IPL 2020: ଆଜି ବେଙ୍ଗାଲୁରୁ-ପଞ୍ଜାବ ମୁହାଁମୁହିଁ
Advertisement

IPL 2020: ଆଜି ବେଙ୍ଗାଲୁରୁ-ପଞ୍ଜାବ ମୁହାଁମୁହିଁ

 ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ କିଙ୍ଗସ ଏକାଦଶ ପଞ୍ଜାବ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। 

IPL 2020: ଆଜି ବେଙ୍ଗାଲୁରୁ-ପଞ୍ଜାବ ମୁହାଁମୁହିଁ

ଦୁବାଇ: ଚଳିତ ଆଇପିଏଲର ଷଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ କିଙ୍ଗସ ଏକାଦଶ ପଞ୍ଜାବ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଚଳିତ ସଂସ୍କରଣରେ ଉଭୟ ଟିମର ଏହା ଦ୍ୱିତୀୟ ମ୍ୟାଚ ହେବ। ପ୍ରଥମ ମ୍ୟାଚରେ ବିବାଦୀୟ ସଟ ରନ ପାଇଁ ଦିଲ୍ଲୀ ନିକଟରୁ ପରାଜିତ ହୋଇଥିବା ପଞ୍ଜାବ ବାଙ୍ଗାଲୋର ବିପକ୍ଷରେ ବିଜୟ ଆରମ୍ଭ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ। ସେପଟେ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିବା ବାଙ୍ଗାଲୋର ଦୃଢ ମନୋବଳ ନେଇ ଖେଳିବ।ମୋଟାମୋଟି ଭାବରେ ଉଭୟ ଟିମ ମଧ୍ୟରେ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ। 

ଯଦି ପଞ୍ଜାବ ଟିମ କଥା ଦେଖାଯାଏ ତେବେ ପ୍ରଥମ ମ୍ୟାଚରେ ଏକ ପ୍ରକାର ସଫଳ ପ୍ରଦର୍ଶନ କରିଥିଲେ ମଧ୍ୟ ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି କାରଣରୁ ପରାଜୟର ମୁହଁ ବି ଦେଖିବାକୁ ପଡ଼ିଥିଲା। ଅମ୍ପାୟାରଙ୍କ ସଟରନକୁ ନେଇ ବିବାଦୀୟ ନିଷ୍ପତ୍ତି କାରଣରୁ ପଞ୍ଜାବକୁ ହାରିବାକୁ ପଡ଼ିଥିଲା। ଦିଲ୍ଲୀ ବିପକ୍ଷରେ ୧୯ତମ ଓଭରର ତୃତୀୟ ବଲରେ ମୟଙ୍କ ଅଗ୍ରଓ୍ୱାଲ ଓ କ୍ରିସ ଜୋର୍ଡାନ ଦୁଇଟି ରନ ନେଇଥିବା ବେଳେ ଅମ୍ପାୟୀର ନୀତିନ ମେନନଙ୍କ ଭୁଲ ନିଷ୍ପତ୍ତି ଫଳରେ ତାଙ୍କୁ ଗୋଟିଏ ରନ ହିଁ ମିଳିଥିଲା। ତେବେ ଦଳ ନିର୍ଦ୍ଧାରିତ ଓଭରରେ ୧୫୭/୮ ରନ କରି ମ୍ୟାଚକୁ ଟାଇ କରାଇଥିଲେ। ସଟରନ ପାଇଁ ଦଳ ସୁନିଶ୍ଚିତ ବିଜୟରୁ ବଞ୍ଚିତ ହୋଇଥିଲା। ଦଳ ସୁପର ଓଭରରେ ପରାଜିତ ହୋଇଥିଲା। 

ସେପଟେ ଦଳର ପ୍ରଦର୍ଶନକୁ ଦେଖାଯାଏ ତେବେ ଓପନର ମୟଙ୍କ ଅଗ୍ରଓ୍ୱାଲଙ୍କ ବ୍ୟତୀତ ଅନ୍ୟ ସମସ୍ତ ଖେଳାଳି ନିରାଶ କରିଥିଲେ। ଗ୍ଲେନ ମାକ୍ସଓ୍ୱେଲ, କରୁଣ ନାଏର ପ୍ରମୁଖ ବିଫଳ ହୋଇଥିଲେ। ବାଙ୍ଗାଲୋର ବିପକ୍ଷରେ ବିଜୟ ଲାଭ କରିବାକୁ ହେଲେ ଦଳକୁ ବ୍ୟାଟିଂ ଲାଇନକୁ ମଜବୁତ କରିବାକୁ ହେବ। ଏକ ହାଇ ସ୍କୋରିଂ ମ୍ୟାଚ ପାଇଁ ପଞ୍ଜାବକୁ ବ୍ୟାଟିଂ ଲାଇନକୁ ଦୃଢ କରିବାକୁ ହେବ। ସେପଟେ ଦଳ ଦୁର୍ଦ୍ଦଶ ବ୍ୟାଟସମ୍ୟାନ କ୍ରିସ ଗେଲ ଓ ଅଲରାଉଣ୍ଡର ଜେମ୍ସ ନୀଶମ ଖେଳିପାରନ୍ତି। ବୋଲିଂ କ୍ଷେତ୍ରରେ ମଦମ୍ମଦ ସାମି ଓ ସ୍ପିନର ରବି ବିଷ୍ଣୋଇଙ୍କ ଉପରେ ସମସ୍ତଙ୍କ ନଜର ରହିପାରେ। 

