଲ୍ଲୀ ଏନସିଆର ସମେତ ଆଖପାଖ ଅଞ୍ଚଳର କିଛି ଇଲାକାରେ ଆଗାମୀ କିଛିଦିନ ପାରା ବଢ଼ିବ । ପଶ୍ଚିମ ଭାରତରେ ହିଟୱେଭ ବଢିବାରୁ ଏହାର ପ୍ରଭାବରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ପ୍ରଭାବିତ ହେବ । ଆଇଏମଡି କହିଛି ଆଜି ଠାରୁ (ସୋମବାର) ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବ । ଚଳିତ ବର୍ଷ ସର୍ବାଧିକ ପାରା ବର୍ତ୍ତମାନ ସୁଦ୍ଧା ଦେଶରେ ୪୬ ଡିଗ୍ରୀ(ରାଜସ୍ଥାନ) ରେକର୍ଡ ହୋଇଛି । ତେବେ ହିଟୱେଭ କାରଣରୁ ଦେଶର ପୂର୍ବ ଓ ଉତ୍ତର ପ୍ରାନ୍ତରେ ଅସହ୍ୟ ଗୁଳଗୁଳି ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।
ଅନ୍ୟପଟେ ଆମ ରାଜ୍ୟ ଓଡିଶାରେ ମଧ୍ୟ ବାତ୍ୟା ଅମ୍ପାନ ପରେ ହଠାତ ପାଗ ବଦଳିଯାଇଛି । ରାଜ୍ୟର ୧୦ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି । ଗତ ୨ ଦିନ ଧରି ରାଜ୍ୟର ତତଲାଗଡ ମାନ୍ୟତା ପାଇଥିବା ଟିଟିଲାଗଡରେ ପାରା ୪୫ ଡିଗ୍ରୀ ପାର କରିଛି । ବିଶେଷ କରି ପଶ୍ଚିମ ଓଡିଶା ଏକପ୍ରକାର ତତଲା କଡାଇ ପାଲଟିଛି ।
ତେବେ ଆଶ୍ୱସ୍ତିକର ଖବର ହେଉଛି, ଆସନ୍ତା ୨୮ ତାରିଖ ପରେ କିଛି ମାତ୍ରାରେ ପାରା କମିବ । ଆଉ କାଳବୈଶାଖି ପ୍ରଭାବରେ ବର୍ଷା ହେବ । ଗୁଳୁଗୁଳିରୁ ମୁକ୍ତି ମିଳବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଉଛି, ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଆହ୍ୱାନ ଦେଖାଦେଇଥିଲେ ମଧ୍ୟ କେନ୍ଦ୍ର ସରକାର, ରାଜ୍ୟ ସରକାର ମାନେ ଓ ପ୍ରଶାସନିକ ଅଧିକାରୀ ମାନେ ସମନ୍ୱୟ ରଖି କାର୍ଯ୍ୟ କରୁଛନ୍ତି । ଯାହା ଦେଶର ଶକ୍ତି । ଆଉ ଏହି ଶକ୍ତି ହିଁ ଦେଶକୁ ଏହି ସଂକଟରୁ ଉଦ୍ଧାର କରିବ ନିଶ୍ଚିତ ।