)
ଭୁବନେଶ୍ୱର: ଦିଲ୍ଲୀ ବସ୍ଫୋରଣ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇପାରେ ଭାରତ। ଏଥିନେଇ ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି ସୁରକ୍ଷା ସମ୍ବନ୍ଧିତ କ୍ୟାବିନେଟ୍ କମିଟି ବୈଠକ। ଏହି ବୈଠକରେ ଦେଶର ପ୍ରତିରକ୍ଷା ଓ ଗୁଇନ୍ଦା ସମ୍ବନ୍ଧିତ ବରିଷ୍ଠ ଅଧିକାରୀ ଓ ମନ୍ତ୍ରୀମାନେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆବାସରେ ଏହି ବୈଠକ ଚାଲିଛି। ପ୍ରଧାନମନ୍ତ୍ରୀ ଭୂଟାନରୁ ଫେରିବା ପରେ ଏହି ବୈଠକରେ ଯୋଗ ଦେଇଥିଲେ।
ଭୂଟାନରୁ ଆସିବା ପରେ ସିଧାସଳଖ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିସ୍ଫୋରଣ ଆହତଙ୍କୁ ଭେଟିଥିଲେ। ଏହା ଇଙ୍ଗିତ ଦେଇଥିଲା ଯେ ଆତଙ୍କୀ ଘଟଣାକୁ ଭାରତ ଗମ୍ଭୀରତାର ସହ ଗ୍ରହଣ କରିଛି। ଏହାପରେ ପ୍ରଧାନମନ୍ତ୍ରୀ ପୁଣି କହିଥିଲେ ଷଡ଼ଯନ୍ତ୍ର ହୋଇଛି। ଏହି ଷଡ଼ଯନ୍ତ୍ରକାରୀଙ୍କ ପ୍ରତି ଭାରତ ଉଚିତ କାର୍ଯ୍ୟାନୁଷ୍ଠାନ ନେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀର ଲୋକନାୟକ ଜୟପ୍ରକାଶ (ଏଲଏନଜେପି) ହସ୍ପିଟାଲ ପରିଦର୍ଶନ କରି ଦିଲ୍ଲୀ ବିସ୍ଫୋରଣ ଆହତମାନଙ୍କୁ ଭେଟିଛନ୍ତି । ସେ ପୀଡ଼ିତ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କ ଚିକିତ୍ସା ବିଷୟରେ ପଚାରି ବୁଝିଛନ୍ତି ଏବଂ ସେମାନଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।
ଏହି ଘଟଣା ଉପରେ ଗଭୀର ଚିନ୍ତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। "ଷଡ଼ଯନ୍ତ୍ର ପଛରେ ଥିବା ଲୋକଙ୍କୁ ନ୍ୟାୟ ଦିଆଯିବ," ସେ ଦୃଢ଼ ଭାବରେ କହିଛନ୍ତି। ସୋଶାଲ୍ ମିଡିଆ ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ଦିଲ୍ଲୀରେ ବିସ୍ଫୋରଣ ସମୟରେ ଆହତମାନଙ୍କୁ ଏଲଏନଜେପି ହସ୍ପିଟାଲ ଯାଇ ଭେଟିଲି। ସମସ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଷଡ଼ଯନ୍ତ୍ର ପଛରେ ଥିବା ଲୋକଙ୍କୁ ଉଚିତ ଶାସ୍ତି ଦିଆଯିବ !"
ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲ କିଲ୍ଲାଠାରେ ଏହି ବିସ୍ଫୋରଣ ଘଟିଥିଲା। ଏଥିରେ ୧୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।