)
Heavy Rain News: ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗି ରହିଛି । କେବଳ ବର୍ଷା ନୁହେଁ ଅନେକ ସ୍ଥାନରେ ଭୂସ୍ଖଳନ ହେବା କାରଣରୁ ନେପାଳରେ ସାଧାରଣ ଜୀବନଯାତ୍ରା ଏକ ପ୍ରକାର ବ୍ୟାହତ ହୋଇଛି। କାଠମାଣ୍ଡୁକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ଜଳ ପ୍ରବାହିତ ହୋଉଥିବାରୁ ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ ରାସ୍ତା ବନ୍ଦ କରାଯାଇଛି।
ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ ହୋଇଥିବାରୁ ନେପାଳକୁ ସଂଯୋଗ କରୁଥିବା ରାସ୍ତାରେ ଶହ ଶହ ଯାନବାହନ ଅଟକି ରହିଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ କାଠମାଣ୍ଡୁକୁ ଯାତ୍ରା ନକରିବା ଏବଂ ବାହାରକୁ ନଯିବାକୁ ବାରଣ କରିଛି ପ୍ରଶାସନ। ଲୋକଙ୍କୁ ଘର ଭିତରେ ତଥା ସୁରକ୍ଷିତ ସ୍ଥାନରେ ରହିବା ପାଇଁ ନିବେଦନ କରାଯାଇଛି।
ବର୍ଷା କାରଣରୁ ନେପାଳର ସମସ୍ତ ବିମାନବନ୍ଦର ବନ୍ଦ କରାଯାଇଛି। ଆଗାମୀ ଦୁଇ ଦିନ ପାଇଁ ସମସ୍ତ ଆଭ୍ୟନ୍ତରୀଣ ବିମାନ ସେବା ବାତିଲ୍ ହୋଇଛି । କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ବନ୍ଦ ରହିବା କାରଣରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ପାଗରେ ପରିବର୍ତ୍ତନ ନହେବା ପର୍ଯ୍ୟନନ୍ତ ସମସ୍ତ ଘରୋଇ ବିମାନ କମ୍ପାନୀ ବିମାନ ଚଳାଚଳ ବାତିଲ ଜାରି କରିଛନ୍ତି। ଦେଶର ଅନେକ ବିମାନବନ୍ଦରର ରନୱେରେ ପାଣି ରହିଥିବା ରିପୋର୍ଟ କରାଯାଇଛି।
ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ନେପାଳ ସରକାର ରବିବାର ଏବଂ ସୋମବାର ଦିନ ସାଧାରଣ ଛୁଟି ଘୋଷଣା କରିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଅନେକ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଏବଂ ପ୍ରବଳ ବର୍ଷା କାରଣରୁ ଏହି ସରକାରୀ ଛୁଟି ଦିଆଯାଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ଏବଂ ହସ୍ପିଟାଲ ବ୍ୟତୀତ ସମସ୍ତ ବିଭାଗ ପାଇଁ ଛୁଟି ଘୋଷଣା କରିଛନ୍ତି ନେପାଳ ସରକାର।
କାଠମାଣ୍ଡୁ ନିକଟରେ ରହିଥିବା ନଦୀ ଗୁଡିକରେ ଜଲସ୍ତର ବଢିବାରେ ଲାଗିଛି । ନଦୀରେ ପାଣି ବଢିବା କାରଣରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ବନ୍ୟା କାରଣରୁ ତଳିଆ ଅଞ୍ଚଳର ଲୋକଙ୍କୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ସରକାର ଲୋକଙ୍କୁ ସତର୍କ ରହିବାକୁ ସୂଚନା ଜାରି କରିଛନ୍ତି । ପରିସ୍ଥିତିର ମୁକାବିଲା କରିବାକୁ ସମସ୍ତ ହେଲିକପ୍ଟର କମ୍ପାନୀକୁ ଷ୍ଟାଣ୍ଡବାଏ ରହିବାକୁ କୁହାଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଣ କାଠମାଣ୍ଡୁ ବିମାନବନ୍ଦରରେ ସେନାର ନାଇଟ୍ ଭିଜନ୍ ହେଲିକପ୍ଟରକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି।