ମୁଁ ମାତା ଶବରୀଙ୍କ ବଂଶଧର, ମନ୍ଦିର ନିର୍ମାଣ ସହ ଚାହୁଁଛି ଭେଦଭାବମୁକ୍ତ ସମାଜ: ଚିରାଗ ପାଶ୍ୱାନ
Advertisement

ମୁଁ ମାତା ଶବରୀଙ୍କ ବଂଶଧର, ମନ୍ଦିର ନିର୍ମାଣ ସହ ଚାହୁଁଛି ଭେଦଭାବମୁକ୍ତ ସମାଜ: ଚିରାଗ ପାଶ୍ୱାନ

ଅଯୋଧ୍ୟାରେ ନିର୍ମିତ ହେବାକୁ ଥିବା ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମତ ରଖିଛନ୍ତି ଏଲଜେପି ସଭାପତି ଚିରାଗ ପାଶୱାନ।

ମୁଁ ମାତା ଶବରୀଙ୍କ ବଂଶଧର, ମନ୍ଦିର ନିର୍ମାଣ ସହ ଚାହୁଁଛି ଭେଦଭାବମୁକ୍ତ ସମାଜ: ଚିରାଗ ପାଶ୍ୱାନ

ନୂଆଦିଲ୍ଲୀ: ଧର୍ମ ନଗରୀ ଅଯୋଧ୍ୟାରେ ହେବାକୁ ଥିବା ଭୂମି ପୂଜନ ଲାଗି ଦିନ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଏବଂ ବୟାନବାଜି ସେତିକି ଅଧିକ ହେବାରେ ଲାଗିଛି। ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ଆଉ ୩ ଦିନ ବାକି ରହିଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଏବେ ଏହି ପ୍ରସଙ୍ଗରେ ଲୋକ ଜନଶକ୍ତି ପାର୍ଟି-ଏଲଜେପି(Lok Janshakti Party-LJP) ସଭାପତି ଚିରାଗ ପାଶୱାନ ଏପରି କିଛି ମତାମତ ରଖିଛନ୍ତି, ଯାହା ତାଙ୍କୁ ଚର୍ଚ୍ଚାର ପରିସର ମଧ୍ୟକୁ ଆଣିଛି।

 

ମନ୍ଦିର ନିର୍ମାଣକୁ ସ୍ୱାଗତ କରିଛନ୍ତି ଏଲଜେପି ସଭାପତି  
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ସ୍ୱାଗତ କରିଛନ୍ତି କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧିନ ଏନଡିଏର ସହଯୋଗୀ ଏଲଜେପିର ସଭାପତି ଚିରାଗ ପାଶୱାନ। ଏହା ସହିତ ସେ ନିଜକୁ ଶବରୀଙ୍କ ବଂଶଧର ବୋଲି ମଧ୍ୟ କହିଛନ୍ତି। ରବିବାର ଏ ପ୍ରସଙ୍ଗରେ ମତ ରଖି ସେ କହିଛନ୍ତି ମୁଁ ମାତା ଶବରୀଙ୍କ ବଂଶଜ। ମୋ ଜୀବନକାଳରେ ମନ୍ଦିର ନିର୍ମାଣ ମୋର ଚରମ ସୌଭାଗ୍ୟ।

ସମାନତାର ପ୍ରତୀକ ହେବ ରାମ ମନ୍ଦିର 
ଏହା ସହିତ ଏଲଜେପି ସଭାପତି  ଆହୁରି କହିଛନ୍ତି ଆମେ ବିଶ୍ୱାସ କରୁ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ସହିତ ପ୍ରଭୁ ରାମଙ୍କ ଚିନ୍ତାଧାରା ଲୋକଙ୍କ ନିକଟରେ ପହଞ୍ଚିବ। ଏପରି ଏକ ସମାଜ ଗଠନ ହେବ ଯେଉଁଠାରେ କାହା ସହିତ କୌଣସି  ଭେଦଭାବ କରାଯିବ ନାହିଁ। ରାମ ରାଜ୍ୟର ଦୃଷ୍ଟିକୋଣ ଏପରି ହେବା ଉଚିତ ଯେଉଁଠି ଜାତି ଭିତ୍ତିରେ କିମ୍ବା ଧନୀ-ଗରିବ ଅଥବା ହିନ୍ଦୁ-ମୁସଲମାନ ଆଧାରରେ କାହା ସହିତ କୌଣସି ପ୍ରକାର ଭେଦଭାବ ହେବ ନାହିଁ।। ମନ୍ଦିର ନିର୍ମାଣ କେବଳ ମଣିଷ ନୁହେଁ ସମସ୍ତ ପ୍ରାଣୀ, ପଶୁପକ୍ଷୀଙ୍କ ଲାଗ  ଖୁସି ଏବଂ ସନ୍ତୋଷର ବିଷୟ ହେବ।

ବିନା ଭେଦଭାବରେ ଗଠିତ ହେଉ ସମାଜ 
ଚିରାଗ ପାଶୱାନ କହିଛନ୍ତି, ମାତା ଶାବରୀଙ୍କ ଭକ୍ତି ଏବଂ ପ୍ରେମର ପ୍ରଭାବ ଏତେ ଥିଲା ଭଗବାନ ରାମ ବିନା ଦ୍ୱିଧାରେ ଆସି ତାଙ୍କ ଠାରୁ ଫଳ ଖାଉଥିଲେ। ସେ କହିଛନ୍ତି ବଞ୍ଚିତ ଶ୍ରେଣୀରୁ ଆସିବା ସତ୍ତ୍ୱେ ଭଗବାନ ରାମଙ୍କ ମାତା ଶବରୀଙ୍କ ପ୍ରତି କୌଣସି ଭେଦଭାବ ନଥିଲା । ମନ୍ଦିର ନିର୍ମାଣ ସହିତ ପ୍ରଭୁ ରାମଙ୍କ ଏହି ଧାରଣାକୁ ଗ୍ରହଣ କରି ଆମକୁ ଏପରି ଏକ ସମାଜ ଗଠନ କରିବାକୁ ପଡିବ ଯେଉଁଠାରେ କାହା ସହିତ କୌଣସି ଭେଦଭାବ କରାଯିବା ନାହିଁ।