)
ନୂଆଦିଲ୍ଲୀ: Coronavirus In India: ସାରା ବିଶ୍ୱ ସମେତ ଭାରତରେ କୋରୋନା ସଙ୍କଟ (Coronavirus Crisis) ଜାରି ରହିଛି । ଭାରତରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି । ଆମେରିକା ପରେ ମୋଟ କୋରୋନା ସଂକ୍ରମିତ (Coronavirus Positive) ମାମଲା କ୍ଷେତ୍ରରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଗୋଟିଏ ଦିନରେ ୯୦,୮୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପରେ ବିଶ୍ୱରେ ପ୍ରଥମ ଥର ପାଇଁ କୌଣସି ଦେଶରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାପରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୪୨ ଲକ୍ଷ ଅତିକ୍ରମ କରିଛି । ସେଥିମଧ୍ୟରୁ ୩୨ ଲକ୍ଷ ୫୦ ହଜାର ୪୨୯ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ସୁସ୍ଥ ହାର ହେଉଛି ୭୭.୩୦ ପ୍ରତିଶତ । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୧,୦୧୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଯାହା ଫଳରେ ଦେଶରେ କୋରୋନା (COVID-19) ଜନିତ ମୃତ୍ୟୁ ସଂଖ୍ୟା ୭୧,୬୪୨ରେ ପହଞ୍ଚିଛି । ଯାହା ପରେ ଦେଶରେ କୋରୋନା ଯୋଗୁଁ ମୃତ୍ୟୁ ହାର ୧.୭୦ ପ୍ରତିଶତ ରହିଛି । ଦେଶରେ ବର୍ତ୍ତମାନ ସମୟରେ ଦେଶରେ ୮ ଲକ୍ଷ ୮୨ ହଜାର ୫୪୨ ସକ୍ରିୟ କୋରୋନା ମାମଲା ରହିଛି । ଯାହା ମୋଟ ସଂକ୍ରମିତଙ୍କ ୨୦.୯୯ ପ୍ରତିଶତ ଅଟେ ।
ଭାରତର ୭ଟି ପଡ଼ୋଶୀ ଦେଶରେ କୋରୋନା ସ୍ଥିତି
ଭାରତର ସୀମାବର୍ତ୍ତୀ ଦେଶଗୁଡ଼ିକରେ ଉତ୍ତର-ପଶ୍ଚିମରେ ଆଫଗାନିସ୍ତାନ ଓ ପାକିସ୍ଥାନ, ଉତ୍ତରରେ ଚୀନ୍, ଭୁଟାନ ଏବଂ ନେପାଳ, ପୂର୍ବରେ ବାଂଲାଦେଶ ଏବଂ ସୁଦୂର ପୂର୍ବରେ ମିଆଁମାର ସାମିଲ ରହିଛି । ସେଥିମଧ୍ୟରୁ ଭୁଟାନରେ କୋରୋନାର ସର୍ବନିମ୍ନ ପ୍ରଭାବ ରହିଛି, ଯେଉଁଠାରେ ଏପର୍ଯ୍ୟନ୍ତ କେବଳ ୨୨୮ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ଏଥିମଧ୍ୟରୁ ୧୫୦ ଜଣ ଆରୋଗ୍ୟ ଲାଭ କରିଛନ୍ତି, କେବଳ ୭୮ ଜଣ ଲୋକ ଚିକିତ୍ସିତ ହେଉଛନ୍ତି । ଭଲ କଥା ହେଉଛି ଭୁଟାନରେ କୋରୋନାରୁ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୋଇନାହିଁ । ଏଥି ସହିତ ମିଆଁମାରରେ କେବଳ ୧୪୧୯ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ସୁସ୍ଥ ହାର ଭଲ ନୁହେଁ । ୧୪୧୯ ସଂକ୍ରମିତଙ୍କ ମଧ୍ୟରୁ କେବଳ ୩୮୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଭାରତର ପଡୋଶୀ ଦେଶ ମଧ୍ୟରେ କୋରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଛି ବାଂଲାଦେଶ । ବାଂଲାଦେଶରେ ସର୍ବାଧିକ ୩,୨୫,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ ୪୪୭୯ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏଠାରେ ୨ ଲକ୍ଷ ୨୧ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସମୟରେ ୯୯ ହଜାର ଲୋକଙ୍କ ଚିକିତ୍ସା ଚାଲିଛି । ସେହିପରି ପାକିସ୍ତାନରେ ମୋଟ ୨,୯୮,୫୦୯ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏଥିରୁ ୬,୩୪୨ ଜଣ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଏହାସହ ୨,୮୫,୮୯୮ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସମୟରେ ପାକିସ୍ତାନରେ ୬,୨୬୯ ସକ୍ରିୟ କୋରୋନା ମାମଲା ରହିଛି ।
ସେହିପରି ଆଫଗାନିସ୍ଥାନରେ ମୋଟ ୩୮,୩୯୮ କୋରୋନା ମାମଲା ସାମ୍ନାକୁ ଆସିଛି । ଏଥିରୁ ୧,୪୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଏଥିରୁ ୩୦,୫୩୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ୬,୪୪୯ ସକ୍ରିୟ ମାମଲା ରହିଛି । ଆମେ ଯଦି ଚୀନ କଥା ଆଲୋଚନା କରିବା ଏଠାରେ ମୋଟ ୮୫,୧୨୨ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏଥିରୁ ୪,୬୩୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ ୮୦,୩୦୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଚୀନରେ ୧୮୬ ସକ୍ରିୟ ମାମଲା ରହିଛି । ଅନ୍ୟପକ୍ଷେ ନେପାଳରେ ମୋଟ ୪୬,୨୫୭ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଏଥିରୁ ୨୮୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହା ସହ ୨୮,୯୪୧ ସଂକ୍ରମିତ ଠିକ ହୋଇଛନ୍ତି । ଦେଶରେ ବର୍ତ୍ତମାନ ୧୭,୦୨୭ ସକ୍ରିୟ ମାମଲା ରହିଛି ।