ଡକାୟତ ଟିକାୟତ !
ସବୁଆଡେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ୧୯୯୦ରେ ଟିକାୟତଙ୍କ ପାଖରେ ମାତ୍ର ୨ଟି ବଳଦ ଥିବାବେଳେ ମାତ୍ର ୩୨ ବର୍ଷରେ କିପରି ତାଙ୍କ ପାଖରେ କୋଟି କୋଟି ଟଙ୍କା ଆସିଲା?
ହିତାଂଶୁ ଶେଖର ମହାନ୍ତ, ନୂଆଦିଲ୍ଲୀ: ରାକେଶ ଟିକାୟତଙ୍କ (ନା ଡକାୟତ!) ଅସଲ ଚେହେରା ଏବେ ଧୀରେ ଧୀରେ ସାମ୍ନାକୁ ଆସିବାରେ ଲାଗିଛି । ସିଏ କେମିତି ଚାଷୀ ଆନ୍ଦୋଳନକୁ ମୋହରା କରି ବଡ଼ଲୋକ ହୋଇଛନ୍ତି, ସେହି ଘଟଣାର ପର୍ଦ୍ଦାଫାସ ହେଉଛି । ୧୯୯୦ରେ ସାଧାରଣଠାରୁ ବି ଅତି ସାଧାରଣ ଚାଷୀଟିଏ ଥିବା ଟିକାୟତଙ୍କର ମାତ୍ର ୩୨ ବର୍ଷ ମଧ୍ୟରେ ଏତେ ପରିମାଣରେ ସମ୍ପତ୍ତି ବଢ଼ିଯାଇଛି ଯେ ଏବେ ତାହା ଚାରି ଚାରିଟି ରାଜ୍ୟକୁ ମେଲି ଯାଇଛି । ଯଦି ଏହି ଦାବି ସତ, ତେବେ ଟିକାୟତଙ୍କ ଖେଳ ଶେଷ ହୋଇଯିବ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ୧୯୯୦ରେ ଟିକାୟତର ମାତ୍ର ୨ଟି ବଳଦ ଥିବାବେଳେ ମାତ୍ର ୩୨ ବର୍ଷରେ କିପରି ତାଙ୍କ ପାଖରେ କୋଟି କୋଟି ଟଙ୍କା ଆସିଲା?
ଗତବର୍ଷ ହୋଲିରେ ଟିକାୟତ ବଡ଼ ନେତା ସାଜିଥିଲେ, ତାଙ୍କ ଆଗପଛରେ ଗଣମାଧ୍ୟମ କ୍ୟାମେରା ଘୂରି ବୁଲୁଥିଲା । ହେଲେ ଏଥର ତାଙ୍କ ଦେଖା ମିଳୁନି । ଏକଦା ଦୁଇଟି ବଳଦ ଥିବା ଟିକାୟତଙ୍କ ପାଖରେ ଏତେ ସମ୍ପତ୍ତି ଆସିଲା କେଉଁଠୁ? ଏ ପ୍ରଶ୍ନ ଆମେ ପଚାରୁନାହୁଁ, ଯାହାର ଏ ପ୍ରଶ୍ନ, ସିଏ ଦେଇଛନ୍ତି, ଯିଏ ଟିକାୟତଙ୍କଠାରୁ କାହିଁ କେତେଗୁଣ ବଡ଼ ଚାଷୀ । ତେଣୁ 'ଦାଲ୍ ମେ କୁଛି କାଲା' ତ ନିଶ୍ଚୟ ଅଛି । ୟୁପିରେ ଯୋଗୀ ଆଦିତ୍ୟନାଥଙ୍କ ବିଜୟ ପରେ ରାକେଶ ଟିକାୟତଙ୍କ ନିରବତା କେଉଁ ଆଡ଼କୁ ଇସାରା କରୁଛି? ଭାନୁପ୍ରତାପ ନାମକ ଏହି କୃଷକ ନେତା ଜଣକ ସ୍ଥିର କରିଛନ୍ତି ଯେରାକେଶ ଟିକାୟତଙ୍କୁ ଯେ କୌଣସି ପରିସ୍ଥିତିରେ ବି ଏକ୍ସପୋଜ୍ କରିବେ । 'ଭାରତୀୟ କିଷାନ ୟୁନିଅନ' ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାନୁପ୍ରତାପଙ୍କ ଦାବି ହେଉଛି, 'ଟିକାୟତଙ୍କ ପାଖରେ ରହିଛି ଅମାପ କଳା ଟଙ୍କା । ଆଉ ତା'ର ପରିମାଣ ଏତେ ବେଶି ଯେ ଗଣିବାକୁ ସରକାରଙ୍କୁ ବର୍ଷ ବର୍ଷ ଲାଗିଯିବ ।'
ଭାନୁପ୍ରତାପଙ୍କ କହିବା କଥା, ୧୯୮୯ରେ ରାକେଶ ଟିକାୟତଙ୍କ ପିତା ତାଙ୍କ ପାଖକୁ ଆସିଲେ ଏବଂ କହିଲେ, ''ଆମ ସାଥୀରେ ରୁହ । ଆମ ସହ ଆନ୍ଦୋଳନରେ ସାମିଲ ହୁଅ । ସେତେବେଳେ ଥରେ ମୁଁ ତାଙ୍କ ଘରକୁ ଯାଇଥିଲି । ଟିକାୟତଙ୍କ ଘରେ ସେତେବେଳେ ୨ଟି ବଳଦ ଏବଂ ଗୋଟିଏ ମଇଁଷି ଥିଲା । ଆଉ ମୋ ପାଖରେ ୧୦୦ଟି ଘୋଡ଼ା, ୧୫ ଲକ୍ଷ ଟଙ୍କା ମୂଲ୍ୟର ଷଣ୍ଢ, ୫୦ଟି ଜାତିଆ ଗାଈ ଏବଂ ୫୦ଟି ମଇଁଷି ଥିଲେ । ହେଲେ ରାକେଶ ଟିକାୟତଙ୍କ କୃଷକ ଆନ୍ଦୋଳନରେ ମାତି ମୋର ସବୁକିଛି ବରବାଦ ହୋଇଗଲା । ମାତ୍ର ରାକେଶ ଟିକାୟତ କଂଗ୍ରେସ ପାର୍ଟି, ମିଲ୍ ଏବଂ ଅଥରିଟିଠାରୁ ଟଙ୍କା ନେଇ ବହୁ ପେଟ୍ରୋଲ ପମ୍ପ ସାଙ୍ଗକୁ ଇଟାଭାଟି ଖୋଲି ପକାଇଲେ । ତା' ସାଙ୍ଗକୁ ବହୁ କୋଠି ମଧ୍ୟ ତିଆରି କରି ପକାଇଲେ ।''
ଲୋକେ କହୁଛନ୍ତି, ଏହି ପାଞ୍ଚ ବର୍ଷରେ ରାକେଶ ଟିକାୟତଙ୍କ ଅବସ୍ଥା ଠିକ୍ ମାୟାବତୀଙ୍କ ଭଳି ହେବାକୁ ଯାଉଛି । କାରଣ ଏବେ ଯୋଗୀଙ୍କ ୟୁପିରେ ଟିକାୟତଙ୍କ ଅବସ୍ଥା, 'ନଈରେ ଘର କରି କୁମ୍ଭୀର ସଙ୍ଗେ କଳି...' ପରି । ବିଜେପି ତାଙ୍କର ଏପରି ଏକ ଦୁର୍ବଳତାକୁ ଧରି ମାଡ଼ି ବସିବ ଯେ, ସେ ପୂରାପୂରି କାଠପିତୁଳା ପାଲଟି ଯିବେ । ଟିକାୟତଙ୍କ ଆଗରେ ଏବେ ମାତ୍ର ଦୁଇଟି ବାଟ ରହିଯିବ । ପ୍ରଥମଟି ଜେଲକୁ ଯାଇଛି । ଆଉ ଦ୍ୱିତୀୟଟି ହେଉଛି, 'ମୁଁ ଉଠ୍ କହିଲେ ଉଠିବୁ ଆଉ ବସ୍ କହିଲେ ବସିବୁ ।' ଉଭୟ ରାସ୍ତା ଟିକାୟତଙ୍କ ବିରୋଧରେ ଯାଉଛି । ଏପରିସ୍ଥଳେ ଆଗାମୀ ସମୟ ଟିକାୟତଙ୍କ ପାଇଁ ସଂକଟଜନକ ହେବାକୁ ଯାଉଛି । ତେବେ ପ୍ରଶ୍ନ ଉଠୁଛି, ସତରେ କ'ଣ ଏହା ହିଁ ଟିକାୟତଙ୍କ ଅତୀତର ସତ ନା ଏହା କେବଳ ଏକ ମିଥ୍ୟା ଅଭିଯୋଗ ?
ତେଣେ ରାକେଶ ଟିକାୟତଙ୍କ ସମ୍ପତ୍ତିର ପରିମାଣ ଶୁଣିଲେ ଆପଣଙ୍କ ଆଖି ଖୋସି ହୋଇଯିବ । ତାଙ୍କର ଚାରି ଚାରିଟି ରାଜ୍ୟରେ ଭୂ-ସମ୍ପତ୍ତି ରହିଛି । ସେହି ରାଜ୍ୟ ଗୁଡିକ ହେଉଛି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଏବଂ ମହାରାଷ୍ଟ୍ର । ଦେଶର ୧୩ଟି ସହରରେ ତାଙ୍କର ବ୍ୟବସାୟ ରହିଛି । ତାଙ୍କ ସମ୍ପତ୍ତିର ପରିମାଣ ୮୦ କୋଟିରୁ ମଧ୍ୟ ଅଧିକ । ଜମି, ପେଟ୍ରୋଲ ପମ୍ପ, ଶୋ' ରୁମ୍ ଏବଂ ଇଟାଭାଟି ବ୍ୟବସାୟରୁ ତାଙ୍କର କୋଟି କୋଟି ଟଙ୍କା ଆୟ ହୁଏ । ରାକେଶ ଟିକାୟତଙ୍କର ଦୁଇ ଝିଅଙ୍କ ବିବାହ ହୋଇ ସାରିଛି । ସାନଝିଅ ଜ୍ୟୋତି ଅଷ୍ଟେଲିଆରେ ରୁହନ୍ତି । ଏକ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେବା ଅବସରରେ ତାଙ୍କୁ ପଚରା ଯାଇଥିଲା, ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ତାଙ୍କ ପାଖରେ ଖୁବ୍ ଧନସମ୍ପତ୍ତି ଅଛି ବୋଲି । ଏହାର ଉତ୍ତରରେ ସେ କହିଥିଲେ, ତାଙ୍କ ପାଖରେ ଅନେକ ସମ୍ପତ୍ତି ଅଛି । ଦେଶର କୃଷକମାନଙ୍କ ସମ୍ପତ୍ତି ହେଉଛି ତାଙ୍କର ।
୨୦୧୪ ସାଧାରଣ ନିର୍ବାଚନ ସମୟରେ ଆପଣ ନିଜର କେତେ ସମ୍ପତ୍ତି ଘୋଷଣା କରିଥିଲେ ପ୍ରଶ୍ନ ଉତ୍ତରକୁ ସେ 'ମନେ ନାହିଁ, କାଗଜରେ ଥିବ' କହି ଏଡ଼ାଇ ଯାଇଥିଲେ । ଟିକାୟତଙ୍କର ଏହି ଉତ୍ତର ତାଙ୍କୁ ଏବେ ମହଙ୍ଗା ପଡ଼ିବାକୁ ଯାଉଛି । ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ପରେ ଟିକାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଗତବର୍ଷ ହୋଲି ସମୟରେ ରାକେଶ ଟିକାୟତଙ୍କ ଜଲୱା ଥିଲା । ସିଏ ଚାଷୀ ଏବଂ ଜନତାଙ୍କ ହିରୋ ସାଜି ବସିଥିଲେ । ହେଲେ ଏଥର ଯୋଗୀଙ୍କ ହୋଲି ଉତ୍ସବ ପରେ ସେ ପୂରା ଚୁପ୍ ପଡ଼ି ଯାଇଛନ୍ତି । ଯୋଗୀ ଶପଥ ନେବା ପରେ ଟିକାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଟିକାୟତଙ୍କ ଉପରେ ଲାଗିଥିବା ଦୁର୍ନୀତିର କଳଙ୍କ ଏଇ ହୋଲିର ରଂଗରେ ଧୋଇ ଯାଉଛି ନା ଆହୁରି ଗାଢ଼ ହୋଇ ଫୁଟି ବାହାରୁଛି, ତାହା ଦିନ କେଇଟାରେ ଜଣା ପଡ଼ିଯିବ ।
ଏହା ବି ପଢ଼ନ୍ତୁ: ଭାରତର ଜବାବ ଦେବାକୁ ପ୍ରୟାସ କରି ବିଫଳ ହେଲା ପାକିସ୍ତାନ, ଲଞ୍ଚ ପରେ ଫୁସକି ଗଲା ମିସାଇଲ