)
କାନପୁର: ଉତ୍ତରପ୍ରଦେଶ କାନପୁରର ବିକରୁ ଗାଁରେ ହୋଇଥିବା ଏନକାଉଣ୍ଟରରେ ୮ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ । କୁଖ୍ୟାତ ଅପରାଧୀ ବିକାଶ ଦୁବେ ଓ ତାର ସହଯୋଗୀମାନେ ପୋଲିସ ଟିମ୍ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ତେବେ ଏବେ ସାମ୍ନାକୁ ଆସିଛି ଶହୀଦ ହୋଇଥିବା ୮ ପୋଲିସ କର୍ମଚାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ଯେଉଁଥିରେ ଚମକାଇଦେବା ପରି ତଥ୍ୟ ରହିଛି । ଏହି ରିପୋର୍ଟରେ ଅନେକ କିଛି ଖୁଲାସା ମଧ୍ୟ ହୋଇଛି ।
କେବଳ ଗୁଳି ନୁହେଁ, ଧାର ହତିଆର ଦ୍ୱାରା ପୋଲିସ ଟିମ୍ ଉପରେ ଆକ୍ରମଣ କରିଥିଲା ବିକାଶ ଦୁବେ । ସିଓ ଦେବେନ୍ଦ୍ର ମିଶ୍ରା ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ବହୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ପୋଷ୍ଟମଟମ ରିପୋର୍ଟ କହୁଛି, CO ଦେବେନ୍ଦ୍ର ମିଶ୍ରାଙ୍କ ଦେହରେ ସମୁଦାୟ ୪ଟି ଗୁଳି ବାଜିଥିଲା । ତେବେ ସେ ଭିତରୁ ୩ ଗୁଳି ଶରୀରରେ ପଶି ବାହାରକୁ ବାହାରି ପଡ଼ିଥିଲା । ଗୋଟିଏ ଗୁଳି ମୁଣ୍ଡରେ, ଗୋଟିଏ ଛାତିରେ ଓ ଅନ୍ୟ ୨ ଗୁଳି ପେଟର ବାଜିଥିଲା ।
କେବଳ ଏତିତି ନୁହେଁ, ଗୁଳିମାଡ଼ ପରେ ଶହୀଦ ଦେବେନ୍ଦ୍ର ମିଶ୍ରାଙ୍କ ଗୋଡ଼କୁ ମଧ୍ୟ ହାଣି ଦେଇଥିଲେ ବିକାଶ ଦୁବେ ଓ ତାର ସହଯୋଗୀ । ପୋଷ୍ଟମଟମ ରିପୋର୍ଟ କହୁଛି, ସମସ୍ତ ଗୁଳି Point blank ରେଞ୍ଜରୁ ମାରାଯାଇଥିଲା ।
ସେହିପରି ୩ ପୋଲିସ କର୍ମଚାରୀଙ୍କ ମୁଣ୍ଡରେ ଗୁଳି ଲାଗିଥିଲା । ଅନ୍ୟ ଜଣ ପୋଲିସ କର୍ମଚାରୀଙ୍କ ଚେହେରାରେ ଗୁଳି ବାଜିଥିଲା । ସମସ୍ତ ୮ ପୋଲିସ କର୍ମଚାରୀଙ୍କ ଶବ ବ୍ୟବଚ୍ଚେଦ ରିପୋର୍ଟରୁ ଏକଥା ସ୍ପଷ୍ଟ ହୋଇଛି ଯେ, ଅତି ବିଭତ୍ସ ଭାବେ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ ବିକାଶ ଦୁବେ ଓ ତାର ସହଯୋଗୀ ।
ଏଠାରେ କହିରଖୁଛୁ, ଏହି କୁଖ୍ୟାତ ଅପରାଧୀକୁ ଉତ୍ତର ପ୍ରଦେଶ ପୋଲିସର ଏସଟିଏଫ ଟିମ୍ ଏନକାଉଣ୍ଟର କରିସାରିଛନ୍ତି । ଉଜ୍ଜୈନରୁ କାନପୁର ନିଆଯାଉଥିବା ବେଳେ ପୋଲିସକୁ ଚକମା ଦେଇ ଖସି ଯିବାକୁ ଉଦ୍ୟକ କରୁଥିବା ବିକାଶ ଦୁବେ ପୋଲିସ ଗୁଳିରେ ଟଳିଥିଲା ।