ତେବେ ଆଇପିଏଲର ପଦାର୍ପଣ ମ୍ୟାଚରେ ବାଙ୍ଗାଲୋର ଭଲ ପ୍ରଦର୍ଶନ କରିଛି। ଏକ ସନ୍ତୁଳିତ ଦଳ ଭାବେ ମୈଦାନରେ ପ୍ରଦର୍ଶନ କରିଛି ବାଙ୍ଗାଲୋର। ତେବେ ପ୍ରଥମ ମ୍ୟାଚରେ ବିଜୟ ହାସଲ ପରେ ଦଳର ଖେଳାଳିଙ୍କ ମନୋବଳ ଦୃଢ ରହିଛି। ତେବେ ଦଳର ଦେବଦତ୍ତ ପାଡ଼ିକଲ ଓ ଡି ଭିଲୟର୍ସଙ୍କ ଉପରେ ସମସ୍ତଙ୍କ ନଜର ରହିବ। ବିଗତ ମ୍ୟାଚରେ ଏହି ଦୁଇ ଖେଳାଳି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ଅଧିନାୟକ ବିରାଟ କୋହଲି ଓ ଆରୋନ ଫିଞ୍ଚଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। 

ସେପଟେ ଦଳରେ ସାମାନ୍ୟ ପରିବର୍ତ୍ତନ କରିପାରନ୍ତି ବିରାଟ। ବୋଲିଂ ବିଭାଗରେ ମହମ୍ମଦ ସିରାଜଙ୍କୁ ସୁଯୋଗ ଦେଇ ପାରନ୍ତି ବିରାଟ। ସେହିପରି ଅଲରାଉଣ୍ଡର କ୍ରିମ ମୋରିସ ମଧ୍ୟ ଏହି ମ୍ୟାଚରେ ଖେଳିବେ ନାହିଁ। ଆହତ ସମସ୍ୟା ପାଇଁ ସେ ଏହି ମ୍ୟାଚରେ ଦୁରେଇ ରହିପାରନ୍ତି। ବୋଲିଂ ବିଭାଗରେ ୟୁଜବେନ୍ଦ୍ର ଚହଲ, ଶିବମ ଦୁବେ  ଓ ନବଦୀପ ସାଇନୀଙ୍କ ପ୍ରଭାବୀ ପ୍ରଦର୍ଶନକୁ ଏହି ମ୍ୟାଚରେ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ। 

ତେବେ ଏହି ମ୍ୟାଚର ଫଳାଫଳ ଉପରେ ଟସ ମଧ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି। ଟସ ବିଜୟୀ ଦଳ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇପାରନ୍ତି। ପ୍ରଥମ ପାଳିରେ ବ୍ୟାଟିଂ କଲେ ଦଳକୁ ଏକ ବଡ଼ ସ୍କୋର କରିପାରିବାର ସମ୍ଭାବନା ରହିଛି। 

କିଙ୍ଗସ ଏକାଦଶ ପଞ୍ଜାବ ସମ୍ଭାବ୍ୟ ଦଳ: କେଏଲ ରାହୁଲ(ଅଧିନାୟକ ଓ ଓ୍ୱିକେଟକିପର), ମୟଙ୍କ ଅଗ୍ରଓ୍ୱାଲ, କରୁଣ ନାଏର, କ୍ରିସ ଗେଲ, ସର୍ଫରାଜ ଖାନ, ଗ୍ଲେନ ମ୍ୟାକ୍ସଓ୍ୱେଲ, କ୍ରିଷ୍ଣାପ୍ପା ଗୋଥାମ, କ୍ରିସ ଜୋର୍ଡାନ, ମୁଜିବ ରେହମାନ, ରବି ବିଷ୍ଣୋଇ, ମହମ୍ମଦ ସାମି

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ସମ୍ଭାବ୍ୟ ଦଳ: ଆରୋନ ଫିଞ୍ଚ,  ଦେବଦତ୍ତ ପାଡ଼ିକାଲ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଜୋସ ଫିଲିପ, ଓ୍ୱାସିଂଟନ ସୁନ୍ଦର, ଶିବମ ଦୁବେ, ନବଦୀପ ସାଇନୀ, ଉମେଶ ଯାଦବ, ଡେଲ ଷ୍ଟେନ, ୟୁଜୁବେନ୍ଦ୍ର ଚହଲ