)
ନୂଆଦିଲ୍ଲୀ: ସର୍ବସମ୍ମୁଖରେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରେ। ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ବିକ୍ରମ ଯୋଶୀ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ ଘଟଣାଟି ଗତ ସୋମବାର ସନ୍ଧ୍ୟାର। ସୋମବାର ବିକ୍ରମ ତାଙ୍କ ଝିଅ ସହିତ ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଥିଲେ। ତେବେ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ ବିକ୍ରମ। ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବୁଧବାର ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି। ତେବେ ଘଟଣାର କାରଣ ମଧ୍ୟ ବେଶ ଚାଞ୍ଚଲ୍ୟକର ରହିଥିବା ଶୁଣିବାକୁ ମିଳେ। ଏହି ଘଟଣା ପୂର୍ବରୁ କିଛି ଲୋକ ନିକଟସ୍ଥ ଥାନାରେ ନିଜ ଭାଣିଜୀଙ୍କୁ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।
ଘଟଣାର ତଦନ୍ତ କରୁଥିବା ପୋଲିସ ଅଧିକାରୀମାନେ କହିଛନ୍ତି କି, ସୋମବାର ରାତି ପ୍ରାୟ ସାଢେ ଦଶଟା ସମୟରେ ଏହି ଘଟଣା ଘଟିଛି। ନିଜର ଦୁଇ ଝିଅଙ୍କ ସହିତ ବିଜୟ ନଗରସ୍ଥିତ ନିଜ ଘରକୁ ଫେରୁଥିଲେ। ରାସ୍ତାରେ ୬ରୁ ଅଧିକ ଲୋକ ବିକ୍ରମଙ୍କୁ ଆକ୍ରମଣ କରିବାକୁ ପୂର୍ବରୁ ପ୍ରସ୍ତୁତି କରିବା ସହିତ ଲୁଚି ରହିଥିଲେ। ତେବେ ଘରଠାରୁ ଅଳ୍ପ ଦୁରରେ ବିକ୍ରମଙ୍କ ରାସ୍ତା ଅବରୋଧ କରିଥିଲେ ଉକ୍ତ ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ବିକ୍ରମଙ୍କ ମୁଣ୍ଡଙ୍କୁ ସିଧା ଗୁଳି ମାରିଥିଲେ। ଘଟଣା ପରେ ସେଠାରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ। ପରେ ଯୋଶୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଯେଉଁଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ନେଇ ସୂଚନା ଦେଇଥିଲେ।
ଗାଜିଆବାଦର ବରିଷ୍ଠ ପୋଲିସ ଅଧିକ୍ଷକ କଲାନିଧି ନୈଥାନୀ କହିଛନ୍ତି କି, ପ୍ରାଥମିକ ତଦନ୍ତ ପରେ ଦୁଇ ବ୍ୟକ୍ତିଙ୍କ ସହିତ ମୋଟ ୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ସୁରକ୍ଷା ତଥା କାର୍ଯ୍ୟରେ ଢିଲା କରିଥିବା ଅଭିଯୋଗରେ ସ୍ଥାନୀୟ ପୋଲିସ ଫାଣ୍ଡିର ପ୍ରଭାରୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି କି, ପ୍ରାଥମିକ ପର୍ଯ୍ୟାୟରେ ଛୋଟୁ, ଆକାଶ ବିହାରୀ ଓ ରବିଙ୍କ ନାମ ସାମିଲ ରହିଛି।
ଏମାନଙ୍କ ଦେଇଥିବା ସୂଚନା ଆଧାରେ ମୋହିତ, ଦଲବୀର, ଆକାଶ, ଯୋଗେନ୍ଦ୍ର, ଅଭିଷେକ ଓ ଶାକିରଙ୍କୁ ଗିରଫ କରିଥିବା ନେଇ ନୈଥାନୀ ସୂଚନା ଦେଇଛନ୍ତି। ସେପଟେ ପରିବାରର ସଦସ୍ୟ ଅଭିଯୋଗ କରିଛନ୍ତି କି, ମୃତ୍ୟୁ ପୁର୍ବରୁ ବିକ୍ରମ ଗିରଫ ହୋଇଥିବା ଛୋଟୁ, ରବି ଓ ଆକାଶଙ୍କ ନାମ ନେଇଥିଲେ। ତେବେ ପୋଲିସ ସଠିକ ଢଙ୍ଗରେ ତଦନ୍ତ କରୁନାହିଁ ବୋଲି ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି।