)
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ଘର ଭାଙ୍ଗିବା ଘଟଣାରେ ରାଜନୈତିକ ସ୍ତରରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ପରୋକ୍ଷରେ ରାଜ୍ୟରେ ଶାସନଗାଦିରେ ବସିଥିବା ଶିବସେନାଙ୍କ ନିର୍ଦ୍ଦେଶରେ କଙ୍ଗନାଙ୍କ ଘର ବିଏମସି ଭାଙ୍ଗିଥିବା ଚର୍ଚ୍ଚା ହେଉଛି। ଏପରିକି କଙ୍ଗନାଙ୍କ ପ୍ରଶଂସକମାନେ ତାଙ୍କ ଘର ଭାଙ୍ଗିବା ସମୟରେ ଆନ୍ଦୋଳନ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ଏହି କ୍ରମରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ। କୋଶ୍ୟାରୀ ମଧ୍ୟ କଙ୍ଗନାଙ୍କ ଘର ଭଙ୍ଗାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।
ରାଜ୍ୟପାଳ କୋଶ୍ୟାରୀ ଅସନ୍ତୋଷ ପ୍ରକାଶ କରି କହିଛନ୍ତି କି ଏହି ଘଟଣା ନିଶ୍ଚିତ ପକ୍ଷେ ନିନ୍ଦନୀୟ। ମୁଁ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଆକାରରେ ଜଣାଇବି ବୋଲି ସେ ସୂଚନା ଦେଇଛନ୍ତି।
ତେବେ ଆଜି କଙ୍ଗନାଙ୍କ ଘର ଭାଙ୍ଗିବା ମାମଲାର ବମ୍ବେ ହାଇକୋର୍ଟରେ ଶୁଣାଣୀ ହେବ। ଏହା ପୂର୍ବରୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ ରାଣାଓ୍ୱତ ମଧ୍ୟ ଆସି ମୁମ୍ବାଇରେ ପହଞ୍ଚିଛନ୍ତି। କଙ୍ଗନାଙ୍କ ଘର ବାହାରେ ବହୁ ମାତ୍ରାରେ ପୋଲିସଙ୍କୁ ମୁତୟନ କରାଯାଇଛି। ଏହାରି ମଧ୍ୟରେ ସମୟରେ କଙ୍ଗନା ରଣାଓ୍ୱତ ଶିବସେନାର ମରାଠୀ କାର୍ଡରେ ଟ୍ୱିଟ୍ କରି ପ୍ରତିକ୍ରିୟା ଦେଇଛନ୍ତି। କଙ୍ଗନା ଲେଖିଛନ୍ତି ଯେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଗୁଣ୍ଡାଗର୍ଦ୍ଦିକୁ ଲୋକମାନେ ନିନ୍ଦା କରୁଛନ୍ତି। ମୁଁ ଶୁଭେଚ୍ଛୁମାନଙ୍କଠାରୁ କଲ୍ ପାଉଛି । ମୁମ୍ବାଇ ମଧ୍ୟ ମୋତେ ବହୁତ ଭଲପାଇବା ଓ ସମ୍ମାନ ମିଳିଛି ।
ସୂଚନା ଯୋଗ୍ୟ ଘର ଭଙ୍ଗାଯିବା ପରଠାରୁ ଶିବସେନା ସରକାର ଓ ଉଦ୍ଧବ ଠାକରେଙ୍କୁ କ୍ରମାଗତ ଭାବେ ଟାର୍ଗେଟ କରି ଆକ୍ରୋଶମୂଳକ ଟ୍ୱିଟ କରୁଛନ୍ତି କଙ୍ଗନା। କଙ୍ଗନା ଶିବସେନାକୁ ସୋନିଆ ସେନା କହିବା ସହିତ ଯେଉଁ ଧାରଣା ଉପରେ ଶ୍ରୀ ବାଲା ସାହେବ ଠାକରେ ଶିବସେନା ଗଢିଥିଲେ, ଆଜି ସେ ଶକ୍ତି ପାଇଁ ସମାନ ଚିନ୍ତାଧାରା ବିକ୍ରି କରି ସୋନିଆ ସେନାର ରୂପ ଧାରଣ କରିଛନ୍ତି। ଯେଉଁ ଲୋକମାନେ ମୋ ଘରକୁ ପଛରୁ ଭାଙ୍ଗି ଦେଇଛନ୍ତି, ତାଙ୍କୁ ନାଗରିକ ସଂଗଠନ ଭୋଟ୍ ଦେଇଛନ୍ତି। ସମ୍ବିଧାନର ଅପମାନ କରିବା ସହିତ ଗଣତନ୍ତ୍ର ହତ୍ୟା ବୋଲି ସେ କହିଛନ୍ତି।
ଏହାପୂର୍ବରୁ କଙ୍ଗନା କହିଥିଲେ ଯେ ଆଜି ମୋ ଘର ଭାଙ୍ଗି ଯାଇଛି, ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ଗର୍ବ ଭାଙ୍ଗିଯିବ। ଏହା ହେଉଛି ସମୟର ଚକ, ମନେରଖ, ଏହା ସର୍ବଦା ସମାନ ନୁହେଁ । ମୁଁ ଭାବୁଛି ତୁମେ ମୋତେ ଏକ ବଡ଼ ଅନୁଗ୍ରହ କରିଛ । କାରଣ ମୁଁ ଜାଣିଥିଲି କାଶ୍ମୀରୀ ପଣ୍ଡିତମାନଙ୍କ ଉପରେ କ’ଣ ହେବ। ଆଜି ମୁଁ ହୃଦୟଙ୍ଗମ କରିଛି ଏବଂ ଆଜି ମୁଁ ଏହି ଦେଶକୁ ପ୍ରତିଶୃତି ଦେଇଛି ଯେ ମୁଁ କେବଳ ଅଯୋଧ୍ୟାରେ ନୁହେଁ କାଶ୍ମୀର ଉପରେ ମଧ୍ୟ ଏକ ଫିଲ୍ମ କରିବି ବୋଲି କଙ୍ଗନା ସୂଚନା ଦେଇଛନ୍ତି।