ମହାରାଷ୍ଟ୍ର ଓ ତାମିଲନାଡ଼ୁ ପରି ରାଜ୍ୟ ଏବେ ଦିଲ୍ଲୀକୁ ରୋଲ ମଡେଲ ଭାବେ ଗ୍ରହଣ କରିବା ଦରକାର କି ? କେମିତି କୋରୋନା ମୁକାବିଲାରେ ଏତେ ସଫଳ ହୋଇଛି ଦିଲ୍ଲୀ ?
Trending Photos
)
ନୂଆଦିଲ୍ଲୀ: ସମଗ୍ର ଦେଶରେ ତୀବ୍ର ଗତିରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ହେଲେ ଦିଲ୍ଲୀରେ ଏହାକୁ ଗୋଟିଏ ପ୍ରକାର ନିୟନ୍ତ୍ରଣକୁ ନିଆଯାଇପାରିଛି । ଆକ୍ରାନ୍ତଙ୍କ ସଂଖ୍ୟାରେ ତୃତୀୟ ସ୍ଥାନରେ ରହିଛି ସତ, କିନ୍ତୁ ରିକୋଭରୀ ରେଟ ୭୧ ପ୍ରତିଶତରେ ପହଞ୍ଚିଲାଣି । କିଛି ଦିନ ପୂର୍ବରୁ ଦିଲ୍ଲୀରେ କୋରୋନା ତାଣ୍ଡବ ରଚିବ ବୋଲି ଆଶଙ୍କା କରାଯାଉଥିଲା । ହେଲେ ଏମିତି କ'ଣ ହେଲା ଯେ, କୋରୋନା ନିୟନ୍ତ୍ରଣକୁ ଆସିଗଲା ?
ମହାରାଷ୍ଟ୍ର ଓ ତାମିଲନାଡ଼ୁ ପରି ରାଜ୍ୟ ଏବେ ଦିଲ୍ଲୀକୁ ରୋଲ ମଡେଲ ଭାବେ ଗ୍ରହଣ କରିବା ଦରକାର କି ? କେମିତି କୋରୋନା ମୁକାବିଲାରେ ଏତେ ସଫଳ ହୋଇଛି ଦିଲ୍ଲୀ ? ଏଠି କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି । କୁହାଯାଉଛି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଉଚିତ ସମନ୍ୱୟ ଯୋଗୁ ଦିଲ୍ଲୀରେ କୋରୋନା ମୁକାବିଲା ବେଶି ସଫଳ ହୋଇପାରିଛି । କେବଳ ଏତିକି ନୁହେଁ, ଉଭୟ ସରକାର ନେଇଥିବା କିଛି ନିଷ୍ପତ୍ତି କୋରୋନା ମୁକାବିଲା ଦିଗରେ ବେଶ ସହାୟକ ହୋଇଛି ।
ଦେଢ଼ ମାସ ପୂର୍ବରୁ ଯେତେବେଳେ ଦିଲ୍ଲୀରେ ଲକଡାଉନ ଖୋଲିଥିଲା, ସେତେବେଳେ କୋରୋନାକୁ ନିୟନ୍ତ୍ରଣ କରିବା ଦିଲ୍ଲୀ ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ତୀବ୍ର ଗତିରେ ବଢ଼ିବାରେ ଲାଗିଥିଲା । ମେଡିକାଲରେ ବେଡର ଅଭାବ ରହିଥିଲା । କୋରୋନା ଟେଷ୍ଟ କରିବାରେ ମଧ୍ୟ ସମସ୍ୟା ଉପୁଜିଥିଲା । ଅନୁମାନ କରାଯାଉଥିଲା, ୩୦ ଜୁନ ଭିତରେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ପାର କରିଯିବ । ସେହିପରି ଜୁଲାଇ ଶେଷ ବେଳକୁ ଏହି ସଂଖ୍ୟା ସାଢ଼େ ପାଞ୍ଚ ଲକ୍ଷ ହୋଇଯିବ ବୋଲି ଆଶଙ୍କା କରାଯାଇଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତି ଦେଖିଲେ ମନେହେଉଛି, ଦିଲ୍ଲୀ କୋରୋନା ମୁକାବିଲା ଦିଗରେ ବେଶ୍ ସଫଳ ହେଲାଣି । ଏବେ କୋରୋନା ନିୟନ୍ତ୍ରଣକୁ ଆସିଯାଇଛି ।
କୋରୋନା ମୁକାବିଲାରେ କେମିତି ସଫଳ ହୋଇଛି ଦିଲ୍ଲୀ ?
