)
Road Accident: ଉତ୍ତର ପ୍ରଦେଶର କାଶଗଞ୍ଜରେ ଏକ ବଡ଼ ଧରଣର ଅଘଟଣ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁ ଭରପୂର ଟ୍ରାକ୍ଟର ଟ୍ରଲି ପୋଖରୀରେ ଖସିଯିବା ପରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ମଧ୍ୟରେ ୭ଜଣ ଶିଶୁ ମଧ୍ୟ ରହିଛନ୍ତି । କୁହାଯାଉଛି ଯେ ଏହି ଦୁଃଖଦ ଦୁର୍ଘଟଣା ଶନିବାର ସକାଳ ପ୍ରାୟ ୧୦ ଟା ସମୟରେ ଘଟିଥିଲା । କାଶଗଞ୍ଜର ପାଟିଆଲି ଦରିଆଭଗଞ୍ଜ ରାସ୍ତାରେ ଥିବା ଏକ ଅନିୟନ୍ତ୍ରିତ ଟ୍ରାକ୍ଟର ଟ୍ରଲି ପୋଖରୀରେ ଖସିପଡିଥିଲା। ମୃତକଙ୍କ ମଧ୍ୟରେ ଆଠ ଜଣ ମହିଳା ଏବଂ ଶିଶୁ ଅଛନ୍ତି। ବହୁ ଗୁରୁତର ଆହତ ଭକ୍ତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ସୂଚନାନୁସାରେ, କାଶଗଞ୍ଜର ପାଟିଆଲି ଦରିଆଭଗଞ୍ଜ ରେ ଶନିବାର ସକାଳ ଗୋଟିଏ ଟ୍ରାକ୍ଟର-ଟ୍ରଲି ଲୋକଙ୍କୁ ନେଇ ଗଙ୍ଗା ସ୍ନାନ କରିବାକୁ ଯାଉଥିଲା। ଏହାରି ମଧ୍ୟରେ ଗୋଟିଏ କାର୍ ସାମ୍ନାକୁ ଆସିଯାଇଥିଲା। ଟ୍ରାକ୍ଟର-ଟ୍ରଲି ଚାଳକ କାର୍ କୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଜଳାଶୟରେ ପଶିଯାଇଥିଲା। ତେବେ ଜଳାଶୟରେ ପାଣି ଅଧିକ ଥିବାରୁ ଅକାତକାତ ପାଣିରେ ବୁଡ଼ି ଘଟଣାସ୍ଥଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା।
ବିକଟାଳ ଚିତ୍କାର ଶୁଣି ଦୌଡିଆସିଥିଲେ ସ୍ଥାନୀୟ ଲୋକେ। ଏହାସହ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା । ହେଲେ ୧୫ ଜଣଙ୍କ ଜୀବନ ଏମିତି ଅକାଳେ ଚାଲିଯାଇଥିଲା। ସେପଟେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।