୨୫ ବର୍ଷରେ ପହଞ୍ଚିଲା ମୋବାଇଲ ସେବା, ବୈପ୍ଳବିକ ପରିବର୍ତ୍ତନର ଯୋଗଜନ୍ମା ଥିଲେ ଏହି ମୁଖ୍ୟମନ୍ତ୍ରୀ...
Advertisement

୨୫ ବର୍ଷରେ ପହଞ୍ଚିଲା ମୋବାଇଲ ସେବା, ବୈପ୍ଳବିକ ପରିବର୍ତ୍ତନର ଯୋଗଜନ୍ମା ଥିଲେ ଏହି ମୁଖ୍ୟମନ୍ତ୍ରୀ...

କୋଲକାତାରୁ ଆରମ୍ଭ ହୋଇଥିଲା ମୋବାଇଲ ସେବା। ୧୯୯୫ ମସିହାରେ ମୂଳଦୁଆ ପଡ଼ିଥିବା ଏହି ସେବା ଆଜି କୋଣ ଅନୁକୋଣରେ ପହଞ୍ଚି ପାରିଛି...

୨୫ ବର୍ଷରେ ପହଞ୍ଚିଲା ମୋବାଇଲ ସେବା, ବୈପ୍ଳବିକ ପରିବର୍ତ୍ତନର ଯୋଗଜନ୍ମା ଥିଲେ ଏହି ମୁଖ୍ୟମନ୍ତ୍ରୀ...

ପ୍ରଭୁଦତ୍ତ ମହାରଣା, ନୂଆଦିଲ୍ଲୀ: ଭାରତୀୟ ଟେଲି ଯୋଗାଯୋଗ ଇତିହାସରେ ଆଜିର ଦିନଟି ବେଶ ସ୍ୱତନ୍ତ୍ର, ଗୁରୁତ୍ତ୍ୱପୂର୍ଣ୍ଣ ମଧ୍ୟ। ଆଜିର ଦିନରେ ହିଁ ଦେଶରେ ଟେଲି ଯୋଗାଯୋଗ କ୍ଷେତ୍ରରେ ଆସିଥିଲା ବୈପ୍ଳବିକ ପରିବର୍ତ୍ତନ। ୧୯୯୫ ମସିହାରେ ଆଜିର ଦିନରେ ହିଁ ଦେଶରେ ମୋବାଇଲ ସେବା ପାଦ ଥାପିଥିଲା। ଆରମ୍ଭରୁ କେହି ବି ବିଶ୍ୱାସ କରିନଥିଲେ ଏହି ସେବା ଦିନେ ଯେ, ଦୈନନ୍ଦିନ ଜୀବନର ଏକ ମୌଳିକ ଆବଶ୍ୟକତାର ରୂପ ନେବ। ଅତ୍ୟନ୍ତ ଜରୁରୀ ହୋଇପଡ଼ିବ ଏହି ସେବା। 

ତେବେ ସେ ଯାହା ବି ହେଉ, ୧୯୯୫ ମସିହା ଜୁଲାଇ ୩୧ ତାରିଖରେ ମୁଳଦୂଆ ପଡ଼ିଥିଲା ମୋବାଇଲ ସେବାର। ଏହି ମୋବାଇଲ ସେବା ଯେ ଏତେ ଜରୁରୀ ହୋଇପଡ଼ିବ ସେହି ସମୟରେ କେହି କଳ୍ପନା ମଧ୍ୟ କରିନଥିଲେ। ତେବେ ସେହିସମୟରେ ଆରମ୍ଭ ହୋଇଥିବା ଏହି ବିପ୍ଳବ ଏବେ ଦେଶର କୋଣଅନୁକୋଣରେ ପହଞ୍ଚି ପାରିଛି। ଭାରତ ମୋବାଇଲ ସେବା ବ୍ୟବହାରୀକାରୀଙ୍କ ସଂଖ୍ୟା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ତଥ୍ୟ କହୁଛି ଯେ, ବିଶ୍ୱରେ ସର୍ବାଧିକ ମୋବାଇଲ ବ୍ୟବହାରକାରୀ ଚୀନରେ ରହିଛନ୍ତି। ତାହା ପଛକୁ ଭାରତ ରହିଛି। ଭାରତର ୧୩୫ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୧୧୦ରୁ ୧୧୫ କୋଟି ଲୋକ ମୋବାଇଲ ବ୍ୟବହାର କରୁଛନ୍ତି। ସେହି ସମୟରେ କଲ ପିଛା ଅତ୍ୟନ୍ତ ମହଙ୍ଗା ରହିଥିଲା। ମିନିଟ ପ୍ରତି କଲ ୧୬ ଟଙ୍କାରୁ ୧୭ ଟଙ୍କା ରହିଥିଲା। ଯାହା ଆଜିର ସମୟରେ ସମ୍ପୂର୍ଣ୍ଣ ମାଗଣା ହୋଇସାରିଛି। ୧୯୯୫ ମସିହାରେ ପ୍ରଥମ ମୋବାଇଲ କଲ କୋଲକାତାରୁ ଦିଲ୍ଲୀକୁ ହୋଇଥିଲା। ଏହାକୁ ତତ୍କାଳୀନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ କରିଥିଲେ। 