(୧) ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ କମିଟି ଗଠନ କରାଯାଇଛି । ସେହିପରି ବିକେ ପାଲ କମିଟି ମଧ୍ୟ ଗଠନ ହୋଇଥିଲା । ଏମସ୍ସ ନିର୍ଦ୍ଦେଶକ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ ଏହି କମିଟିରେ ରହିଥିଲେ । କୋରୋନାକୁ କିପରି ନିୟନ୍ତ୍ରଣକୁ ଅଣାଯିବ, ସେଦିଗରେ କମିଟିମାନେ କାମ କରୁଛନ୍ତି ।
(୨) କୋରୋନା ମୁକାବିଲା କ୍ଷେତ୍ରରେ ବଡ଼ ଚ୍ୟାଲେଞ୍ଜ ରହିଥିଲା ମ୍ୟାନ ପାୱାର । ବିଭିନ୍ନ ସଂସ୍ଥା ସହ ଆଲୋଚନା କରି ଏହାର ସମାଧାନ କରାଯାଇଛି ।
(୩) ପୂର୍ବରୁ ଅଧିକ ସଂଖ୍ୟକ କୋରୋନା ଟେଷ୍ଟ କରିବା ସମ୍ଭବ ହେଉନଥିଲା । ପରବର୍ତ୍ତୀ ସମୟରେ ଏହା ଉପରେ ଗୁରୁତ୍ୱ ଦିଆଯାଇଛି । ଏବେ ଦୈନିକ ୨୦ ହଜାରରୁ ଅଧିକ ନମୂନା ପରୀକ୍ଷା କରାଯାଉଛି । ସେହିପରି ବିକେ ପାଲ କମିଟିର ସୁପାରିଶ କ୍ରମେ ଘରୋଇ ଡାକ୍ତରଖାନା ଓ ଲ୍ୟାବ ଗୁଡ଼ିକରେ କୋରୋନା ଟେଷ୍ଟ ଫି ମଧ୍ୟ କମ୍ କରାଯାଇଛି । ପୂର୍ବରୁ କୋରୋନା ଟେଷ୍ଟ ପାଇଁ ୪୫ଶହ ଟଙ୍କା ଖର୍ଚ୍ଚ ହେଉଥିଲା । ଏବେ ଏହା ୨୪ ଶହ ଟଙ୍କାରେ ହୋଇପାରୁଛି ।
(୪) କଣ୍ଟ୍ରାକ୍ଟ ଟ୍ରେସିଂ ଓ କଣ୍ଟେନମେଣ୍ଟ ଜୋନର ମ୍ୟାନେଜମେଣ୍ଟ ମଧ୍ୟ ଅତି ସୁନ୍ଦର ଭାବେ କରାଯାଇଛି । ଦିଲ୍ଲୀରେ କଣ୍ଟେନମେଣ୍ଟ ଜୋନର ଆକଳନ କିପରି କରାଯିବ, ସେନେଇ ଦିଲ୍ଲୀ ସରକାରଙ୍କ ସହଯୋଗରେ ଏକ ବଡ଼ ଅଭିଯାନ କରାଯାଇଥିଲା । ଏହା ବେଶ ସଫଳ ହୋଇଛି ମଧ୍ୟ ।
(୫) ଡୋର ଟୁ ଡୋର ସର୍ଭେ ମଧ୍ୟ କରାଯାଉଛି । ସ୍ୱାସ୍ଥ୍ୟ କର୍ମଚାରୀ ଘରକୁ ଘର ଯାଇ ସ୍କ୍ରିନିଂ କରୁଛନ୍ତି । କୋରୋନା ଲକ୍ଷଣ ଦେଖାଗଲେ, ତୁରନ୍ତ ଟେଷ୍ଟ କରାଯାଉଛି ।
(୬) କିଛି ଦିନ ପୂର୍ବରୁ ଦିଲ୍ଲୀରେ କୋଭିଡ ବେଡ ସଂଖ୍ୟା ଅଭାବ ଥିବା ନେଇ ଖବର ଆସିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଅଧିକ ସଂଖ୍ୟକ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଥିଲା ।
(୭) ଘରୋଇ ମେଡିକାଲରେ କୋରୋନା ଚିକିତ୍ସା ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଘରୋଇ ହସ୍ପିଟାଲରେ ଏବେ ଆଇସୋଲେଶନ ଖର୍ଚ୍ଚ ଦୈନିକ ୮ ହଜାର ଟଙ୍କା ରହିଛି । ସେହିପରି ବିନା ଆଇସିୟୁରେ ଭେଣ୍ଟିଲେଟର ପାଇଁ ଦୈନିକ ୧୪ ହଜାର ଟଙ୍କା ଓ ଆଇସିୟୁ ସହ ଭେଣ୍ଟିଲେଟର ପାଇଁ ୧୮ ହଜାର ଟଙ୍କା ଦେବାକୁ ପଡ଼ୁଛି ।
(୮) ଦିଲ୍ଲୀର ସ୍ଥିତି ଦେଖି ଗୃହ ମନ୍ତ୍ରାଳୟ ଏକ ବିସ୍ତୃତ ହୋମ ଆଇସେଲେଶନ ପଲିସି ପ୍ରସ୍ତୁତ କରିଛି । କୋରୋନା ମୁକାବିଲା ଦିଗରେ ଏହା ବେଶ ସହାୟକ ହୋଇଛି ।
(୯) ଦେଶର ସର୍ବପ୍ରଥମେ ଦିଲ୍ଲୀରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ କରାଯାଇଥିଲା । ଏହାରି ମାଧ୍ୟମରେ ବହୁ ଆକ୍ରାନ୍ତ ସୁସ୍ଥ ମଧ୍ୟ ହେଲେଣି । ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ ଏହାକୁ ଆପଣେଉଛନ୍ତି । ଦିଲ୍ଲୀରେ ପ୍ଲାଜମା ବ୍ୟାଙ୍କ ମଧ୍ୟ ଆରମ୍ଭ ହୋଇଛି ।
(୧୦) ହୋମ ଆଇସେଲେଶନରେ ଥିବା ରୋଗୀଙ୍କୁ ଅକ୍ସିମିଟର ଯୋଗାଇ ଦିଆଯାଉଛି । ଶରୀରରେ ଅମ୍ଲଜାନ କମ୍ ହେଲେ, ଏହାରି ମାଧ୍ୟମରେ ରୋଗୀ ଜାଣିପାରୁଛି । ପରବର୍ତ୍ତୀ ସମୟରେ ମେଡିକାଲ ଟିମ ଯାଇ ରୋଗୀଙ୍କୁ ଅକ୍ସିଜେନ ସୁବିଧା ଉପଲବ୍ଧ କରୁଛନ୍ତି । ଫଳରେ କୋରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚିଯାଉଛି ।