ଭାରତର କ୍ରୀଡାପ୍ରେମୀଙ୍କୁ କିମିଆ କରିଛି ଫଟାଫଟ କ୍ରିକେଟ। ଆଇପିଏଲର ଆରମ୍ଭର ପ୍ରଥମ ସପ୍ତାହରେ ଦର୍ଶକଙ୍କ ସଂଖ୍ୟା ଟପିଛି ୨୬ କୋଟି। ଚେନ୍ନାଇ ସୁପର କିଙ୍ଗ ଓ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚକୁ ସର୍ବାଧିକ ୧୫ କୋଟି ଆଠ ଲକ୍ଷ ଲୋକ ଦେଖିଛନ୍ତି।
Trending Photos
)
ନୂଆଦିଲ୍ଲୀ: ଲକଡାଉନ ବେଳେ ଆଇପିଏଲ-୧୩ର ଭରପୁର ମଜା ନେଉଛନ୍ତି କ୍ରିକେଟ ପ୍ରେମୀ। କରୋନା ପାଇଁ ଖାଲି ଷ୍ଟାଡିୟମରେ ୟୁଏଇରେ ଟୁର୍ଣ୍ଣାମେଣ୍ଟ ଆଯୋଜନ କରାଯାଇଛି। ତଥାପି ଗତବର୍ଷ ତୁଳନାରେ ଚଳିତ ୧୩ତମ ସଂସ୍କରଣରେ ଟିଭି ଓ ଅନଲାଇନ ଦର୍ଶକ ସଂଖ୍ୟା ବୃଦ୍ଧି ପାଇଛି।
ବ୍ରଡକାଷ୍ଟ ଦର୍ଶକ ଗବେଷଣା ପରିଷଦ(ବାର୍କ)ର ସର୍ଭେ ଅନୁସାରେ ଆଇପିଏଲର ୧୩ତମ ସଂସ୍କରଣର ପ୍ରଥମ ସପ୍ତାହରେ ଦର୍ଶକ ସଂଖ୍ୟା ୧୫ ପ୍ରତିଶତ ବୃଦ୍ଧି ପାଇଛି। କେବଳ ଭାରତରେ ୨୬ କୋଟିରୁ ଊର୍ଦ୍ଧ୍ୱ ଲୋକ ଦେଖିଛନ୍ତି। ସେହିପରି ଏହି ସମୟରେ ସମୁଦାୟ ୬୦.୬ ବିଲିୟନ ମିନିଟ ଆଇପିଏଲ ଦେଖାଯାଇଥିବା ବାର୍କ ତାର ରିପୋର୍ଟରେ କହିଛି।
ଲକାଡାଉନ ପାଇଁ ମାଲେମାଲ ଟେଲିଭିଜନ ଇଣ୍ଡଷ୍ଟ୍ରୀ। ଆଉ ଏଥିରେ ଚାରଚାନ୍ଦ ଲଗାଇଛି ଆଇପିଏଲ। ଏହି କ୍ରୀଡା ମହାକୁମ୍ଭ ଆରମ୍ଭ ପରେ ପ୍ରାୟ ୧୭ ପ୍ରତିଶତ ଟିଭି ଦର୍ଶକଙ୍କ ସଂଖ୍ୟା ବଢିଛି। ସେପ୍ଟେମ୍ବର ୧୯ରେ ମୁମ୍ବାଇ ଇଣ୍ଡିଆନ ଓ ଚେନ୍ନାଇ ସୁପରକିଙ୍ଗ ମଧ୍ୟରେ ହୋଇଥିବା ମ୍ୟାଚକୁ ସର୍ବାଧିକ ୧୫ କୋଟି ୮ ଲକ୍ଷ ଲୋକ ଦେଖିଥିଲେ। ଏହା ପରବର୍ତ୍ତି ମ୍ୟାଚରେ ବି ପ୍ରାୟ ସମାନ ସଂଖ୍ୟକ ଲୋକ ଯୋଡି ହୋଇଥିଲେ।
ପୁରୁଷଙ୍କ ଅପେକ୍ଷା ମହିଳାମାନେ ଆଇପିଏଲ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି। ଟିଭିରେ ୩୩ ପ୍ରତିଶତ ମହିଳା ଓ ୩୦ ପ୍ରତିଶତ ପୁରୁଷ ଆଇପିଏଲ ଦେଖୁଥିବା ବାର୍କ ସର୍ଭେରୁ ଜଣା ପଡିଛି। ସେହିପରି ସ୍ମାର୍ଟ ଫୋନରେ ଅନଲାଇନ ଷ୍ଟ୍ରିମିଂ ମଧ୍ୟ ୮ ପ୍ରତିଶତ ବଢିଛି।
ଅନ୍ୟପଟେ ଗତବର୍ଷ ଅପେକ୍ଷା ଚଳିତ ଆଇପିଏଲ ସଜିନରେ ବିଜ୍ଞାପନରବର୍ଷା ହେଉଥିବା ଦେଖିବାକୁ ମିଳିଛି। ଆଇପିଏଲର ପ୍ରଥମ ସପ୍ତାହରେ ବିଜ୍ଞାପନ ୧୫ ପ୍ରତିଶତ ବୃଦ୍ଧି ପାଇଛି। ତେବେ ବର୍ତ୍ତମାନର ଡାଟାକୁ ଦେଖି ଆଗାମୀ ଦିନରେ ଏହାର ପରିମାଣ ବଢିପାରେ ବୋଲି ଅନୁମାନ କରାଯାଇଛି।