ଭାରତରେ ମୋବାଇଲର ଇତିହାସ
ଜାତୀୟ ଟେଲିକମ ନୀତି ଅନୁଯାୟୀ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ଗୁଡ଼ିକୁ ଅନୁମତି ମିଳିଥିଲା। ଫଳରେ ଏହାକୁ ଆଧାର କରି ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁ ମୋଦି ଟେଲଷ୍ଟ୍ରା ନାମକ ଏକ କମ୍ପାନୀର ପ୍ରମୁଖ ବିକେ ମୋଦିଙ୍କ ସହିତ ଏନେଇ ଆଲୋଚନା କରିଥିଲେ। କୋଲକାତାରୁ ମୋବାଇଲ ସେବା ଆରମ୍ଭ କରିବାକୁ ସେ ଉକ୍ତ କମ୍ପାନୀକୁ ପ୍ରସ୍ତାବ ଦେଇଥିଲେ। ପରବର୍ତ୍ତି ସମୟରେ ଟେଲେଷ୍ଟ୍ରା କମ୍ପାନୀର ମୁଖ୍ୟ ବିକେ ମୋଦି ଓ ତାଙ୍କର କିଛି ସହଯୋଗୀ ଦେଶରେ ମୋବାଇଲ ସେବା ଆରମ୍ଭ କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିଲେ। ସହଯୋଗୀ ସଂସ୍ଥା ଭାବେ ନୋକିଆର ସାହାଯ୍ୟ ମଧ୍ୟ ଲୋଡ଼ିଥିଲେ। ପ୍ରଥମେ ଅମଙ୍ଗ ହେଉଥିବା ନୋକିଆ ପରବର୍ତ୍ତି ସମୟରେ ଦେଶରେ ମୋବାଇଲ ସେବାରେ ସହଯୋଗ କରିବାକୁ ରାଜି ହୋଇଥିଲା। 

ନୋକିଆ କମ୍ପାନୀ ଭାରତ ଆସିବା ପରେ ଟେଲେଷ୍ଟ୍ରା ଓ ନୋକିଆର ମିଳିତ ପ୍ରୟାସରେ ମାତ୍ର ୯ ମାସ ମଧ୍ୟରେ କୋଲକାତାରେ ଏକ ଟାଓ୍ୱାର ପ୍ରତିଷ୍ଠା କରାଯାଇଥିଲା। କୋଲକାତାରେ ଥିବା ସଞ୍ଚାର ଭବନରେ ବସି ସେହିବର୍ଷ ଆଜିର ଦିନରେ ପ୍ରଥମ ମୋବାଇଲ କଲ କରିଥିଲେ ଜ୍ୟୋତିବସୁ। ଆଉ ଏହି କଲକୁ ରିସିଭ କରିଥିଲେ ତାଙ୍କର ବନ୍ଧୁ ତଥା ପୂର୍ବତନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ସୁଖ ରାମ। ଆଉ ସେହି କଲ ସଫଳ ହେବା ପରେ ଦେଶରେ ମୋବାଇଲ ସେବାର ଯୁଗ ଆରମ୍ଭ ହୋଇଥିଲା। 

ସମୟ ବଦଳିବା ସହିତ ମୋବାଇଲ ସେବାର ନୀତିନିୟମ ମଧ୍ୟ ବଦଳିଛି। ୨୦୧୪-୨୦୧୫ ମସିହା ପରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇଛି। ସେତେବେଳେ ଟେଲେଷ୍ଟ୍ରା ଏକମାତ୍ର କମ୍ପାନୀ ଏହି ସେବା ଯୋଗାଇ ଦେଉଥିବା ବେଳେ ଆଜି ଏକାଧିକ କମ୍ପାନୀ ଏହି ସେବା ପ୍ରଦାନ କରୁଛନ୍ତି। ରିଲାଏନସ କମ୍ୟୁନିକେସନ, ଏୟାରସେଲ, ଟାଟା ଡୋକୋମୋ, ଏସଟେଲ ଓ ୟୁନିନର ଭଳି ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ଭାରତୀୟ ବଜାରରେ ତିଷ୍ଠି ନ ପାରି ବ୍ୟବସାୟକୁ ବନ୍ଦ କରିଦେଇଛନ୍ତି। 

ସେହିଭଳି ଆଉ ଏକ ତଥ୍ୟ ଅନୁଯାୟୀ ବର୍ତ୍ତମାନ ରିଲାଏନସ ଜିଓ ନିକଟରେ ସର୍ବାଧିକ ଗ୍ରାହକ ରହିଛନ୍ତି। ଭାରତୀ ଏୟାରଟେଲ, ଭୋଡ଼ାଫୋନ ଆଇଡିଆ ଓ ବିଏସଏନଏଲର ସେବା ମଧ୍ୟ ଲୋକମାନେ ଗ୍ରହଣ କରୁଛନ୍ତି। ବିଏସଏନଏଲ(BSNL) ତଥା ଭାରତ ସଞ୍ଚାର ନିଗମ ଲିମିଟେଡ଼ ଭାରତର ନିଜସ୍ୱ କମ୍ପାନୀ। ଏହି ଦୁଇ ଦଶନ୍ଧି ମଧ୍ୟରେ ବେଶ ଦ୍ରୁତ ବେଗରେ ପରିବର୍ତ୍ତନ ହୋଇଛି। ଭାରତ ୪ଜି ଯୁଗରେ ପ୍ରବେଶ କରିସାରିଛି। ୫ଜି ଯୁଗ ଆରମ୍ଭ ପାଇଁ ପ୍ରୟାସ ଚାଲିଛି। ଆଉ ଏହା ଖୁବ ଶୀଘ୍ର ସଫଳ ହେବ ବୋଲି ଭାରତୀୟ ନାଗରିକମାନେ ଆଶାବାଦୀ ମଧ୍ୟ ରହିଛନ୍ତି।