ଦେଶ ପାଇଁ ତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ମନେପକାଉଛନ୍ତି ଭାରତବାସୀ ।
Trending Photos
ନୂଆଦିଲ୍ଲୀ: ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ । ଭାରତ ମାତାର ସୁଯୋଗ୍ୟ ସନ୍ତାନ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ପ୍ରଥମେ ସ୍ୱର ଉତ୍ତୋଳନ କରିଥିଲେ ଶ୍ୟାମା ପ୍ରସାଦ । ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଜନୈତିକ ଦଳ ବିଜେପି ଯାଆଙ୍କୁ ନିଜ ଆଦର୍ଶ କହିଥାଏ, ଆଜି ସେହି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଦିନ । ଆଜି ସେ ନାହାଁନ୍ତି ସତ, କିନ୍ତୁ କୋଟି କୋଟି ଭାରତୀୟଙ୍କ ଭିତରେ ତାଙ୍କ ବିଚାରଧାରା ଶୋଭାପାଉଛି । ଦେଶ ପାଇଁ ତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ମନେପକାଉଛନ୍ତି ଭାରତବାସୀ ।
୧୯୦୧ ମସିହା ଜୁଲାଇ ୬ ତାରିଖରେ ପଶ୍ଚିମବଙ୍ଗର କୋଲକତାରେ ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରନ୍ତି ଶ୍ୟାମା ପ୍ରସାଦ । ତାଙ୍କ ପିତା ଆଶୁତୋଷ ମୁଖାର୍ଜୀ ପଶ୍ଚିମବଙ୍ଗର ଜଣେ ବିଶିଷ୍ଟ ଆଇନଜୀବୀ ଥିଲେ । ୧୯୨୧ରେ ଶ୍ୟାମା ପ୍ରସାଦ କୋଲକତା ବିଶ୍ୱବିଦ୍ୟାଳୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସେହିପରି ୧୯୨୩ରେ ଏମଏ ଓ ୧୯୨୪ରେ ବିଏଲ କରିଥିଲେ । ୧୯୨୩ରେ ସିନେଟର ସଦସ୍ୟ ମଧ୍ୟ ହୋଇଥିଲେ ଶ୍ୟାମା ପ୍ରସାଦ ମୁଖାର୍ଜୀ । ସେହିପରି ପିତାଙ୍କ ମୃତ୍ୟୁ ପରେ କୋଲକତା ହାଇକୋର୍ଟରେ ଆଇନଜୀବୀ ଭାବେ କାମ କରିଥିଲେ । ପରବର୍ତ୍ତୀ ସମୟରେ ୧୯୨୬ରେ ଇଂଲଣ୍ଡ ଯାଇ ୧୯୨୭ ବେଳକୁ ବାରିଷ୍ଟର ହୋଇସାରିଥିଲେ ଡ. ମୁଖାର୍ଜୀ ।
ସବୁଠାରୁ କମ ବୟସର କୁଳପତି
ଶ୍ୟାମା ପ୍ରସାଦ ମୁଖାର୍ଜୀ ମାତ୍ର ୩୩ ବର୍ଷ ବୟସରେ କୋଲକତା ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ । ଭାରତରେ ଆଜି ପର୍ଯ୍ୟନ୍ତ ଏତେ କମ୍ ବୟସରେ କେହି ମଧ୍ୟ କୁଳପତି ହୋଇନାହାଁନ୍ତି । ତାଙ୍କ ପିତା ଆଶୁତୋଷ ମୁଖାର୍ଜୀ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ କୁଳପତି ଥିଲେ । ୧୯୩୮ ପର୍ଯ୍ୟନ୍ତ ଡ. ମୁଖାର୍ଜୀ ଏହି ପଦରେ ଥିଲେ । ନିଜ କାର୍ଯ୍ୟକାଳ ସମୟରେ ବିଶ୍ୱବିଦ୍ୟାଳୟରେ ଅନେକ ସୁଧାର ଆଣିଥିଲେ ।
ଶ୍ୟାମ ପ୍ରସାଦ ମୁଖାର୍ଜୀ ନେହେରୁଙ୍କ ଠାରୁ ଅଲଗା ହୋଇ ୧୯୫୧ରେ ଭାରତୀୟ ଜନସଂଘ ଗଠନ କରିଥିଲେ । ଜମ୍ମୁ କାଶ୍ମୀରରେ ଧାରା ୩୭୦ ନେଇ ବିରୋଧ କରୁଥିଲେ ଶ୍ୟାମା ପ୍ରସାଦ । ସେହିପରି ଗୋଟିଏ ଦେଶରେ ଦୁଇ ପ୍ରଧାନମନ୍ତ୍ରୀ(ଜମ୍ମୁ କାଶ୍ମୀର ଲୋକଙ୍କ ପାଇଁ) ନେଇ ମଧ୍ୟ ଦୃଢ଼ ବିରୋଧ କରିଥିଲେ । ଆଜି ବିଜେପି ସରକାର ଜମ୍ମୁ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ କରିଛନ୍ତି , ଯାହାକି ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସ୍ୱପ୍ନ ଥିଲା । ଗୋଟିଏ ଦେଶରେ ଦୁଇ ବିଧାନ, ଦୁଇ ନିଶାନ ଓ ଦୁଇ ପ୍ରଧାନ ବିରୋଧରେ ସ୍ୱର ଉଠାଇଥିଲେ ଶ୍ୟାମ ପ୍ରସାଦ ।
ସେହିପରି ୧୯୫୩ ମସିହାରେ ସେ ବିନା ପରମିଟରେ କାଶ୍ମୀର ଗସ୍ତ କରିଥିଲେ । ଜମ୍ମୁ କାଶ୍ମୀରର ତତକାଳୀନ ଶେଖ ଅବଦୁଲ୍ଲା ସରକାର ଦ୍ୱାରା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା । ଏହି ସମୟରେ ରହସ୍ୟମୟ ଭାବେ ତାଙ୍କର ମୃତ୍ୟୁ ହୋଇଥିଲା । ପରବର୍ତ୍ତୀ ସମୟରେ ଜମ୍ମୁ କାଶ୍ମୀରରୁ ପରମିଟ ବ୍ୟବସ୍ଥାକୁ ଉଠାଇ ନେଇଥିଲେ ତତକାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ।