ଇସ୍ରାଏଲ ଦାବି କରିଛି ଯେ ସେ କୋରୋନା ଭୂତାଣୁ ପ୍ରତିରୋଧ ପାଇଁ ଆଣ୍ଟିବଡି ପ୍ରସ୍ତୁତ କରିଛି । ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ନାଫତାଲି ବେନ୍ନେଟ ସୂଚନା ଦେଇଛନ୍ତି ।
Trending Photos
ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭୂତାଣୁ ତାଣ୍ଡବଲୀଳା କରୁଛି । କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ହାରରେ ମଧ୍ୟ ବୃଦ୍ଧି ଦେଖାଦେଇଛି । ଏହି ପରିସ୍ଥିତିରେ ଏହାର ମୁକାବିଲା ପାଇଁ ଅତିଶୀଘ୍ର ଭ୍ୟାକ୍ସନ ବା ଟୀକା ପ୍ରସ୍ତୁତ କରିବାରେ ଲାଗିଛନ୍ତି ବିଭିନ୍ନ ଦେଶର ବୈଜ୍ଞାନିକ । ଏହି କ୍ରମରେ ଇସ୍ରାଏଲ ଦାବି କରିଛି ଯେ ସେ କୋରୋନା ଭୂତାଣୁ ପ୍ରତିରୋଧ ପାଇଁ ଆଣ୍ଟିବଡି ପ୍ରସ୍ତୁତ କରିଛି । ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ନାଫତାଲି ବେନ୍ନେଟ ସୂଚନା ଦେଇଛନ୍ତି ।
ଗତକାଲି(ସୋମବାର) ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ନାଫତାଲି ବେନ୍ନେଟ ଦାବି କରିଛନ୍ତି ଯେ ଦେଶର ମୁଖ୍ୟ ଜୈବ ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ କୋରୋନା ପାଇଁ ଆଣ୍ଟିବଡି ବିକଶିତ କରିବାରେ ଏକ ମହତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି । ଆମ ଦଳ କୋରୋନା ଭୂତାଣୁ ବିଲୋପ କରିବା ପାଇଁ ଟୀକାକରଣର ବିକଶିତ ପର୍ଯ୍ୟାୟ ଶେଷ କରିଛି। ବର୍ତ୍ତମାନ ଏହାର ପେଟେଣ୍ଟ ଏବଂ ବୃହତ ସମ୍ଭାବ୍ୟ ଉତ୍ପାଦନ ଉପରେ କାର୍ଯ୍ୟ ଚାଲିଛି । ବେନ୍ନେଟ୍ ସୋମବାର ନେସ୍ ସିଓନାରେ ଥିବା ଇନଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ୍ ରିସର୍ଚ୍ଚ (IIBR)ର ଲ୍ୟାବ ପରିଦର୍ଶନ କରି କୋରୋନା ଭୂତାଣୁ ପାଇଁ ଏକ ଟୀକା ବିକଶିତ କରିବାକୁ ଆଦେଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ପ୍ରକାଶିତ ବୟାନରେ କୁହାଯାଇଛି ଯେ, ଏହି ଆଣ୍ଟିବଡି ଭୂତାଣୁ ଉପରେ ଆକ୍ରମଣ କରେ । ଆଉ ଶରୀରରେ ଏହାକୁ ମାରିଦେଇଥାଏ । ଆଣ୍ଟିବଡି ବିକଶିତ କରିବା କାର୍ଯ୍ୟ ଶେଷ ହୋଇଥିଲା । ଅନୁଷ୍ଠାନ ଏହାକୁ ପେଟେଣ୍ଟ କରିବା ପ୍ରକ୍ରିୟାରେ ଅଛି । ଏହି ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟରେ ଅନୁସନ୍ଧାନକାରୀମାନେ ବ୍ୟବସାୟିକ ସ୍ତରରେ ଆଣ୍ଟିବଡି ଉତ୍ପାଦନ ପାଇଁ ଆନ୍ତର୍ଜାତୀୟ କମ୍ପାନୀଗୁଡିକ ସହିତ ଯୋଗାଯୋଗ କରିବେ । ପ୍ରତିରକ୍ଷା ମନ୍ତ୍ରୀ ବେନ୍ନେଟ୍ କହିଛନ୍ତି ଯେ ଏହି ମହତ୍ୱପୂର୍ଣ୍ଣ ସଫଳତା ପାଇଁ ମୁଁ ଅନୁଷ୍ଠାନର କର୍ମଚାରୀଙ୍କ ପାଇଁ ଗର୍ବିତ । ସେମାନଙ୍କର ସୃଜନଶୀଳତା ଏହି ସଫଳତା ପାଇଁ ପଥ ପରିଷ୍କାର କରିଛି ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାର୍ଚ୍ଚରେ ଇସ୍ରାଏଲର ଖବରକାଗଜ ହାରେଟଜ(Ha'aretz ) ମେଡିକାଲ ସୂତ୍ରର ଉଦାହରଣ ଦେଇ କହିଥିଲେ ଯେ ସଂସ୍ଥାନର ବୈଜ୍ଞାନିକମାନେ ଜୈବିକ ପ୍ରଣାଳୀ ଓ ଭାଇରସର ଗୁଣ ବୁଝିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, IIBR 1952 ମସିହାରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ବିଜ୍ଞାନ କର୍ପସର ଏକ ଅଂଶ ଭାବରେ ପ୍ରତିଷ୍ଠିତ ହୋଇଥିଲା । ପରେ ଏକ ନାଗରିକ ସଂଗଠନ ହୋଇଗଲା । ଏହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ତତ୍ତ୍ୱାବଧାନରେ କାର୍ଯ୍ୟ କରନ୍ତି । କିନ୍ତୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଘନିଷ୍ଠ ସମ୍ପର୍କ ରହିଛି । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଫେବୃଆରୀ ୧ରେ କୋରୋନା ପାଇଁ ଏକ ଟିକା ପ୍ରସ୍ତୁତ କରିବାକୁ ଅନୁଷ୍ଠାନକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ବାୟୋଲୋଜିକାଲ୍ ଇନଷ୍ଟିଚ୍ୟୁଟ୍ ହେଉଛି ଏକ ବିଶ୍ୱ ପ୍ରସିଦ୍ଧ ଅନୁସନ୍ଧାନ ଏବଂ ବିକାଶ ଏଜେନ୍ସି । ଏଥିରେ ୫୦ରୁ ଅଧିକ ଅଭିଜ୍ଞ ବୈଜ୍ଞାନିକ କାର୍ଯ୍ୟ କରୁଛନ୍ତି ।