)
ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି । ଏହି ଗୁଜବ ପ୍ରଚାରିତ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହା ନିଜେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର କୌଣସି ରୋଗ ନାହିଁ । ମୋର ମୃତ୍ୟୁ ପାଇଁ ଅନେକ ଲୋକ ଟ୍ୱିଟ୍ କରି ପ୍ରାର୍ଥନା କରିଛନ୍ତି । ହିନ୍ଦୁ ବିଶ୍ୱାସରେ ଏପରି ଗୁଜବ ସ୍ୱାସ୍ଥ୍ୟକୁ ଆହୁରି ଅଧିକ ମଜବୁତ କରେ । ତାଙ୍କର କୌଣସି ରୋଗ ନାହିଁ ବୋଲି ସେ କହିଛନ୍ତି ।
मेरे स्वास्थ्य की चिंता करने वाले सभी लोगों को मेरा संदेश। pic.twitter.com/F72Xtoqmg9
— Amit Shah (@AmitShah) May 9, 2020
ଅମିତ ଶାହା ଟ୍ୱିଟରରେ ଏହା ଉପରେ ସମ୍ପୂର୍ଣ୍ଣ ବୟାନ ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, 'ଗତ କିଛି ଦିନ ହେବ କିଛି ବନ୍ଧୁ ସୋସିଆଲ ମିଡିଆରେ ମୋ ସ୍ୱାସ୍ଥ୍ୟ ବିଷୟରେ ଗୁଜବ ପ୍ରଚାର କରିଥିଲେ । ଏପରିକି ଅନେକ ଲୋକ ଟ୍ୱିଟ୍ କରି ମୋ ମୃତ୍ୟୁ ପାଇଁ ପ୍ରାର୍ଥନା କରିଛନ୍ତି । ବର୍ତ୍ତମାନ ଦେଶ କୋରୋନା ଭୂତାଣୁ ପରି ବିଶ୍ୱବ୍ୟାପୀ ରୋଗ ସହ ଲଢ଼େଇ କରୁଛି । ଦେଶର ଗୃହମନ୍ତ୍ରୀ ହୋଇ ମୁଁ ଦିନରାତି ବ୍ୟସ୍ତ ଥିବାରୁ ଏସବୁ ପ୍ରତି ଧ୍ୟାନ ଦେଇ ପାରିଲି ନାହିଁ । ଯେତେବେଳେ ଏହା ମୋ ନଜରକୁ ଆସିଲା । ମୁଁ ଭାବିଲି ଯେ ଲୋକମାନେ ସେମାନଙ୍କର କଳ୍ପିତ ଚିନ୍ତାଧାରାକୁ ଉପଭୋଗ କରିବା ଉଚିତ । ତେଣୁ ମୁଁ କୌଣସି ସ୍ପଷ୍ଟୀକରଣ ଦେଇ ନଥିଲି ।
ସେ ଆହୁରି କହିଛନ୍ତି ଯେ, କିନ୍ତୁ ମୋର ଦଳର କର୍ମୀ ଏବଂ ଶୁଭେଚ୍ଛୁମାନେ ଗତ ଦୁଇ ଦିନ ଧରି ବହୁତ ଚିନ୍ତା ପ୍ରକଟ କରିଛନ୍ତି । ମୁଁ ସେମାନଙ୍କ ଚିନ୍ତାକୁ ଅଣଦେଖା କରିପାରିବି ନାହିଁ । ତେଣୁ ଆଜି ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ମୋର କୌଣସି ରୋଗ ନାହିଁ । ହିନ୍ଦୁ ବିଶ୍ୱାସ ଅନୁଯାୟୀ ଏଭଳି ଗୁଜବ ସ୍ୱାସ୍ଥ୍ୟକୁ ମଜବୁତ କରିଥାଏ । ସେଥିପାଇଁ ମୁଁ ଏହିପରି ସମସ୍ତ ଲୋକଙ୍କଠାରୁ ଆଶା କରେ ଯେ ଏହିପରି ଜିନିଷଗୁଡ଼ିକୁ ବୃଥା ଛାଡି ଦେଇ ମୋତେ ମୋର କାମ କରିବାକୁ ଦେବେ ଏବଂ ସ୍ୱୟଂ ମଧ୍ୟ ନିଜ କାମ କରିବେ । ମୋର ଶୁଭେଚ୍ଛୁକ ଏବଂ ଦଳ କର୍ମୀଙ୍କୁ ମୋର ଚିନ୍ତା କରିଥିବାରୁ ମୁଁ ଧନ୍ୟବାଦ ଜଣାଉଛି । ଯେଉଁମାନେ ଏହି ଗୁଜବ ପ୍ରଚାର କରୁଛନ୍ତି ସେମାନଙ୍କ ପ୍ରତି ମୋ ମନରେ କୌଣସି ଦ୍ୱେଷ ବା ଦୁର୍ଭାବନା ନାହିଁ । ଆପଣଙ୍କୁ ମଧ୍ୟ ଧନ୍ୟବାଦ ।