ବଢିବ ଟ୍ରେନସ୍ପୀଡ: କଟକ ଏବଂ ଭୁବନେଶ୍ୱର ଷ୍ଟେସନରେ ହୋଇଛି ବାଲାଷ୍ଟ ଟ୍ରାକ ନିର୍ମାଣ

ଟ୍ରେନସ୍ପୀଡ ବଢାଇବାକୁ କଟକ ଏବଂ ଭୁବନେଶ୍ୱର ଷ୍ଟେସନରେ ନିର୍ମାଣ ହୋଇଛି ବାଲାଷ୍ଟ ଟ୍ରାକ |

ବଢିବ ଟ୍ରେନସ୍ପୀଡ: କଟକ ଏବଂ ଭୁବନେଶ୍ୱର ଷ୍ଟେସନରେ ହୋଇଛି ବାଲାଷ୍ଟ ଟ୍ରାକ ନିର୍ମାଣ

ଭୁବନେଶ୍ୱର: ଟ୍ରେନ ସେବାକୁ ପ୍ରଭାବିତ ନକରି ଲକ ଡାଉନ ସମୟରେ ବହୁ ପୂର୍ବରୁ କାର୍ଯ୍ୟକାରୀ ହେବାକୁ ଥିବା ଭିତ୍ତିଭୂମି ମରାମତି ଓ ଆଧୁନିକୀକରଣ କାର୍ଯ୍ୟକୁ ସମ୍ପାଦନ କରିବ ପାଇଁ ଅଣ୍ଟାଭିଡିଛି ପୂର୍ବତଟ ରେଳବାଇ | ଭୁବନେଶ୍ୱର ରେଳ ଷ୍ଟେସନରେ ଡାଉନ ମେନ ଲାଇନ ଏବଂ କଟକରେ ଅପ ମେନ ଲାଇନରେ ଉଚ୍ଚ କ୍ଷମତା ସମ୍ପନ୍ନ ମେସିନ ବ୍ୟବହାର କରି ଟ୍ରେନ ଚଳାଚଳର ବେଗକୁ ବୃଦ୍ଧି କରିବା ଵାଲାଷ୍ଟ ଟ୍ରାକ ସ୍ଥାପନ କରାଯାଇଛି | ଯାହାଦ୍ୱାରା ଏହି ଲାଇନରେ ଟ୍ରେନସ୍ପୀଡକୁ ବୃ୍ଦ୍ଧି କରାଯାଇ ପାରିବ | 

ପୂର୍ବରୁ ଖରାପ ହୋଇଯାଇଥିବା ୱାସେଵେଲ ଆପ୍ରନ ଯୋଗୁଁ ଟ୍ରେନର ବେଗକୁ ନିୟନ୍ତ୍ରିତ କରାଯାଉଥିଲା | ଏବେ ଏହାକୁ ବଦଳାଯାଇ ଵାଲାଷ୍ଟ ଟ୍ରାକ କରାଯିବାର ଯୋଜନା ଥିଲା | ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳ ଲାଇନରେ ବହୁ ସଂଖ୍ୟକ ଟ୍ରେନ ଯାତାୟାତ ଯୋଗୁଁ ଏହା ସମ୍ଭବପର ହୋଇ ପାରୁନଥିଲା | ଏହି କାର୍ଯ୍ୟ କରିବା ପାଇଁ ନିୟମିତ ଭାବେ ଚାଲିଥିବା ଟ୍ରେନ ସେବାକୁ ଅନେକ ଦିନ ପର୍ଯ୍ୟନ୍ତ ସ୍ଥଗିତ କିମ୍ବା ବାତିଲ କରିବାକୁ ପଡିଥାନ୍ତା | 

ଲକ ଡାଉନର ପ୍ରାରମ୍ଭିକ ସମୟରେ ଟ୍ରେନ ସେବାକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରାଯାଇଥିଲା | ପରେ ପ୍ରବାସୀ ଶ୍ରମିକଙ୍କ ସୁବିଧା ପାଇଁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ସହିତ କେତେକ ଆନ୍ତଃରାଜ୍ୟ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଥିଲା | ପୂର୍ବତଟ ରେଳବାଇ ପକ୍ଷରୁ ଉଭୟ କଟକ ଓ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବର ୱାସେଵେଲ ଆପ୍ରନକୁ ପରିବର୍ତ୍ତନ କରି ଵାଲାଷ୍ଟ ଟ୍ରାକ ବିଛାଇବା କାମ ଏହି ସମୟ ମଧ୍ୟରେ କରାଯାଇଛି | 

ନିୟମିତ ଟ୍ରେନ ଚଳାଚଳ କରୁଥିବା ସମୟରେ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ହୋଇଥିଲେ ହାଓଡ଼ା-ଚେନ୍ନାଇ ବ୍ୟସ୍ତ ବହୁଳ ରେଳ ମାର୍ଗରେ ଅନେକ ଦିନ ପାଇଁ ବହୁ ଟ୍ରେନ ସେବାକୁ ବାତିଲ କରିବାକୁ ପଡିଥାନ୍ତା | ଏହା ସହିତ ଉଭୟ ଷ୍ଟେସନ ଠାରେ ନିୟନ୍ତ୍ରିତ ଟ୍ରେନ ବେଗକୁ ପରିବର୍ତ୍ତନ କରାଯାଇ ଘଣ୍ଟା ପ୍ରତି ୧୫ କି.ମି ପରିବର୍ତ୍ତେ ବେଗକୁ ବୃଦ୍ଧି କରାଯିବା ସହ ଘଣ୍ଟା ପ୍ରତି ୧୧୦ କି.ମି ବେଗରେ ଚଳାଚଳ କରାଇବା ପାଇଁ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି | 

ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଟ୍ରେନର ବେଗ ବଢାଇବାକୁ ନେଇ ଭାରତୀୟ ରେଳବାଇ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ମିଶନକୁ ମଧ୍ୟ ଏହା ସହାୟକ ହୋଇପାରିବ |